ମୁଖ୍ୟ ଖବର
ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଯୁଦ୍ଧ ଏବେ ଭୟଙ୍କର ରୂପ ନେଇଛି । ସୋମବାର ଲେବାନନ୍ ରାଜଧାନୀ ବେରୁଟ୍ ଏବଂ ଦକ୍ଷିଣ ଲେବାନନ୍ ଉପରେ ଇସ୍ରାଏଲ ପ୍ରଳୟଙ୍କରୀ ଆକ୍ରମଣ କରିଥିଲା । ଯେଉଁଥିରେ ପାଖାପାଖି ୩୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪୯ ଜଣ ଗୁରୁତର ଆହତ ହୋଇଛନ୍ତି । ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖାମେନେଇଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ହିଜବୁଲ୍ଲା ଇସ୍ରାଏଲ ଉପରେ ରକେଟ୍ ଓ ଡ୍ରୋନ୍ ମାଡ଼ କରିବା ପରେ ଇସ୍ରାଏଲ ଏହି ପାଲଟା ଜବାବ ଦେଇଛି । ଇରାନର ସର୍ବୋଚ୍ଚ ନେତା ଅଲ୍ଲି ଖାମେନେଇଙ୍କ ହତ୍ୟାର ବଦଲା ନେବାକୁ ହିଜବୁଲ୍ଲା ଇସ୍ରାଏଲ ଅଭିମୁଖେ ଶତାଧିକ ରକେଟ୍ ଓ ଡ୍ରୋନ୍ ଛାଡ଼ିଥିଲା । ୨୦୨୪ ନଭେମ୍ବର ଅସ୍ତ୍ରବିରତି ଚୁକ୍ତି ପରେ ଏହା ହିଜବୁଲ୍ଲାର ସବୁଠାରୁ ବଡ଼ ଆକ୍ରମଣ ।
ହିଜବୁଲ୍ଲାର ରକେଟ୍ ମାଡ଼ର ଜବାବରେ ଇସ୍ରାଏଲ ବାୟୁସେନା ବେରୁଟ୍ର ଦକ୍ଷିଣାଞ୍ଚଳରେ ଥିବା ହିଜବୁଲ୍ଲା ଆଡ୍ଡାଗୁଡ଼ିକ ଉପରେ ପ୍ରବଳ ବୋମା ବର୍ଷଣ କରିଛି । ଫଳରେ ବେରୁଟ୍ର ଅନେକ ଅଞ୍ଚଳ ଧ୍ୱଂସସ୍ତୂପରେ ପରିଣତ ହୋଇଛି । ଆକ୍ରମଣ ଯୋଗୁଁ ବେରୁଟ୍ ଏବଂ ଦକ୍ଷିଣ ଲେବାନନ୍ରୁ ହଜାର ହଜାର ଲୋକ ନିଜ ଘରଦ୍ୱାର ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାୟନ କରୁଛନ୍ତି । ରାଜଧାନୀରେ ବଡ଼ ଧରଣର ବିସ୍ଫୋରଣ ଶବ୍ଦ ଶୁଣାଯାଉଥିବା ରିପୋର୍ଟ ମିଳିଛି ।
ଲେବାନନ୍ ପ୍ରଧାନମନ୍ତ୍ରୀ ନୱାଫ୍ ସଲାମ ହିଜବୁଲ୍ଲାର ଏହି କାର୍ଯ୍ୟାନୁଷ୍ଠାନକୁ “ଦାୟିତ୍ୱହୀନ” ବୋଲି କହିବା ସହ ଦେଶର ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ତାଙ୍କ ସରକାର ସମସ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଲେବାନନ୍ କୌଣସି ପରିସ୍ଥିତିରେ ବି ଏହି ଯୁଦ୍ଧର ଅଂଶବିଶେଷ ହେବାକୁ ଚାହୁଁନଥିବା ସେ ସ୍ପଷ୍ଟ କରିଛନ୍ତି ।
Comments ସମସ୍ତ ମତାମତ