ମୁଖ୍ୟ ଖବର
ପାଟଣାଗଡ଼: ବଲାଙ୍ଗୀରଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବନମାଲ ଗ୍ରାମରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ମୁଖ୍ୟମନ୍ତ୍ରୀ ବସ୍ ଯାଉଥିବା ସମୟରେ ଜଣେ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଧମକ ଦେଉଥିବା ବେଳେ ଉକ୍ତ ବନ୍ଧୁକକୁ ଚାଳକ ଛଡ଼ାଇବାରେ ସଫଳ ହେବାରୁ ଅଭିଯୁକ୍ତ ଫେରାର ମାରି ଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ବନମାଲ ଗ୍ରାମକୁ ମୁଖ୍ୟମନ୍ତ୍ରୀ ବସ୍ ସକାଳୁ ପାଖାପାଖି ୯ଟାରେ ଆସିଥିଲା। ବନମାଲ ଗ୍ରାମର ପଞ୍ଚାୟତ ଅଫିସ ନିକଟରେ ଗ୍ରାମର ଜଣେ ଦୁର୍ବୃତ୍ତ ବସକୁ ଚଢି ଆସି ଚାଳଙ୍କ ସହ କୌଣସି କଥାକୁ ନେଇ ବଚସା କରିବା ସହ ପିସ୍ତଲ ଦେଖାଇ ଚାଳକକୁ ଜୀବନରେ ମାରି ଦେବା ନେଇ ଧମକ ଦେଇଥିଲା। ପରିସ୍ଥିତି ଗମ୍ଭୀର ହେବାରୁ ବସ ହେଲପର ପିସ୍ତଲ ଛଡ଼ାଇବାରେ ସମର୍ଥ ହୋଇ ପିସ୍ତଲ ଧରି ବେଲପଡ଼ା ଥାନା ଅଭିମୁଖେ ଦୌଡ଼ିଥିଲେ। ଦୁର୍ବୃତ୍ତ ହେଲପରଙ୍କୁ ପିଛା ପରିବାରେ ଅସମର୍ଥ ହୋଇ ଅନ୍ୟତ୍ର ଫେରାର ମାରିଥିବା ଜଣାପଡିଛି। ବେଲପଡ଼ା ଥାନାରେ ହେଲପର ପହଞ୍ଚି ପୁଲିସକୁ ଘଟଣା ସଂପର୍କରେ ସବୁ କହିଥିବା ବେଳେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି। ଅପର ପକ୍ଷରେ ବସ ସେହି ସ୍ଥାନରେ ରହିଥିବା ଜଣାପ଼ଡ଼ିଛି। ଅଭିଯୁକ୍ତ ନାଁରେ ଅନେକ ମାମଲା ଥିବା ବି ସୂଚନା ମିଳିଛି।
Comments ସମସ୍ତ ମତାମତ