ମୁଖ୍ୟ ଖବର
ଦିଲ୍ଲୀରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟରେ ୱେଷ୍ଟ ଇଣ୍ଡିଜ୍ ବିରୋଧରେ ଭାରତର ଦବଦବା ଆଜି ତୃତୀୟ ଦିନରେ ବି ଦେଖିବାକୁ ମିଳିଛି। ସ୍ଥିତି ଏମିତି ହୋଇଛି ଯେ ଅହମଦାବାଦରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ ଅଢ଼େଇ ଦିନରେ ଶେଷ ହୋଇଥିବା ବେଳେ ଦ୍ୱିତୀୟ ଟେଷ୍ଟ ୩ ଦିନରେ ଶେଷ ହୋଇଯାଇପାରେ ବୋଲି ସମୀକ୍ଷକମାନେ କହୁଛନ୍ତି।ଶନିବାର ଦ୍ୱିତୀୟ ଦିନର ଖେଳ ଶେଷ ହେବା ବେଳକୁ ୧୪୦ ରନ୍ କରି ୪ ୱିକେଟ୍ ହରାଇଥିବା ଇଣ୍ଡିଜ ଟିମ୍ ଆଜି ୨୪୮ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି। ଫଳରେ ଭାରତ ପ୍ରଥମ ଇନିଂସରେ ୨୭୦ ରନ୍ର ଅଗ୍ରଣୀ ଲାଭ କରିଛି। ଏହା ସହିତ ଭାରତ ଫଲୋଅନ ଦେଇଛି। ଫଳରେ ଇଣ୍ଡିଜ୍ ଟିମ୍ ପୁଣି ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି।
ଗତକାଲି ଷ୍ଟମ୍ପ ଅପସାରଣ ବେଳକୁ ଯଥା କ୍ରମେ ୩୪ ଓ ୧୪ ରନ୍ କରି ନଟ୍ଆଉଟ୍ ଥିବା ସାଇ ହୋପ ଓ ତେଭିନ ଇମଲାଚ ଆଜି ବିଶେଷ କିଛି ଯୋଗଦାନ କରିପାରି ନଥିଲେ।୩୬ ରନ୍ କରିଥିବା ବେଳେ କୁଲଦୀପ ଯାଦବଙ୍କ ବଲ୍ରେ ବୋଲ୍ଡ ହୋଇଯାଇଥିଲେ ସାଇ ହୋପ। ସେ ଆଉଟ୍ ହେବାର ୨ ଓଭର ପରେ ଆଉଟ ହୋଇଥିଲେ ତେଭିନ ଇମଲାଚ। ସେ ତାଙ୍କ ଖାତାରେ ଆଉ ୭ ରନ୍ ଯୋଡ଼ି ଅର୍ଥାତ୍ ୨୧ ରନ୍ କରିଥିବା ବେଳେ କୁଲଦୀପ ଯାଦବଙ୍କ ଦ୍ୱାରା ଏଲ୍ବିଡବ୍ଲ୍ୟୁ ହୋଇଥିଲେ।
ଏହା ପରେ ଆସିଥିବା ଅନ୍ୟ କୌଣସି ଖେଳାଳି ବଡ଼ ସ୍କୋର କରିବାକୁ ସଫଳ ହୋଇ ନଥିଲେ। ଜଷ୍ଟିନ୍ ଗ୍ରେବ୍ସ ୧୭ ରନ୍ କରି କୁଲଦୀପ ଯାଦବଙ୍କ ଦ୍ୱାରା ଏଲ୍ବିଡବ୍ଲ୍ୟୁ ହୋଇଥିବା ବେଳେ ଖ୍ୟାରୀ ପିୟରେ ୪୬ଟି ବଲ୍ରୁ ୨୩ ରନ୍ କରିଥିବା ବେଳେ ଯଶପ୍ରୀତ ବୁମ୍ରାଙ୍କ ବଲ୍ରେ ବୋଲ୍ଡ ହୋଇଯାଇଥିଲେ। ଜୋମେଲ ୱାରିକନ ମାତ୍ର ୫ଟି ବଲ୍ର ସମ୍ମୁଖୀନ ହୋଇ ୧ ରନ୍ କରି ମହମ୍ମଦ ସିରାଜଙ୍କ ବଲ୍ରେ ବୋଲ୍ଡ ହୋଇଥିଲେ। ଏଣ୍ଡରସନ୍ ଫିଲିପ ଦଳ ତରଫରୁ ସବୁଠୁ ଅଧିକ ବଲର ସମ୍ମୁଖୀନ ହୋଇଥିଲେ। ସେ ୯୩ଟି ବଲ୍ରୁ ୨୪ ରନ୍ କରି ଅପରାଜିତ ରହିଥିଲେ। ଅନ୍ୟପକ୍ଷରେ ଜାୟଡେନ ସୀଲ୍ସ ୨୫ଟି ବଲ୍ରୁ ୧୩ ରନ୍ କରିଥିଲେ। ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ୩ ଓ ଯଶପ୍ରୀତ ବୁମ୍ରା ଏବଂ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।
ସୂଚନାଯୋଗ୍ୟ, ଭାରତ ପ୍ରଥମ ଇନିସଂରେ ୫ ୱିକେଟ୍ ହରାଇ ୫୧୮ ରନ୍ କରି ପାଳି ଘୋଷଣା କରିଥିଲା।
Comments ସମସ୍ତ ମତାମତ