ମୁଖ୍ୟ ଖବର
ଭୁବନେଶ୍ବର: ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କଂଗ୍ରେସ ଓ ବିଜେଡି ବିଧାୟକମାନେ ଯୋଗ ଦେଇନାହାନ୍ତି। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି ତଥା ବର୍ତ୍ତମାନର ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶପୂଜାରୀ। ସେ ଉଭୟ ବିରୋଧୀ କଂଗ୍ରେସ ଓ ବିଜେଡି ଉପରେ ବର୍ଷିଛନ୍ତି। ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଉଭୟ ବିରୋଧୀ କଂଗ୍ରେସ ଓ ବିଜେଡି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ନ ଦେଇ ରାଜନୈତିକ ଉଦ୍ଦେଶ୍ୟ ରଖି ଉପରାଷ୍ଟ୍ରପତିଙ୍କୁ ଅସମ୍ମାନ କରିଛନ୍ତି। ସେମାନେ ଭାବୁଛନ୍ତି, ସବୁ ଶିଖିସାରିଛନ୍ତି, ଆଉ କିଛି ଶିଖିବାର ଆବଶ୍ୟକତା ନାହିଁ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସାଂସଦ ଓ ବିଧାୟକମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଉଭୟ କଂଗ୍ରେସ ଓ ବିଜେଡିରୁ ନିଲମ୍ବିତ ବିଧାୟକମାନେ ଯୋଗ ଦେଇଥିବାରୁ ସେମାନଙ୍କୁ ସାଧୁୂବାଦ ଜଣାଇଛନ୍ତି ମନ୍ତ୍ରୀ।
ସୂଚନାଯୋଗ୍ୟ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଜେଡିରୁ ନିଲମ୍ବିତ ବିଧାୟକ ସୌଭିକ ବିଶ୍ବାଳ, ଦେବୀ ରଂଜନ ତ୍ରିପାଠୀ ଓ ଅରବିନ୍ଦ ମହାପାତ୍ର ପ୍ରମୁଖ ଯୋଗ ଦେଇଛନ୍ତି। ଏଣେ ବିଧାୟକ ନବ ମଲ୍ଲିକ ବି ସାମିଲ ହୋଇଛନ୍ତି। ଠିକ୍ ସେହିପରି କଂଗ୍ରେସରୁ ନିଲମ୍ବିତ କଟକ-ବାରବାଟୀ ବିଧାୟକ ସୋଫିଆ ଫିରଦୌସ୍ ବି ଏଥିରେ ଉପସ୍ଥିତ ଅଛନ୍ତି। ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ବ୍ରଜ ମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ ଓ ଉପ ବାଚସ୍ପତି ଭବାନୀଶଙ୍କର ଭୋଇ ବି ଉପସ୍ଥିତ ଅଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି।
Comments ସମସ୍ତ ମତାମତ