ଭୁବନେଶ୍ୱର: ଗତ ଅକ୍ଟୋବର ୨୯ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିବା ବରୀର ପୂର୍ବତନ ବିଧାୟକ ସୁନନ୍ଦା ଦାସ ନଭେମ୍ବର ୬ ତାରିଖରେ ବିଜେପିରେ ଯୋଗ ଦେବେ। ୬ ତାରିଖ ପୂର୍ବାହ୍ନରେ ସେ ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ୟ୍ୟାଳୟରେ ଦଳରେ ସାମିଲ ହେବେ। ତାଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ଏହି ସୂଚନା ଦେଇଛନ୍ତି।ଗତ ୫ ମାସ ହେଲେ ଅଣଦେଖା ହୋଇ ରହିଥିବା ଅଭିଯୋଗ ଆଣି ସୁନନ୍ଦା ଦାସ ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେଡି ଛାଡ଼ିବା ପରେ ସେ ଦଳର ଅନେକ ଗୁମର ଖୋଲିଥିଲେ। ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ଉପରେ ମନଇଚ୍ଛା ବର୍ଷିଥିଲେ।
ଗତ ନିର୍ବାଚନରେ ବିଜେଡିରେ ଅଫିସରମାନେ ଟିକେଟ ବାଣ୍ଟୁଥିଲେ ବୋଲି ସେ କହିଥିଲେ। ଟିକେଟ ପାଇଁ ଡିଏସ୍ କୁଟ୍ଟେ ଓ ଆଶିଷ ସିଂହଙ୍କୁ ଭେଟିବାକୁ ତାଙ୍କୁ କୁହାଯାଇଥିଲା ବୋଲି ସେ କହିଥିଲେ। ଏମିତିକି ସେ ଏହି ଦୁଇ ଅଧିକାରୀଙ୍କୁ ଭେଟିଥିଲେ। ଟିକେଟ ବଣ୍ଟନର ପୂର୍ବଦିନ ଏହି ଦୁଇ ଅଫିସର ତାଙ୍କୁ ଡାକି ଅଲ୍ ଦି ବେଷ୍ଟ କହିଥିଲେ। କିନ୍ତୁ ତା’ ପରଦିନ ତାଲିକାରେ ତାଙ୍କ ନଥିଲା।ସୂଚନାଯୋଗ୍ୟ, ସୁନନ୍ଦା ଦାସ ୨୦୧୯ରୁ ୨୦୨୪ ପର୍ୟ୍ୟନ୍ତ ବରୀର ବିଧାୟକ ରହିଥିଲେ। ତେବେ ୨୦୨୪ ନିର୍ବାଚନରେ ତାଙ୍କୁ ବିଜେଡି ଟିକେଟ ଦେଇ ନଥିଲା। ତାଙ୍କ ବଦଳରେ ବିଜେପି ଛାଡ଼ି ଆସିଥିବା ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଟିକେଟ ଦେଇଥିଲା ବିଜେଡି।
Comments ସମସ୍ତ ମତାମତ