ମୁଖ୍ୟ ଖବର
ଭୁବନେଶ୍ୱର : ମଇଦାନରେ ଲଢ଼ୁଥିଲେ କଲେଜ ଛାତ୍ରଛାତ୍ରୀ । କ୍ୟାମ୍ପସ ବାହାର ୱାର ରୁମ୍ରେ ରଣନୀତି କରୁଥିଲେ ବିଧାୟକ, ମନ୍ତ୍ରୀ, ସାଂସଦ ଓ ଛାମୁଆ ସଂଗଠକ । କଲେଜ ନିର୍ବାଚନ ଫଳ ଘୋଷଣା ପରେ କେଉଁଠି ବଲ୍ଲେବଲ୍ଲେ, ଆଉ କେଉଁଠି ନିରାଶାର ବାତାବରଣ । କାହା ପାଦ ତଳୁ ମାଟି ଖସିଛି, ଆଉ କାହା ପତିଆରା ମାଟିରେ ମିଶିଛି । ଏହି ନିର୍ବାଚନରୁ ଜେନ୍-ଜିର ମୁଡ୍ କ’ଣ ତା’ର ବାର୍ତ୍ତା ମିଳିଛି । ଆଗକୁ ଅଛି ପଞ୍ଚାୟତ ନିର୍ବାଚନ । ସାରା ଦେଶରେ ଜେନ୍-ଜି ଏବେ ମାତ୍ରାଧିକ ସକ୍ରିୟ ହୋଇ ନିଜ ଉପସ୍ଥିତି ଜାହିର କରୁଛନ୍ତି । ଏହାର ବଡ଼ ପ୍ରଭାବ ପଞ୍ଚାୟତ ଓ ପୌର ଭୋଟରେ ପଡ଼ିବା ସମ୍ଭାବନା ଅଛି । କଲେଜ ନିର୍ବାଚନର ଫଳରୁ ଶାସକ ଦଳ ପ୍ରତି ସମର୍ଥନ ଏବେ ବି ଅଧିକ ଥିବା କୁହାଯାଉଛି । ମାତ୍ର ବିଜେଡି ମଧ୍ୟ ଜୋରଦାର ଟକ୍କର ଦେବାକୁ ମଇଦାନକୁ ଡେଇଁଛି । କିନ୍ତୁ, କଂଗ୍ରେସ ପ୍ରଦର୍ଶନରେ ବହୁ ପଛରେ ରହିଯାଇଛି । କାଁ ଭାଁ କିଛି କଲେଜରେ ହିଁ ଏନଏସୟୁଆଇ ନିଜ ଉପସ୍ଥିତି ଜାହିର କରିବାକୁ ସକ୍ଷମ ହୋଇଛି ।
କଲେଜ ନିର୍ବାଚନ ଫଳ ଦେଇଛି ସତର୍କ ଘଣ୍ଟି । ବହୁ ବିଧାୟକ, ସାଂସଦ, ଛାମୁଆ ସଂଗଠକଙ୍କ ମୁଣ୍ଡ ଗୋଲ୍ । ହାତ ମୁଠାରୁ ଖସିଛି କ୍ୟାମ୍ପସ । ଦଳୀୟ ନେତୃତ୍ୱଙ୍କୁ କି ଜବାବ ଦେବେ, ପାଟି ଥତମତ । ଅନ୍ୟପଟେ ଦବଦବା ବଜାୟ ରଖିଥିବା ନେତାଙ୍କ ଶିବିରରେ ସେଲିବ୍ରେସନ, ଆଉ ଫଟୋ ସେସନ । କଟକ ଜିଲ୍ଲାରେ ବିସିଜେଡି ଚମକିଛି । ବିଜେଡିରୁ ନିଲମ୍ବିତ ବିଧାୟକ ସୌଭିକ ବିଶ୍ୱାଳ ଓ ତାଙ୍କ ବାପା ପ୍ରଭାତ ବିଶ୍ୱାଳଙ୍କୁ ଝଟ୍କା ଦେଇଛି ରେଭେନ୍ସା, ଏମଏସ୍ ବିଶ୍ୱବିଦ୍ୟାଳୟ, ଜେକେବିକେ ଏବଂ ଚୌଦ୍ୱାର କଲେଜ ଫଳ । ବିଜେପିର ଦୁଇ ବିଧାୟକ ପ୍ରକାଶ ସେଠୀ ଓ ଛବି ମଲ୍ଲିକଙ୍କ ପ୍ରାର୍ଥୀମାନଙ୍କୁ ମଧ୍ୟ ଆଶାନୁଯାୟୀ ସଫଳତା ମିଳିନି । ନିମାପଡ଼ା କଲେଜ ନିର୍ବାଚନ ଫଳାଫଳ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଶିବିରର ଚିନ୍ତା ବଢ଼ାଇଛି । ସମର୍ଥିତ ପ୍ରାର୍ଥୀଙ୍କ ବିଜୟ ମାଧ୍ୟମରେ ଦମ୍ଭ ଦେଖାଇଛନ୍ତି ପୂର୍ବତନ ମନ୍ତ୍ରୀ ସମୀର ଦାଶ । ସେହିପରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନିର୍ବାଚନମଣ୍ଡଳୀ ପାଟଣାଗଡ଼ରେ ଜ୍ୟୋତିବିକାଶ କଲେଜକୁ ଛାଡ଼ି ଦେଲେ ସବୁଠି ବିସିଜେଡିର ବାଜିମାତ୍ । ଢେଙ୍କାନାଳରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ରଣନୀତି କାଟୁ କଲାନି । ଢେଙ୍କାନାଳ ସ୍ୱୟଂଶାସିତ କଲେଜରେ ଏବିଭିପି ଲଢ଼େଇରେ ହିଁ ରହିପାରିଲାନି । ନବରଙ୍ଗପୁର ଜିଲ୍ଲାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଳଭଦ୍ର ମାଝୀ, ବିଧାୟକ ନରସିଂହ ଭତ୍ରାଙ୍କ ରଣନୀତିକୁ ବିସିଜେଡି ଫେଲ୍ କରିଛି । ଯାଜପୁର ଜିଲ୍ଲାର ଧର୍ମଶାଳା ଓ ବଡ଼ଚଣାକୁ ଛାଡ଼ିଦେଲେ ବିଞ୍ଝାରପୁର, ବରୀ, ଯାଜପୁର, ଦଶରଥପୁରରେ ବିସିଜେଡି କ୍ଲିନ୍ ସ୍ୱିପ୍ କରିଛି । କେନ୍ଦ୍ରାପଡ଼ାରେ ମଧ୍ୟ ବିସିଜେଡି ପ୍ରଦର୍ଶନ ଜବରଦସ୍ତ ହୋଇଛି । ହେଲେ ତାଳଚେରରେ ବିଧାୟକ ବ୍ରଜ ପ୍ରଧାନ, ଆଠମଲ୍ଲିକରେ ବିଧାୟକ ନଳିନୀକାନ୍ତ ପ୍ରଧାନଙ୍କ ଶିବିରରେ ପରାଜୟର ନିରାଶା ମାଡ଼ିଯାଇଛି । ଏସବୁ ସ୍ଥାନରେ ଏବିଭିପି କମାଲ ଦେଖାଇଛି ।
ପୁରୀରେ ବି ବିଜେଡି ବିଧାୟକ ସୁନୀଲ ମହାନ୍ତିଙ୍କୁ ଝଟ୍କା ଦେଇ ଏସସିଏସ୍ କଲେଜରେ ଏନଏସୟୁଆଇ ବାଜିମାତ୍ କରିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ବିଜେଡିକୁ ମିଶ୍ରିତ ଫଳ ମିଳିଛି । ଗଣ୍ଡଳା, ହିଞ୍ଜିଳିକାଟୁ ବିଜ୍ଞାନ କଲେଜର ସଭାପତି ପଦ ଏବିଭିପିକୁ ଯାଇଛି । ଗଞ୍ଜାମ ଜିଲ୍ଲାର ଦୁଇଟି ଯାକ ବିଶ୍ୱବିଦ୍ୟାଳୟରୁ ଗୋଟିଏ ବି ବିସିଜେଡି ଜିତିପାରିଲାନି । କଳାହାଣ୍ଡିରେ ପିସିସି ସଭାପତି ଭକ୍ତ ଦାସ ଓ ତାଙ୍କ ପୁଅ ବିଧାୟକ ସାଗର ଦାସ ମଧ୍ୟ କିଛି କମାଲ ଦେଖାଇ ପାରିନାହାନ୍ତି । ଜୟପୁରର ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ବିଧାୟକ ତାରା ବାହିନୀପତିଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ମାତ୍ ଦେଇଛନ୍ତି ଏବିଭିପି ପ୍ରାର୍ଥୀ । ହେଲେ କୋରାପୁଟ ନନ୍ଦପୁର ସିନେ୍ଧଦେବୀ କଲେଜ ନିର୍ବାଚନକୁ ନେଇ ରୋଚକ ସ୍ଥିତି ଦେଖିବାକୁ ମିଳିଛି । ସଭାପତି ଓ ସମ୍ପାଦକ ପଦ ବିସିଜେଡିକୁ ମିଳିଥିବା ଦାବି କରାଯାଉଥିବାବେଳେ ପରବର୍ତ୍ତୀ ସମୟରେ ଉଭୟ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ଶିବିରକୁ ପଳାଇ ଆସିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ଏବିଭିପିର ସାନଦାର ପ୍ରଦର୍ଶନ ଦେଖାଇଛି । ସମ୍ବଲପୁରରେ ମଧ୍ୟ ଏବିଭିପିକୁ ଜୋରଦାର ସଫଳତା ମିଳିଛି । ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ନିର୍ବାଚନମଣ୍ଡଳୀ ରେଢାଖୋଲରେ ଏବିଭିପି ଶକ୍ତି ଦେଖାଇଛି । ରେଙ୍ଗାଳିରେ ବିଜେଡି ବିଧାୟକ ଥିବା ସତ୍ତ୍ଵେ ବିସିଜେଡି ଝଟକା ଖାଇଛି । କିନ୍ତୁ, ଝାରସୁଗୁଡ଼ା ଜିଲ୍ଲାରେ ୫ଟି କଲେଜରୁ ଏବିଭିପି ମାତ୍ର ଗୋଟିଏ ସଭାପତି ପଦ ପାଇଛି । ଏହି ଫଳାଫଳକୁ ନେଇ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଶିବିରଙ୍କ ଚିନ୍ତା ବଢ଼ିଛି । ହେଲେ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଆସନ ବ୍ରଜରାଜନଗରରେ ଏବିଭିପି ଏକପାଖିଆ ବିଜୟ ପାଇଛି । ଗତ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟ ପାଇଁ ନିଜ ଦଳରୁ ନିଲମ୍ବିତ ହୋଇଥିବା ଅଧିକାଂଶ ବିଧାୟକ ନିଜ ନିର୍ବାଚନମଣ୍ଡଳୀରେ ପତିଆରା ହରାଇଛନ୍ତି । କଂଗ୍ରେସରୁ ନିଲମ୍ବିତ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କୁ କଲେଜ ନିର୍ବାଚନ ଫଳାଫଳ ନିରାଶ କରିଛି । ସାନଖେମୁଣ୍ଡିର ବିଧାୟକ ରମେଶ ଜେନା ବାଲିଗୁଡ଼ାର ଚକ୍ରମଣି କହଁର, ମୋହନାର ଦାଶରଥୀ ଗମାଙ୍ଗଙ୍କ ରଣନୀତି ବି ଏଥର କାଟୁ କଲାନି । ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ନିର୍ବାଚନରେ ସକ୍ରିୟତା ଦେଖାଇନଥିଲେ । ହେଲେ ବାଙ୍କୀ ବିଧାୟକ ଦେବୀ ତ୍ରିପାଠୀ ଏବଂ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର କିନ୍ତୁ କଲେଜ ନିର୍ବାଚନରେ ନିଜ ଦମ୍ ଦେଖାଇଛନ୍ତି । ଏହି ହାରଜିତକୁ ନେଇ ସହରରୁ ଗାଁ ରାଜନୀତି ତେଜିଛି । ବିଶେଷ କରି ବିଜେପି ଓ ବିଜେଡି ଶିବିରରେ ସକ୍ରିୟତା ବଢ଼ିଛି । ଆଉ ମାସ କେଇଟା ପରେ ପଞ୍ଚାୟତ ଓ ପୌର ନିର୍ବାଚନ । ଏ ସକ୍ରିୟତା ଆଗକୁ ଆହୁରି ବଢ଼ିବ ।
Comments ସମସ୍ତ ମତାମତ