Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଛାତ୍ର ସଂସଦ ନିର୍ବାଚନ; ଦ୍ୱନ୍ଦ୍ୱ ବି ଛିଡୁନି

    Share on :
    ajab-Image
    Date: Oct 5, 2026    Views: 2967

    ଭୁବନେଶ୍ୱର: ଓଡ଼ିଶାରେ ଗତ ୮ ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ ହୋଇନାହିଁ । ଭାଜପା ରାଜ୍ୟରେ ସରକାରକୁ ଆସିବା ପୂର୍ବରୁ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ହେଉ ବୋଲି ଦାବି କରିଆସୁଥିଲା। ୨୦୨୪ରୁ ଭାଜପା ଓଡ଼ିଶାରେ ଶାସନକୁ ଆସିଛି। ଏହାରି ଭିତରେ ସରକାର କରିବାର ପାଖାପାଖି ଅଢ଼େଇ ବର୍ଷ ବିତିଯାଇଛି। ଚଳିତବର୍ଷ ସରକାର ଛାତ୍ର ସଂସଦ ନିର୍ବାଚନ କରାଇବେ ବୋଲି ଅଣ୍ଟା ଭିଡ଼ିଥିବା ଖବର ବାହାରକୁ ଆସୁଛି। ହେଲେ ଦଶହରା ଛୁଟି ପୂର୍ବରୁ ନିର୍ବାଚନ ହେବ ବୋଲି ଶୁଣାଯାଉଥିଲେ ମଧ୍ୟ ଏଯାଏ ବିଧିବଦ୍ଧ ତାରିଖ ଘୋଷଣା ହୋଇନାହିଁ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଛାତ୍ର ସଂସଦ ନିର୍ବାଚନ କରାଇବା ନେଇ ସରକାର ସକାରାତ୍ମକ ଥିବା କହିଥିଲେ ମଧ୍ୟ ନିଷ୍ପତ୍ତି ଚୂଡ଼ାନ୍ତ ହୋଇ ନ ଥିବା ଗଣମାଧ୍ୟମରେ ବିବୃତି ରଖିଥିଲେ। ଏସବୁ ଭିତରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), ଛାତ୍ର ବିଜେଡି ଏବଂ ଛାତ୍ର କଂଗ୍ରେସ ପକ୍ଷରୁ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ୩ ଦଳର ଛାମୁଆ ସଙ୍ଗଠନ ବର୍ତ୍ତମାନ ସେମାନଙ୍କର ସାଙ୍ଗଠନିକ ସ୍ଥିତି ଏବଂ ଭିତିରି କନ୍ଦଳ ତୁଟାଇବା ପାଇଁ ସବୁ ବଳ ଲଗାଇ ଦେଇଛନ୍ତି।
    ମିଳିଥିବା ସୂଚନା ମୁତାବକ, ଏବିଭିପି ଏବଂ ଭାଜପା ଯୁବମୋର୍ଚ୍ଚା ଭିତରେ ଯେଉଁ ଦ୍ୱନ୍ଦ୍ୱ ରହିଥିଲା ତାହାକୁ ତୁଟାଇବା ଲାଗି ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି। ଏବିଭିପିର ଜଣେ ନେତା ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ସବୁ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପ୍ରାର୍ଥୀ ଚୟନ ନେଇ ପ୍ରାରମ୍ଭିକ ଭାବେ ଏକପ୍ରକାର ଆଲୋଚନା ସରିଛି। ଯେଉଁଥିରେ ନିଷ୍ପତ୍ତି ହୋଇଛି, ଯୁବମୋର୍ଚ୍ଚାର ଯେଉଁ ସବୁ ସ୍ଥାନରେ ସଙ୍ଗଠନ ଭଲ ଅଛି, ସେହି ଅଞ୍ଚଳରେ ଥିବା କଲେଜ ବା ବିଶ୍ୱବିଦ୍ୟାଳୟଗୁଡ଼ିକରେ ସଭାପତି ଓ ସାଧାରଣ ସମ୍ପାଦକ ପଦ ସେମାନେ ଦେବେ। ଯେଉଁ ସବୁ ସ୍ଥାନରେ ଏବିଭିପି ସୁଦୃଢ଼ ଅଛି, ସେ ସବୁ ସ୍ଥାନରେ ସେମାନେ ସଭାପତି ଓ ସାଧାରଣ ସମ୍ପାଦକ ପଦରେ ପ୍ରାର୍ଥୀ ଦେବେ। ଏହି ଦୁଇ ପଦକୁ ଛାଡ଼ିଦେଲେ ଅନ୍ୟପଦଗୁଡ଼ିକ ସେମାନଙ୍କ ମଧ୍ୟରେ ସହମତି ଭିତ୍ତିରେ ପ୍ରାର୍ଥୀ ଦିଆଯିବ। ଏହାସହ ଯେଉଁ ଅର୍ଥ ନିର୍ବାଚନ ଲାଗି ଖର୍ଚ୍ଚ ହେବ, ତା’ର ପରିଚାଳନା ଲାଗି ଉଭୟ ଏବିଭିପି ଏବଂ ଭାଜପା ଯୁବମୋର୍ଚ୍ଚାର ୩ଜଣ ଲେଖାଏ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରାଯିବ। ଉକ୍ତ କମିଟି ଜରିଆରେ ଛାତ୍ର ସଂସଦ ନିର୍ବାଚନ ନିମିତ୍ତ ଖର୍ଚ୍ଚ କରାଯିବ ବୋଲି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଏଠାରେ ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ରାଜ୍ୟ ଭାଜପା ଯୁବମୋର୍ଚ୍ଚାର ସଭାପତି ଥିବା ଅଭିଳାଷ ପଣ୍ଡା ଦୀର୍ଘଦିନ ଧରି ଓଡ଼ିଶାରେ ଏବିଭିପିର ନେତୃତ୍ୱ ନେଇଆସୁଥିଲେ। ତାଙ୍କ ଅଧ୍ୟକ୍ଷତାରେ ଏବିଭିପି ଅନେକଗୁଡ଼ିଏ କାର୍ଯ୍ୟକ୍ରମ କରି ସଙ୍ଗଠନକୁ ମଜଭୁତ କରିପାରିଥିଲା। ମାତ୍ର ସିଏ ଯୁବମୋର୍ଚ୍ଚା ସଭାପତି ହେବା ପରେ ଏବିଭିପିର ଯେଉଁମାନେ ଦାୟିତ୍ୱ ନେଉଛନ୍ତି ସେମାନେ ଏବେ ନିଜକୁ ଭାଜପା ଯୁବମୋର୍ଚ୍ଚା ସହ ଯୋଡ଼ିବାକୁ ଚାହୁଁନାହାନ୍ତି ବୋଲି ଯାହା ଅନେକ ଛାତ୍ରନେତାଙ୍କ ସୂତ୍ରରୁ ଜାଣିବାକୁ ମିଳିଛି।
    ସେହିଭଳି ଛାତ୍ର ସଂସଦ ନିର୍ବାଚନ ନେଇ ବିଜେଡି ଭିତରେ ଏବେ ଦ୍ୱନ୍ଦ୍ୱ ବହୁତ ମାତ୍ରାରେ ବଢ଼ିଯାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ସୂଚନା ମୁତାବକ, ବିଜେଡିର ଯୁବ ଏବଂ ଛାତ୍ର ନେତୃତ୍ୱଙ୍କ ମଧ୍ୟରେ ସେଭଳି କୌଣସି ଭଲ ସ୍ଥିତି ନାହିଁ। ସରକାରରେ ଥିବା ସମୟରେ ବିଜେଡି ଛାତ୍ର ସଂସଦ ନିର୍ବାଚନ ୮ ବର୍ଷ ବନ୍ଦ କରାଇ ରଖିବା ସହିତ ଅନେକ ଯୁବ ଓ ଛାତ୍ରନେତାଙ୍କୁ ପଦପଦବୀ ବାଣ୍ଟିବା ଏବଂ ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ଦଳରୁ ନିଲମ୍ବିତ କରିଥିଲା। ଚଳିତଥର ଯେତେବେଳେ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ଖବର ଆସୁଛି। ଏହି ସମୟରେ ଯେଉଁ ଛାମୁଆ ନେତାମାନଙ୍କୁ ଧରି ଦଳ ଆଗକୁ ବଢ଼ିବ ବୋଲି ଭାବୁଛି, ସେମାନେ ଏବେ ଧରାଛୁଅଁା ଦେଉନାହାନ୍ତି ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି। ସମାନ ଭାବେ ଛାତ୍ର କଂଗ୍ରେସ ପକ୍ଷରୁ ଛାତ୍ର ସଂସଦ ନିର୍ବାଚନ କରାଇବା ପାଇଁ ଦାବି କରାଯାଉଥିଲେ ମଧ୍ୟ ଦଳର କିଛି ନେତାଙ୍କ ସୂଚନାନୁଯାୟୀ, ଅଧିକାଂଶ ସ୍ଥାନରେ ପ୍ରାର୍ଥୀ ଦେବା ପାଇଁ ସେମାନେ ସମର୍ଥ ନୁହନ୍ତି। ତେଣୁ ନିର୍ବାଚନରେ କିପରି ଛାତ୍ର କଂଗ୍ରେସ ନିଜକୁ ପ୍ରତିଯୋଗିତା ଭିତରକୁ ଆଣିପାରିବ ସେଥିପାଇଁ ବିଜୁ ଛାତ୍ର ଜନତା ଦଳ ଉପରେ ଅସନ୍ତୁଷ୍ଟ ଥିବା ନେତାଙ୍କୁ ସାଙ୍ଗ କରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି। ସେମାନେ ଚିନ୍ତା କରୁଛନ୍ତି, ଯଦି ଅସନ୍ତୁଷ୍ଟ ଛାତ୍ର ବିଜେଡି ନେତାଙ୍କୁ ସାଙ୍ଗରେ ନେଇପାରିଲେ ତେବେ ଅନେକ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପ୍ରାର୍ଥୀ ଦେବାଲାଗି ଯେଉଁ ସମସ୍ୟା ରହିଛି, ତାହା ଆଉ ରହିବ ନାହିଁ; ଯେଉଁଥିପାଇଁ କେତେଜଣ ଛାତ୍ର ବିଜେଡି ନେତାଙ୍କ ସହ ସେମାନେ ଯୋଗାଯୋଗ ଆରମ୍ଭ କରିଦେଇଛନ୍ତି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook