ମୁଖ୍ୟ ଖବର
ଭୁବନେଶ୍ୱର: ଗୋଟିଏ ପରେ ଗୋଟିଏ ସୋସିଆଲ୍ ମିଡ଼ିଆ ପୋଷ୍ଟ୍ କରି ରାଜନୀତି ମହଲରେ ବିସ୍ଫୋରଣ କରିବାରେ ଲାଗି ପଡ଼ିଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । କିଛିଦିନ ତଳେ ଧୃତରାଷ୍ଟ୍ର ଓ ସନ୍ନ୍ୟାସୀ ଉପାଖ୍ୟାନକୁ ନେଇ ଲେଖିଥିବା ଶ୍ରୀମୟୀ ଏଥର ନାରୀଙ୍କୁ ସମ୍ମାନ ଓ ସହିବାର ସୀମା ବାବଦରେ ଉଲ୍ଲେଖ କରିଛନ୍ତି । ଦୁର୍ଗାପୂଜା ଓ ମା' ଦୁର୍ଗାଙ୍କ ଆଗମନ ନେଇ ଶ୍ରୀମୟୀ ଏହି ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ଯେ 'ଆମ ସଂସ୍କୃତିରେ ଯେଉଁ ସ୍ଥାନରେ ନାରୀମାନେ ସମ୍ମାନିତ ହୁଅନ୍ତି, ସେଠାରେ ଦେବତାମାନେ ଆନନ୍ଦରେ ବାସ କରନ୍ତି । କିନ୍ତୁ ଯେଉଁଠାରେ ନାରୀମାନଙ୍କୁ ସମ୍ମାନ ଦିଆଯାଏ ନାହିଁ, ସେଠାରେ ସମସ୍ତ କାର୍ୟ୍ୟ ନିଷ୍ଫଳ ହୁଏ । ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ମଧ୍ୟ ନାରୀଙ୍କୁ ମା’, ଦେବୀ ଓ ଶକ୍ତି ରୂପେ ପୂଜା କରାଯାଏ, ଯେପରି ଦୁର୍ଗା ପୂଜାରେ ମା’ ଦୁର୍ଗାଙ୍କୁ ଆରାଧନା କରାଯାଇଥାଏ । ବାସ୍ତବରେ ମହିଳା ସହନଶୀଳ ହୋଇଥା’ନ୍ତି । କିନ୍ତୁ କ’ଣ ଏହା ଜରୁରୀ ଯେ ପ୍ରତ୍ୟେକ ପରିସ୍ଥିତିରେ ସେମାନଙ୍କ ସହନଶୀଳତାର ପରୀକ୍ଷା ନିଆଯିବ? ମା’ ଦୁର୍ଗାଙ୍କ ଆଗମନ ନାରୀଶକ୍ତିର ଜୟଗାନ ଓ ଅନ୍ୟାୟର ବିରୋଧରେ ସଂଘର୍ଷର ପ୍ରତୀକ । ଏହା ଆମକୁ ଶିକ୍ଷା ଦେଇଥାଏ ଯେ ନାରୀଙ୍କ ଉପରେ ଅତ୍ୟାଚାର କେବେ ସହ୍ୟ କରାଯିବା ଉଚିତ ନୁହେଁ ଏବଂ ସେମାନଙ୍କ ସମ୍ମାନ ଓ ସଶକ୍ତିକରଣ ପାଇଁ ସମାଜ ସବୁବେଳେ ଆଗେଇ ଆସିବା ଦରକାର ।’ ଏହା ପୂର୍ବରୁ ଧୃତରାଷ୍ଟ୍ର ଏବଂ ସନ୍ନ୍ୟାସୀ ପ୍ରସଙ୍ଗ ନେଇ ଦଳୀୟ ନେତୃତ୍ବଙ୍କୁ ତେରେଛା ବାଣ ମାରିଥିଲେ ଏହି ବିଜେଡି ନେତ୍ରୀ । କିଛି ଦିନ ତଳେ ଶ୍ରୀମୟୀଙ୍କ ଏଭଳି ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ଚେତାବନୀ ଦେଇଥିଲା ଦଳ । ଏବେ ଏହାକୁ ନେଇ ବିଜେଡି କିଭଳି ପ୍ରତିକ୍ରିୟାଶୀଳ ହେଉଛି ତା’ ଉପରେ ରହିଛି ନଜର ।
Comments ସମସ୍ତ ମତାମତ