Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପ୍ରତି ୨ରୁ ୩ ବର୍ଷରେ ଥରେ ରତ୍ନଭଣ୍ଡାର ଖୋଲଯାଉ : ଶ୍ରୀକାନ୍ତ ଜେନା

    Share on :
    ajab-Image
    Date: Jul 15, 2024    Views: 3419

    ଭୁବନେଶ୍ବର: ବହୁ ପ୍ରତୀକ୍ଷାର ଅନ୍ତ ଘଟି ଦୀର୍ଘ ୪୬ ବର୍ଷ ପରେ ଖୋଲିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର । ପ୍ରଥମ ଦିନରେ ବାହାର ରତ୍ନଭଣ୍ଡାର ଖୋଲିଛି । ସେପଟେ ଭିତର ରତ୍ନଭଣ୍ଡାର ଚାବି ଭଙ୍ଗା ଯାଇଥିଲେ ମଧ୍ୟ ଅଳଙ୍କାର ସ୍ଥାନାନ୍ତରଣ ହୋଇନାହିଁ । ତେବେ ରତ୍ନଭଣ୍ଡାର ଖୋଲିବା ପଦକ୍ଷେପକୁ ସ୍ବାଗତ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । ଏହାସହ ପ୍ରତି ୨ରୁ ୩ ବର୍ଷରେ ଥରେ ରତ୍ନଭଣ୍ଡାର ଖୋଲଯାଉ ବୋଲି କହିଛନ୍ତି ଶ୍ରୀକାନ୍ତ ।
    ଶ୍ରୀକାନ୍ତ ଜେନା କହିଛନ୍ତି," ୧୯୭୮ରେ ଯେତେବେଳେ ନୀଳମଣି ରାଉତରାୟ ମୁଖ୍ୟମନ୍ତ୍ରୀ ଥିଲେ ଓ ବିଶ୍ବଭୂଷଣ ହରିଚନ୍ଦନ ଆଇନ ମନ୍ତ୍ରୀ ଥିଲେ ସେହି ସରକାରରେ ମୁଁ କିଛି ଦିନ ପାଇଁ ମନ୍ତ୍ରୀ ଥିଲି । ସେତେବେଳେ ନିଷ୍ପତ୍ତି ହୋଇଥିଲା ରତ୍ନଭଣ୍ଡାର ଖୋଲାଯିବ ଓ ରତ୍ନଭଣ୍ଡାରର ଇନ୍‌ଭେଣ୍ଟ୍ରି ହେବ । ସେ ସମୟରେ ଇନ୍‌ଭେଣ୍ଟ୍ରି ହୋଇଛି । ଏହାର କପି ମଧ୍ୟ ପ୍ରକାଶ ପାଇଛି । ଏବେ ଯେଉଁ ଖୋଲାଯାଇଛି ତାହାର ମଧ୍ୟ ଇନ୍‌ଭେଣ୍ଟ୍ରି ହେବା ଦରକାର । ମୋ ମତରେ ପ୍ରତି ୨ କିମ୍ବା ୩ ବର୍ଷରେ ଥରେ ରତ୍ନଭଣ୍ଡାର ଖୋଲଯାଉ । ଠିକ୍‌ଠାକ ଅଛି ନା ନାହିଁ ଦେଖାଯାଉ । ଯାହାଫଳରେ ଲୋକଙ୍କ ମନରେ ଯେଉଁ ସନ୍ଦେହ ଉପୁଜୁଛି ତାହା ଦୂର ହେବ । ଏବେ ମଧ୍ୟ ସରକାରଙ୍କ ଦ୍ଵାରା ନିଯୁକ୍ତ କମିଟିରେ ଯେଉଁ ରତ୍ନ ଅଳଙ୍କାର ଅଛି ତାର ହିସାବ ରଖନ୍ତୁ ସରକାର ।
    ଜଷ୍ଟିସ ବିଶ୍ବନାଥ ରଥଙ୍କ ନେତୃତ୍ବାଧୀନ ୧୧ ଜଣିଆ ଉଚ୍ଚସ୍ତରୀୟ କମିଟି ତତ୍ତ୍ବାବଧାନରେ ଦୀର୍ଘ ୪୬ ବର୍ଷ ପରେ ‘ରତ୍ନଭଣ୍ଡାର’ ଖୋଲାଯାଇଛି । ଉଭୟ ବାହାର ଓ ଭିତର ଭଣ୍ଡାର ଖୋଲି ତଦାରଖ କରିଛି ମନିଟରିଂ କମିଟି । ଆଜି ନିର୍ଦ୍ଧାରିତ ସମୟ ଅପରାହ୍ନ ୧ଟା ୨୮ ମିନିଟରେ ପ୍ରଥମେ ବାହାର ‘ରତ୍ନଭଣ୍ଡାର’ ଖୋଲାଯିବା ପରେ ପରବର୍ତ୍ତୀ ସମୟରେ ଭିତର ଭଣ୍ଡାର ମଧ୍ୟ ଖୋଲାଯାଇଥିଲା ।ବାହାର ଭଣ୍ଡାରରୁ ରତ୍ନ ଅଳଙ୍କାର ବାହାର କରାଯାଇ ଶ୍ରୀମନ୍ଦିର ଭିତର ବେଢାରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତରିତ କରାଯାଇଛି । ପରେ ଏହାକୁ ପୁନଃ ସିଲ୍‌ କରାଯାଇଛି । ସେହିପରି ଭିତର ଭଣ୍ଡାରର ତାଲା ନଖୋଲିବାରୁ ଏହାକୁ ଭାଙ୍ଗିବାକୁ ପଡିଛି । ଭିତର ଭଣ୍ଡାର ଖୋଲାଯାଇଥିଲେ ମଧ୍ୟ ସମୟ ଅଭାବରୁ ଅଳଙ୍କାର ସ୍ଥାନାନ୍ତରଣ କରାଯାଇ ପାରିନାହିଁ । ପୁନଃ ଏହାକୁ ନୂଆ ତାଲାରେ ସିଲ୍‌ କରାଯାଇଛି । ଆସନ୍ତାକାଲି ବାହୁଡାଯାତ୍ରା ଥିବା ବେଳେ ନିଳାଦ୍ରୀ ବିଜେ ପର୍ୟ୍ୟନ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କର ବହୁ ନୀତିକାନ୍ତି ରହିଛି । ଭିତର ଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ ପାଇଁ ‘ନିଳାଦ୍ରୀ ବିଜେ’ ପରେ ପୁଣି ଗୋଟିଏ ଦିନ ଧାର୍ୟ୍ୟ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook