ଭୁବନେଶ୍ୱର: ଆଗକୁ ବିଧାନସଭାର ବାଚସ୍ପତି ନିର୍ବାଚନ । ଏନେଇ ଦିନ ଧାର୍ଯ୍ୟ କରାଯାଇଥିବାବେଳେ ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା କଂଗ୍ରେସ ବିଧାୟକ ନରସିଂହ ମିଶ୍ର ବାଚସ୍ପତି ନିର୍ବାଚନକୁ ବୟକଟ କରିବେ ବୋଲି କହିଛନ୍ତି । କେବଳ ସେ ନୁହନ୍ତି କଂଗ୍ରେସର କୌଣସି ବିଧାୟକ ବାଚସ୍ପତି ନିର୍ବାଚନରେ ଭାଗ ନେବେ ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ଶ୍ରୀ ମିଶ୍ର କହିଛନ୍ତି ଯେ ନୂଆଖାଇ ପଶ୍ଚିମ ଓଡ଼ିଶାର ସବୁଠୁ ବଡ଼ ପର୍ବ । ଏହା ୨ ଦିନ ଧରି ପାଳିତ ହାଇଥାଏ । କିନ୍ତୁ ଦୁର୍ଭାଗ୍ୟର କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୧ ତାରିଖରେ ବିଧାନସଭା ଡାକିଛନ୍ତି । ପ୍ରତିବାଦ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି ଯାହା ପଶ୍ଚିମଓଡ଼ିଶା ପ୍ରତି ଉପହାସ । ପଶ୍ଚିମଓଡ଼ିଶାବାସୀଙ୍କ ଭାବାବେଗ ସହ ଖେଳାଯାଉଛି ବୋଲି କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି ।
ପ୍ରକାଶ ଯେ ସେପ୍ଟେମ୍ବର ୨୧ରେ ପ୍ରଥମେ ବାଚସ୍ପତି ନିର୍ବାଚନ ହେବ। ସେପ୍ଟେମ୍ବରରେ ନାମାଙ୍କନ ଦାଖଲ ପାଇଁ ତାରିଖ ଧାର୍ୟ୍ୟ କରାଯାଇଛି । ତେବେ ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ବାଚସ୍ପତି ନିର୍ବାଚନ ହେବା ନେଇ ସୂଚନା ମିଳିଛି । ଏହାପରେ ସେପ୍ଟେମ୍ବର ୨୨ରେ ମୌସୁମୀ ଅଧିବେଶନର ଆରମ୍ଭ ହେବ ।
ସୂଚନା ଅନୁଯାୟୀ, ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ । ଅକ୍ଟୋବର ୪ ଯାଏଁ ଚାଲିବ ଅଧିବେଶନ । ଏଥର ମୋଟ ୧୩ ଦିନର କାର୍ୟ୍ୟ ଦିବସ ରହିଛି । ଏନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଅଧିବେଶନରେ ମୋଟ ୧୩ ଦିନର କାର୍ୟ୍ୟ ଦିବସ ରହିଛି ।
ସେପଟେ ପରବର୍ତ୍ତୀ ବାଚସ୍ପତି କିଏ ହେବ ? ସେନେଇ ଚର୍ଚ୍ଚା ଆଲୋଚନା ଚାଲିଛି । ଜଣେ ମହିଳାଙ୍କ ରାଜ୍ୟର ପରବର୍ତ୍ତୀ ବାଚସ୍ପତି ହେବା ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ଏବେ ଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିଛି । ବାଚସ୍ପତି ପଦରୁ ବିକ୍ରମ ଆରୁଖଙ୍କ ଇସ୍ତଫା ଦେବା ପରଠାରୁ ଖାଲି ପଡିଛି ଏହି ପଦ ।
ମେ’ ୧୨ ତାରିଖରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ମେ’ ୨୨ ତାରିଖରେ ତାଙ୍କୁ ଅର୍ଥ ବିଭାଗ ଦାୟିତ୍ୱ ଦିଆଯାଇଥିଲା। ଏହି ବିଭାଗ ପୂର୍ବରୁ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ହାତରେ ଥିଲା। ନିରଞ୍ଜନ ପୂଜାରୀ ଏବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାରା ମନ୍ତ୍ରୀ ଅଛନ୍ତି। ଗତ ବର୍ଷ ଜୁନ୍ ମାସରେ ବରିଷ୍ଠ ବିଧାୟକ ସୂର୍ୟ୍ୟନାରାୟଣ ପାତ୍ର ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଏହି ଆସନରେ ବସିଥିଲେ ବିକ୍ରମ କେଶରୀ ଆରୁଖ।
Comments ସମସ୍ତ ମତାମତ