ମୁଖ୍ୟ ଖବର
କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ନୂଆବର୍ଷ ଶୁଭେଚ୍ଛା ହୋର୍ଡିଂ ସୃଷ୍ଟି କରିଛି ପ୍ରଶ୍ନବାଚୀ । କୌଣସି ଗୋଟିଏ ବି ହୋର୍ଡିଂରେ କଂଗ୍ରେସ ଦଳର ଚିହ୍ନ କିମ୍ବା ନେତୃତ୍ଵଙ୍କ ଫଟୋ ନାହିଁ ।
କଟକ: ବର୍ଷ ସରୁଛି, ଚର୍ଚ୍ଚା ଥମୁନି । ପୁଣି ଚର୍ଚ୍ଚାରେ ମହମ୍ମଦ ମୋକିମ୍ ଓ ଝିଅ ସୋଫିଆ ଫିର୍ଦ୍ଦୋସ । କଂଗ୍ରେସର କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ନୂଆବର୍ଷ ଶୁଭେଚ୍ଛା ହୋର୍ଡିଂ ସୃଷ୍ଟି କରିଛି ପ୍ରଶ୍ନବାଚୀ ।କଟକର ବିଭିନ୍ନ ସ୍ଥାନରେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଏବଂ ଏବେର କଂଗ୍ରେସ ବିଧାୟିକା ସୋଫିଆଙ୍କ ଫଟୋ ଥାଇ ନୂଆବର୍ଷ ଶୁଭେଚ୍ଛା ହୋର୍ଡିଂ ଲାଗିଛି । ହେଲେ କୌଣସି ଗୋଟିଏ ବି ହୋର୍ଡିଂରେ କଂଗ୍ରେସ ଦଳର ଚିହ୍ନ କିମ୍ବା ନେତୃତ୍ଵଙ୍କ ଫଟୋ ନାହିଁ ।
ସହରରେ ଲାଗିଥିବା ବଡ଼ ବଡ଼ ହୋର୍ଡିଂର ଡାହାଣ ପାର୍ଶ୍ଵରେ ମହମ୍ମଦ ମୋକିମ୍ ଏବଂ ବାମ ପାର୍ଶ୍ଵରେ ରହିଛି ସୋଫିଆଙ୍କ ଫଟୋ । ତେବେ ଏହି ହୋର୍ଡିଂ କିଏ ଲଗାଇଛି ତାହା ସ୍ପଷ୍ଟ ହୋଇ ନାହିଁ । ହୋର୍ଡିଂ ମହମ୍ମଦ ମୋକିମ୍ ଲଗାଇଛନ୍ତି ନା ସୋଫିଆ ଫିର୍ଦ୍ଦୋସ ଲଗାଇଛନ୍ତି ଜଣାପଡ଼ିନି ।କଂଗ୍ରେସର ଚିହ୍ନ ଏବଂ ନେତାଙ୍କ ଫଟୋ ନଥାଇ ମୋକିମ୍ ଓ ସୋଫିଆଙ୍କ ନୂଆବର୍ଷ ଶୁଭେଚ୍ଛା ହୋର୍ଡିଂ ଦଳ ଭିତରେ ଦ୍ଵନ୍ଦ୍ଵ ସୃଷ୍ଟି କରିଛି । ନିକଟରେ କଂଗ୍ରେସ ମହମ୍ମଦ ମୋକିମ୍ଙ୍କୁ ଦଳରୁ ବହିଷ୍କାର କରିଥିଲା । ଯାହାପରେ ମୋକିମ୍ କହିଥିଲେ, "ଦଳ ମୋତେ ବହିଷ୍କାର କରିଛି କିନ୍ତୁ ମୁଁ ରାଜନୀତିରେ ଅଛି, ଲୋକଙ୍କ ସହ ଅଛି ।"
ଦଳ ବାପାଙ୍କୁ ବହିଷ୍କାର କରିଥିବା ବେଳେ ଏବେ ବି ଝିଅ ସୋଫିଆ ଫିର୍ଦ୍ଦୋସ କଂଗ୍ରେସରେ ଅଛନ୍ତି । ଆଉ ଏବେ ଦଳରେ ଥାଇ ସୋଫିଆଙ୍କ ନୂଆବର୍ଷ ଶୁଭେଚ୍ଛା ବାର୍ତ୍ତା କଂଗ୍ରେସ କର୍ମୀଙ୍କୁ ଦ୍ଵନ୍ଦ୍ଵରେ ପକାଇଛି । ଏନେଇ ମହମ୍ମଦ ମୋକିମ୍ କିମ୍ବା ସୋଫିଆ ଫିର୍ଦ୍ଦୋସଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
ସେପଟେ ସୋଫିଆ ଫିର୍ଦ୍ଦୋସଙ୍କ ବାସଭବନରେ ମୋକିମ ମେଳି ବାନ୍ଧିଛନ୍ତି । କିଛି ବିଦ୍ରୋହୀ କଂଗ୍ରେସ ନେତା ଓ ବସ୍ତି ନେତାଙ୍କୁ ନେଇ ବୈଠକ କରିଛନ୍ତି ବରିଷ୍ଠ ନେତା ମହମ୍ମଦ ମୋକିମ୍ । ତେବେ ବଡ଼ କଥା ହେଉଛି, ବୈଠକଟି ୪ ନମ୍ବର ଏମଏଲଏ କଲୋନୀରେ ଥିବା କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ସରକାରୀ ବାସଭବନରେ ହୋଇଛି । ଯାହାକୁ ନେଇ ଚର୍ଚ୍ଚା ବାପା ମୋକିମଙ୍କ ରାସ୍ତାରେ ଯାଉଛନ୍ତି କି ଝିଅ ସୋଫିଆ ?
Comments ସମସ୍ତ ମତାମତ