ମୁଖ୍ୟ ଖବର
ଭୁବନେଶ୍ବର: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ଏସ. ଗୋପାଳନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ସ୍ୱତନ୍ତ୍ର ସଘନ ସଂଶୋଧନ ବା ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ ବା ଏସଆଇଆର ପ୍ରକ୍ରିୟାକୁ ସୁଚାରୁ ରୂପେ ପରିଚାଳନା ଓ ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ ତଥା ତ୍ରୁଟିଶୂନ୍ୟ କରିବା ଲକ୍ଷ୍ୟରେ ଏହି ଆଲୋଚନା ହୋଇଛି । ଏଥିରେ ରାଜ୍ୟର ସମସ୍ତ ୭ଟି ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ବରିଷ୍ଠ ପ୍ରତିନିଧିମାନେ ଯୋଗ ଦେଇଛନ୍ତି ।
ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ ଗୋପାଳନ ଏସଆଇଆର ପ୍ରକ୍ରିୟାର ବିଭିନ୍ନ ବୈଷୟିକ ଓ ପ୍ରଶାସନିକ ଦିଗ ଉପରେ ଆଲୋକପାତ କରିଛନ୍ତି । ଏକ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୋଗ୍ୟ ଭୋଟରଙ୍କ ନାମ ସାମିଲ କରିବା ଏବଂ ସାମଗ୍ରିକ ଭୋଟର ତାଲିକାର ଶୁଦ୍ଧତା ବଜାୟ ରଖିବାରେ ରାଜନୈତିକ ଦଳଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ପ୍ରକାଶ କରିଛନ୍ତି । ଏଥିସହିତ ପ୍ରତିଟି ମତଦାତା କେନ୍ଦ୍ର ଗୁଡିକରେ ବୁଥ୍ ସ୍ତରୀୟ ଏଜେଣ୍ଟ ବା ବିଏଲଏ ନିଯୁକ୍ତି କରି ପ୍ରକ୍ରିୟାକୁ ଅଧିକ ସହଯୋଗୀ କରିବାକୁ ସେ ଦଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି ।
ଆଲୋଚନା ସମୟରେ ଉପସ୍ଥିତ ରାଜନୈତିକ ଦଳର ପ୍ରତିନିଧିମାନେ ଏସଆଇଆର କାର୍ୟ୍ୟକ୍ରମକୁ ନେଇ ନିଜ ନିଜର ମତାମତ ଓ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ନୂତନ ଭୋଟରଙ୍କ ପଞ୍ଜୀକରଣ, ପ୍ରବାସୀ ଭୋଟରଙ୍କ ସମସ୍ୟା ଏବଂ ତାଲିକାରୁ ମୃତ ଓ ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ୍ ଦେବା ଭଳି ପ୍ରସଙ୍ଗରେ ଦଳଗୁଡ଼ିକ ପକ୍ଷରୁ ଗଠନମୂଳକ ଆଲୋଚନା ହୋଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ପ୍ରତିନିଧିଙ୍କ ପ୍ରସ୍ତାବକୁ ସନ୍ତୋଷଜନକ ଭାବେ ଗ୍ରହଣ କରିଛନ୍ତି । ଆଗାମୀ ଦିନରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା, ବିଜେଡି ସାଧାରଣ ସମ୍ପାଦକ ବିଜୟ ନାୟକ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆର ଏସ ଗୋପପାଳନଙ୍କ ସମେତ ଅତିରିକ୍ତ ସିଇଓ ସୁଶାନ୍ତ କୁମାର ମିଶ୍ର, ଯୁଗ୍ମ ସିଇଓ ଗୋପୀନାଥ କୁଅଁର, ଡେ଼ପୁଟି ସିଇଓ ଡ.ଲଷ୍ମୀପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଓଡ଼ିଶାରେ ଆରମ୍ଭ ହେବ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସଆଇଆର । ଆସନ୍ତା ୩୦ ତାରିଖରୁ ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ ବୁଥ ସ୍ତରୀୟ ଅଧିକାରୀ ବା ବିଏଲଓ । ବୁଧବାର ସୁଦ୍ଧା ୩ କୋଟି ୧୬ ଲକ୍ଷ ୭ ହଜାର ୪୧୬ ଜଣଙ୍କର ମ୍ୟାପିଂ ହୋଇଛି । ଅର୍ଥାତ ୨୦୨୫ ଭୋଟର ତାଲିକା ସହ ୨୦୦୨ ତାଲିକାର ମେଳ କରାଯାଇଛି । ଅର୍ଥାତ ଏବେ ସୁଦ୍ଧା ରାଜ୍ୟରେ ୯୪.୬୧ % ଭୋଟରଙ୍କର ମ୍ୟାପିଂ ସରିଛି । ବଳକା ୧୮ ଲକ୍ଷ ୭ ହଜାର ୪୫୨ ଜଣଙ୍କର ହୋଇନାହିଁ ମ୍ୟାପିଂ ।
Comments ସମସ୍ତ ମତାମତ