ମୁଖ୍ୟ ଖବର
ମୁମ୍ବଇ: ମହାରାଷ୍ଟ୍ରରେ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନର ଫଳାଫଳ ଘୋଷିତ ହୋଇସାରିଛି। ତେବେ ବ୍ରିହନ ମୁମ୍ବଇ ମ୍ୟୁନିସିପାଲ କର୍ପୋରେସନ (ବିଏମ୍ସି) ଉପରେ ସମସ୍ତଙ୍କର ନଜର ରହିଛି। ବିଏମ୍ସିର ମୋଟ ୨୨୭ଟି ୱାର୍ଡ ମଧ୍ୟରୁ ବିଜେପି ଏକାକୀ ୮୯ଟି ଆସନରେ ବିଜୟୀ ହୋଇଥିବାବେଳେ ଏହାର ସହଯୋଗୀ ଦଳ ଶିବସେନା (ସିନ୍ଦେ ଗୋଷ୍ଠୀ) ୨୯ ଏବଂ ଅଜିତ ପୱାରଙ୍କ ନେତୃତ୍ବାଧିନ ଏନ୍ସିପି ୩ଟି ଆସନ ହାତେଇ ପାରିଛି। ମେୟର ପଦ ପାଇଁ ଅତିକମରେ ୧୧୪ କାଉନସିଲରଙ୍କ ସମର୍ଥନ ଜରୁରୀ ହୋଇପଡିଛି। ବିଜେପିର ଏକକ ସଂଖ୍ୟାଗରିଷ୍ଠତା ନଥିବାରୁ ମେୟର ପଦ ପାଇଁ ଏହା ସହଯୋଗୀ ଦଳ ଉପରେ ନିର୍ଭର କରିବା ସ୍ବାଭାବିକ।
ଅନ୍ୟପଟରେ ବିରୋଧୀ ମେଣ୍ଟର ଶିବସେନା (ଉଦ୍ଧବ ଗୋଷ୍ଠୀ) ୬୫ ଆସନରେ ବିଜୟୀ ହୋଇଥିବାବେେଳ ରାଜ ଠାକ୍ରେଙ୍କ ଏମଏନଏସ ୬, ଶରଦ ପୱାରଙ୍କ ଏନସିପି ଗୋଟିଏ, କଂଗ୍ରେସ ୨୪, ଏଆଇଏମଆଇଏମ ୮ ଓ ସମାଜବାଦୀ ପାର୍ଟି ୨ଟି ଆସନରେ ବିଜୟୀ ହୋଇଛି। ଯଦି ବିରୋଧୀ ଦଳ ଏକାଠି ହୁଅନ୍ତି, ତେବେ ସେମାନଙ୍କର କାଉନସିଲର ସଂଖ୍ୟା ୧୦୬ ଛୁଇଁବ। ତେଣୁ ମେୟର ପଦ ପାଇଁ ସିନ୍ଦେ ଗୋଷ୍ଠୀ କିଙ୍ଗ୍ମେକର ଭୂମିକା ତୁଲାଇବ ବୋଲି ଅନୁମାନ କରାଯାଉଛି। କାଳେ ବିଜେପି ପକ୍ଷରୁ ଦଳୀୟ ବିଜେତା ପ୍ରାର୍ଥୀଙ୍କୁ ପ୍ରଲୋଭିତ କରାଯିବ, ସେହି ଆଶଙ୍କାରେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନିର୍ଦେଶରେ ସେମାନଙ୍କୁ ଏକ ପଞ୍ଚତାରକା ହୋଟେଲକୁ ସ୍ଥାନାନ୍ତର କରାଯାଇଛି। ବିଜେପିକୁ ମେୟର ପଦ ନ ଛାଡିବାକୁ ସିନ୍ଦେ ଗୋଷ୍ଠୀର କାଉନସିଲରମାନେ ଦାବି କରିଛନ୍ତି। ପୂର୍ବରୁ ମେୟର ପଦ ଶିବସେନା ହାତରେ ରହିଥିଲା। ତେଣୁ ଏଥର ମଧ୍ୟ ମେୟର ପଦ ସେମାନଙ୍କୁ ମିଳୁ ବୋଲି ସେମାନେ ଆଶାବାଦୀ ଅଛନ୍ତି। ବିଜେପି ସହ କୌଣସି ସାଲିସ ନ କରିବାକୁ ସିନ୍ଦେଙ୍କ ଉପରେ ଚାପ ପଡୁଛି।
Comments ସମସ୍ତ ମତାମତ