ମୁଖ୍ୟ ଖବର
ଭୁବନେଶ୍ୱର: ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ‘ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା’ର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର (SOP) ଜାରି କରିଛନ୍ତି ଓଡ଼ିଶା ସରକାର। ଏହି SOP ଅନୁଯାୟୀ, ଛାତ୍ରବୃତ୍ତି ରାଶି ହିତାଧିକାରୀଙ୍କୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (DBT) ମାଧ୍ୟମରେ ପ୍ରଦାନ କରାଯିବ।
ଯଦି କୌଣସି ଛାତ୍ରଛାତ୍ରୀ ଗୋଟିଏ ବର୍ଷ ଇ-ସ୍କଲାରସିପ୍ ପାଇବା ପରେ ଶିକ୍ଷାନୁଷ୍ଠାନ ଛାଡ଼ି ନୂତନ କଲେଜରେ ଯୋଗ ଦିଅନ୍ତି, ତେବେ ସେ ନୂଆ ଅନୁଷ୍ଠାନରେ ପ୍ରଥମ ବର୍ଷ ପାଇଁ ଛାତ୍ରବୃତ୍ତି ପାଇବାକୁ ଯୋଗ୍ୟ ହେବେ ନାହିଁ। ତେବେ, ନୂତନ ଅନୁଷ୍ଠାନରେ ବଳକା କୋଟା ଉପଲବ୍ଧ ଥିଲେ, ସେ ଦ୍ୱିତୀୟ ବର୍ଷରୁ ଏହି ଛାତ୍ରବୃତ୍ତି ପାଇପାରିବେ।ଛାତ୍ରବୃତ୍ତି ପାଇଁ ଯୋଗ୍ୟ ବିବେଚିତ ହେବାକୁ ହିତାଧିକାରୀମାନେ ସେମାନଙ୍କର ଶିକ୍ଷାଗତ ରେକର୍ଡ, ପ୍ରବେଶିକା ପରୀକ୍ଷା ମାର୍କସିଟ୍, କିମ୍ବା ଟ୍ରାନ୍ସକ୍ରିପ୍ଟ ଦାଖଲ କରିବେ।
ଓଡ଼ିଶା ବାହାରର ଛାତ୍ରଛାତ୍ରୀ କିମ୍ବା non-SAMS ଅନୁଷ୍ଠାନରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନେ ସେମାନଙ୍କ ମାର୍କସିଟ୍କୁ DigiLocker ମାଧ୍ୟମରେ ଅପଲୋଡ୍ କରିବା ବାଧ୍ୟତାମୂଳକ। SOP ଅନୁଯାୟୀ, ସ୍ନାତକ ପାଠ୍ୟକ୍ରମ ପାଇଁ ୨୫ ବର୍ଷରୁ ଅଧିକ ଏବଂ ସ୍ନାତକୋତ୍ତର, ବୈଷୟିକ, ଏବଂ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ୩୦ ବର୍ଷରୁ ଅଧିକ ବୟସର ଛାତ୍ରଛାତ୍ରୀ ଇ-ସ୍କଲାରସିପ୍ ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ।
ଜିଲାପାଳଙ୍କ ଦ୍ୱାରା ଗଠିତ ଏକ କମିଟି ଯୋଗ୍ୟ ହିତାଧିକାରୀଙ୍କ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରିବ। ଏହି କମିଟି ଆବଶ୍ୟକୀୟ ପ୍ରମାଣପତ୍ର ଯାଞ୍ଚ କରିବ ଏବଂ ନିର୍ଦ୍ଧାରିତ ଫର୍ମାଟରେ ସ୍ୱାକ୍ଷରିତ ତାଲିକା ଦାଖଲ କରିବ। ରାଜ୍ୟ ସ୍କଲାରସିପ୍ ପୋର୍ଟାଲରେ ଅନ୍ତର୍ଭୁକ୍ତ ହେବାକୁ ଚାହୁଁଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ଇ-ମେଲ୍ ମାଧ୍ୟମରେ ଉଚ୍ଚଶିକ୍ଷା ବିଭାଗକୁ ଆନୁଷ୍ଠାନିକ ଭାବେ ଅନୁମୋଦନ ପାଇଁ ଅନୁରୋଧ କରିବେ।
Comments ସମସ୍ତ ମତାମତ