ମୁଖ୍ୟ ଖବର
ଭୁବନେଶ୍ୱର: ଜାତୀୟ ରାଜପଥ (ଏନ୍ଏଚ୍) ହେଉ କି ରାଜ୍ୟ ରାଜପଥ । ମୁଖ୍ୟ ରାସ୍ତାରେ ବାଲି ବିଛାଡ଼ି ହୋଇପଡୁଛି । ବାଲି ଚୋରା ଚାଲାଣ ବେଳେ ରାସ୍ତାରେ ଢାଳି ହୋଇପଡ଼ୁଛି । ଆଉ କିଛି ଜାଗାରେ ରାସ୍ତା ଉପରେ ମାଟି ଜମି ରହୁଛି । ବାଇକ୍ ବା ସ୍କୁଟରରେ ଯିବାବେଳେ ଚକା ଖସି ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି । ଏଥିରେ ବହୁ ଜୀବନ ଗଲାଣି । ଏବେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍ଟିଏ)ର ନିଦ ଭାଙ୍ଗିଛି । ବାଲି ହଟାଇବା ପାଇଁ ନିୟମିତ ରାସ୍ତା ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ), ରାଜ୍ୟ ଅଧୀନରେ ଥିବା ଜାତୀୟ ରାଜପଥ ଓ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶନାମା ଜାରି କରିଛି ଏସ୍ଟିଏ । ସବୁ ମହାନଗର ନିଗମ, ପୌରପାଳିକା ଓ ଏନ୍ଏସିକୁ ତାଗିଦ୍ କରାଯାଇଛି । ରାସ୍ତା ଉପରେ ବାଲି, ମାଟି ଓ କଂକ୍ରିଟ୍ ବର୍ଜ୍ୟ ଜମି ରହୁଥିବାରୁ ଏହା ଖସଡ଼ା ସୃଷ୍ଟି କରୁଛି । ଦୁଇଚକିଆ ଏହା ଉପର ଦେଇ ଗଲେ ଟାୟାର ଖସିଯାଉଛି । ଟାୟାରର ଗ୍ରିପ୍ ମଧ୍ୟ ନଷ୍ଟ ହେଉଛି । ଏହି କାରଣ ପାଇଁ ଗତ କିଛି ଦିନ ହେବ ବହୁ ଦୁର୍ଘଟଣା ଘଟି ସାରିଲାଣି । ଏହାକୁ ନେଇ ଏସ୍ଟିଏ ଉ ପ୍ରକାଶ କରିଛି ।
ଯେଉଁ ରାସ୍ତାର ଦାୟିତ୍ୱ ଯେଉଁ ବିଭାଗ ଅଧୀନରେ ଅଛି, ତାକୁ ସଂପୃକ୍ତ ବିଭାଗ ନିୟମିତ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୁଣି ସଂପୃକ୍ତ ଅଞ୍ଚଳ ଯେଉଁ ମହାନଗର ନିଗମ ବା ଅନ୍ୟ ପୌରାଞ୍ଚଳ ଅଧୀନରେ ଆସୁଛି, ତାକୁ ସେମାନେ ନିୟମିତ ସଫା କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ରାସ୍ତାକୁ ସଫା ରଖି ଏଥିରେ ସୁବିଧା ଗାଡ଼ି ଚଳାଚଳ କରାଇବା ସହ ଏହାକୁ ବିପଦମୁକ୍ତ କରିବାକୁ କୁହାଯାଇଛି । ମୋଟର ଗାଡ଼ି ଆଇନ ୧୯୮୮ର ଧାରା ୧୩୮ ଅନୁସାରେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା କର୍ତ୍ତୃପକ୍ଷ ରାସ୍ତାରେ ସୁରକ୍ଷିତ ଗାଡ଼ି ଚଳାଚଳ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବେ । ରାସ୍ତାରେ ଯେଭଳି ବିପଦ ସୃଷ୍ଟି ହେବନି ତାକୁ ନିଶ୍ଚିତ କରିବେ ।
ଇଣ୍ଡିଆନ ରୋଡ୍ସ କଂଗ୍ରେସ (ଆଇଆର୍ସି) କୋଡ୍ ଓ ରାଜମାର୍ଗ ମନ୍ତ୍ରାଳୟର ନିୟମ ଅନୁସାରେ, ରାସ୍ତାର ଚଟାଣ ସଫା ରହିବ ଓ ସ୍କିଡ୍ ରେସିଷ୍ଟାଣ୍ଟ ବା ଖସଡ଼ାମୁକ୍ତ ହେବ । ରାସ୍ତାରେ ବାଲି ବା ମାଟି ଜମିବାକୁ ପରିଚାଳଗତ ତ୍ରୁଟି ଭାବେ ଧରାଯିବ । ରାଜ୍ୟ ଓ ଜାତୀୟ ରାଜପଥକୁ କିଛି ଦିନ ବ୍ୟବଧାନରେ ଯାନ୍ତ୍ରିକ ସଫେଇ କରିବାକୁ ନିୟମ ଅଛି । ଏହାକୁ କଡ଼ାକଡ଼ି ପାଳନ କରିବାକୁ ଏସଟିଏ ନିର୍ଦ୍ଦେଶ ଦେଇଛି । ରାସ୍ତା ଉପରେ ବାଲି/ମାଟି ପଡ଼ିଥିଲେ ତୁରନ୍ତ ଟ୍ରାଫିକ ସତର୍କତା ପାଇଁ ସାଇନ ବୋର୍ଡ ବା ବ୍ୟାରିକେଡ୍ ଲଗାଇବା ବାଧ୍ୟତାମୂଳକ । ସେହିଭଳି ରାସ୍ତା କରୁଥିବା ବିଭିନ୍ନ ବିଭାଗ ନିଜ ଅଧୀନରେ ଥିବା ସମ୍ବେଦନଶୀଳ ରାସ୍ତାର ତାଲିକା କରିବେ । ଏହି ଅଞ୍ଚଳର ସୁରକ୍ଷା ସହ ନିୟମିତ ସଫେଇକୁ ଧ୍ୟାନ ଦେବାକୁ ଏସଟିଏ ନିର୍ଦ୍ଦେଶ ଦେଇଛି । ଏହି ନିୟମ ପାଳନ ହେଉଛି କି ନା, ତାକୁ ନିୟମିତ ଯାଞ୍ଚ କରିବାକୁ ଆର୍ଟିଓ ଏବଂ ପୁଲିସ ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
Comments ସମସ୍ତ ମତାମତ