ମୁଖ୍ୟ ଖବର
ଭୁବନେଶ୍ବର: ରାଜ୍ୟସ୍ତରୀୟ ସାଧାରତନ୍ତ୍ର ଦିବସ ପାଇଁ ଶେଷ ପର୍ୟ୍ୟାୟରେ ପ୍ରସ୍ତୁତି । ସଜେଇ ହେଉଛି ରାଜଧାନୀ ଭୁବନେଶ୍ବରର ମହାତ୍ମା ଗାନ୍ଧି ମାର୍ଗ । ଓଡିଶା ପୋଲିସ ଓ ପ୍ରଶାସନର ଦ୍ୱାରା ଆୟୋଜିତ ଏହି ରାଜ୍ୟସ୍ତରୀୟ ସମାରୋହ ପାଇଁ ସରିଛି ଫୁଲଡ୍ରେସ ରିହର୍ସାଲ । ଏଥର ଶୁଭିବ ଢେମସା ବାଦ୍ୟ ଦେଖିବାକୁ ମିଳିବ ଶିବ ତାଣ୍ଡବ ଏବଂ ଓଡ଼ିଶା-ଝାଡ଼ଖଣ୍ଡ ପୋଲିସର ଚିତ୍ତାକର୍ଷକ ପରେଡ୍ । ସେପଟେ ଗୋଟିଏ ଦିନ ପୂର୍ବରୁ ପୋଲିସ ଡିଜି ୱା.ବି ଖୁରାନିଆ ପହଞ୍ଚି ପରେଡ ରିହଲସଲ ଓ ଆୟୋଜନର ତଦାରଖ କରିଛନ୍ତି ।
ଏନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି,"ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ବନ୍ଦୋବସ୍ତ କରାଯାଉଛି । ଏନେଇ ପୋଲିସ ଡିଜିପି ଏହାର ତଦାରଖ କରିଛନ୍ତି । ବିଶେଷ କରି କିପରି ପରେଡ ଚିତ୍ତାକର୍ଷକ ହେବ ସେନେଇ ବିଭିନ୍ନ ଦିଗକୁ ନେଇ ମଧ୍ୟ ନିଜର ମତାମତ ରଖିଛନ୍ତି । ଏହା ସହିତ ଯେହେତୁ ରାଜ୍ୟସ୍ତରୀୟ କାର୍ୟ୍ୟକ୍ରମ, ସେନେଇ ରାଜ୍ୟପାଳ ମଧ୍ୟ ଯୋଗଦେବାର କାର୍ୟକ୍ରମ ରହିଛି । ଭିଭିଆଇପିଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଏବଂ ଟ୍ରାଫିକ ସୁପରିଚାଳନା ବ୍ୟବସ୍ଥା କରାଯାଇଛି । ଏହା ସହ ସନ୍ଦିଗ୍ଧ ଗତିବିଧି ଉପରେ ମଧ୍ୟ କଡ଼ା ନଜର ସହ ବାରମ୍ବାର ସେହଦିଗରେ ମଧ୍ୟ ତର୍ଜମା କରାଯାଉଛି ।"ଚଳିତ ବର୍ଷ ପରେଡରେ ୪୩ଟି କଣ୍ଟିଜେଣ୍ଟ ଅଂଶଗ୍ରହଣ କରିବେ । ସବୁ ବର୍ଷ ପରି ପଡୋଶୀ ରାଜ୍ୟର ଝାଡଖଣ୍ଡ ପୋଲିସ ଅତିଥି ଭାବେ ପରେଡରେ ସାମିଲ ହେବ । ସମନ୍ୱୟ ରକ୍ଷା ପାଇଁ ସବୁ ବର୍ଷ ପଡୋଶୀ ରାଜ୍ୟ ପୋଲିସ ଅଂଶଗ୍ରହଣ କରିଥାନ୍ତି । ସେହିପରି କେନ୍ଦ୍ରୀୟ ଫୋର୍ସ ୧୨୦ ବାଟାଲିୟନ, ବିଏସଏଫ, ଆଇଟିବିପି, ସିଆରପିଏଫ, ସିଆରପିଏଫ ବ୍ୟାଣ୍ଡ, ସହ ରାଜ୍ୟର ଭୁବନେଶ୍ୱର ଏସଏସବିଏନ, ଏସଓଜି ଚନ୍ଦକା, ଓଆଇଏସଫ,ଆମର୍ଡ ପୋଲିସ, କମିଶନରେଟ ଟ୍ରାଫିକ ପୋଲିସ, କଟକ ଓଏସଏପି , ଓଡ୍ରାଫ, ଓଆଇଏସଫ, ଫାୟାର, ହୋମଗାର୍ଡ, ଅନେକ ସରକାରୀ ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ସମେତ ମହର୍ଷି ଡେୟାର ଡେଭିଲସର ସ୍ବତନ୍ତ୍ର ଟିମ ମଧ୍ୟ ଭାଗନେବେ ।
Comments ସମସ୍ତ ମତାମତ