Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଜି ହେରା ପଞ୍ଚମୀ ନୀତି

    Share on :
    ajab-Image
    Date: Jul 20, 2026    Views: 3178

     ପୁରୀ: ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ରଥଯାତ୍ରା ଦିନ ପ୍ରାଣପ୍ରିୟା ପତ୍ନୀଙ୍କୁ ଛାଡି ଭାଇ-ଭଉଣୀଙ୍କୁ ସାଙ୍ଗରେ ଘେନି ମାଉସୀମା ଘରକୁ ଆସିଛନ୍ତି କାଳିଆ ସାଆନ୍ତ । ଏଥିପାଇଁ ମହାପ୍ରଭୁଙ୍କ ଉପରେ ଅଭିମାନ କରି ହଟିଆ ଠାକୁରଙ୍କ ରଥ ଭାଙ୍ଗିବେ ମା’ ଲକ୍ଷ୍ମୀ ସାଆନ୍ତାଣୀ । ଦାମ୍ପତ୍ୟ କଳହର ଅପରୂପ ଦୃଶ୍ୟ ଦେଖିବ ବିଶ୍ବ । ଆଜି ମହାପ୍ରଭୁଙ୍କ ରଥଯାତ୍ରାର ଏକ ଅନନ୍ୟ ନୀତି ହେରା ପଞ୍ଚମୀ ଅନୁଷ୍ଠିତ । ଏଥିପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ । ମହାପ୍ରଭୁଙ୍କ ମାନବୀୟ ଲୀଳାକୁ ଦେଖିବା ହଜାର ହଜାର ଭକ୍ତଙ୍କ ମଧ୍ୟରେ ରହିଛି ଉତ୍କଣ୍ଠା ।

    ଶ୍ରୀମନ୍ଦିର ଛାଡି ୯ ଦିନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ବା ଜନ୍ମବେଦୀକୁ ଯାତ୍ରା କରିଛନ୍ତି ମହାପ୍ରଭୁ । ପୂରାଣ ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିରକୁ ଫେରାଇ ଆଣିବା ପାଇଁ ଭଗବତୀ ଦେବୀ ଲକ୍ଷ୍ମୀ ନିଜର ବଡ଼ ଭଉଣୀ ଦେବୀ ବିମଳାଙ୍କ ପରାମର୍ଶ ଲୋଡ଼ନ୍ତି । ଘୋଷଯାତ୍ରାର ପଞ୍ଚମ ଦିବସ ତଥା ଆଷାଢ଼ ଶୁକ୍ଳ ଷଷ୍ଠୀ ଦିନ ଏହି ବିଶେଷ ନୀତି ଅନୁଷ୍ଠିତ ହୋଇଥାଏ । ପରମ୍ପରା ଅନୁଯାୟୀ, ଦେବୀ ବିମଳା ସ୍ବାମୀଙ୍କୁ ଆୟତ୍ତକୁ ଆଣିବା ପାଇଁ ସ୍ବତନ୍ତ୍ର ମନ୍ତ୍ରିତ ମୋହ ଚୁର୍ଣ୍ଣ ଦେଇ ଗୁଣ୍ଡିଚା ମନ୍ଦିର ଯାତ୍ରା ନେଇ ପରାମର୍ଶ ଦେଇଥାନ୍ତି ।
    ହେରା ପଞ୍ଚମୀ ଦିନ ଶ୍ରୀମନ୍ଦିର ଭଣ୍ଡାର ଘରେ ବିଜେ ହୋଇଥିବା ଲକ୍ଷ୍ମୀ ଠାକୁରାଣୀଙ୍କୁ ମହାଜନ ସେବକମାନେ ପାଟ ଶାଢ଼ୀ, ଅଳଙ୍କାର ଆଦିରେ ସଜାଇଥାନ୍ତି । ପରେ ଏକ ସ୍ବତନ୍ତ୍ର ବିମାନରେ ଘଣ୍ଟ, କାହାଳୀ, ଛତା ସହ ବଡ଼ ଦାଣ୍ଡ ଦେଇ ଗୁଣ୍ଡିଚା ଘରକୁ ଯାତ୍ରା କରନ୍ତି । ସେଠାରେ ମା’ ଲକ୍ଷ୍ମୀଙ୍କୁ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ । ମହାପ୍ରଭୁଙ୍କର ସନ୍ଧ୍ୟା ଧୂପ ପରେ ଆଡ଼ପ ମଣ୍ଡପରେ ଦେଢ଼ଶୁର ଶ୍ରୀବଳଭଦ୍ର ଥିବାରୁ ମା’ ଲକ୍ଷ୍ମୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆଡ଼ ଆଖରେ ଚାହିଁଥାନ୍ତି ।
    ମହାପ୍ରଭୁ ଅଭିମାନିନୀ ପ୍ରିୟାଙ୍କ କ୍ରୋଧକୁ ଜାଣି ପାରି ଶାନ୍ତ କରିବା ପାଇଁ ଅଧର ଚୁମ୍ବିତ ମାଳ ପ୍ରଦାନ କରିଥାନ୍ତି । ତଥାପି ମାନିନୀଙ୍କ ମାନ ଭଞ୍ଜନ ହୁଏନା, ଗୁଣ୍ଡିଚା ଘର ନାକଚଣା ଦ୍ବାର, ବଡ଼ ଦାଣ୍ଡ ଦେଇ ଗୋହିରୀ ସାହି ପଟେ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରନ୍ତି । ପ୍ରତ୍ୟାବର୍ତ୍ତନ ସମୟରେ ଭଗବତୀ ଲକ୍ଷ୍ମୀ ନନ୍ଦିଘୋଷ ରଥ ନିକଟକୁ ଯାଇ ଅଭିମାନରେ ରଥର ଏକ ଅଂଶକୁ ଭାଙ୍ଗି ଦେଇଥିବା ପରମ୍ପରା ରହିଛି । ଭଗବତୀ ଲକ୍ଷ୍ମୀ କ୍ରୋଧରେ ପ୍ରଭୁ ଜଗନ୍ନାଥଙ୍କ ରଥ ଭାଙ୍ଗି ଦିଅନ୍ତି କିନ୍ତୁ ରାଗ ଶାନ୍ତ ପରେ ଏ ନେଇ ପଶ୍ଚାତାପ କରିବା ସହ ବଡ଼ ଦାଣ୍ଡରେ ନଯାଇ ହେରା ଗୋହିରୀ ସାହି ଦେଇ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିଥିବା ପ୍ରଥା ରହିଛି ।
    ଦେବୀ ବିମଳା ଦେଇଥିବା ମୋହ ଚୂର୍ଣ୍ଣ ମନ୍ତ୍ରରେ ସତକୁ ସତ ମନ୍ତ୍ରିତ ହୋଇଯାଇଥାନ୍ତି କାଳିଆ ଠାକୁର । ଆଡପ ମଣ୍ଡପରେ ତାଙ୍କର ଆଉ ମନ ନଲାଗିବାରୁ ବଡଭାଇଙ୍କୁ ଫେରିଯିବାର ପ୍ରସ୍ତାବ ଦିଅନ୍ତି । ଏହାପରେ ମହାପ୍ରଭୁଙ୍କ ଆଜ୍ଞା ମାଳ ବିଜେ ପରେ ରଥକୁ ଦକ୍ଷିଣମୋଡ଼ କରାଯାଇ ବାହୁଡା ଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ ହୁଏ । ତେବେ ମହାପ୍ରଭୁଙ୍କର ଏହି ନୀତିରୁ ଜଣାପଡେ ଦାମ୍ପତ୍ୟ ଜୀବନରେ ଅନେକ ମାନ ଅଭିମାନ କଳହ ସତ୍ତ୍ବେ ପତି-ପତ୍ନୀ ନିଜ ଭିତରେ ବୁଝାମଣା କରି ସମାଧାନ କରିବା ସହ ପରସ୍ପର ପ୍ରତି ସମର୍ପିତ ରହିବା ଉଚିତ ।
    ସେପଟେ ଏତିକିରେ ମହାଲକ୍ଷ୍ମୀଙ୍କ ମାନ ଭଞ୍ଜନ ହୋଇନଥାଏ । ନୀଳାଦ୍ରି ବିଜେ ଦିନ ମଧ୍ୟ ବଡ଼ ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ସୁଭଦ୍ରା ଶ୍ରୀମନ୍ଦିରକୁ ବିଜେ ପରେ ଯେତେବେଳେ ମହାପ୍ରଭୁ ଯାଇଥାନ୍ତି ଲକ୍ଷ୍ମୀ ସାଆନ୍ତାଣୀ ଅଭିମାନରେ ସିଂହଦ୍ବାର କବାଟ ବନ୍ଦ କରି ଦେଇଥାନ୍ତି । ପରେ ମହାପ୍ରଭୁ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରି ଶ୍ରୀମନ୍ଦିର ପ୍ରବେଶ କରିବାର ପରମ୍ପରା ରହିଛି ।

    Maximum 500 characters

    ତାଜା ଖବର View all

    Find Us on Facebook