ଭୁବନେଶ୍ୱର: ଶ୍ରୀକ୍ଷେତ୍ରରେ ବାରମାସରେ ତେରଯାତ୍ରା ମଧ୍ୟରୁ ସାରାବିଶ୍ୱପ୍ରସିଦ୍ଧ ଅଦ୍ୱିତୀୟ ଯାତ୍ରା ହେଉଛି ରଥଯାତ୍ରା । ବ୍ରହ୍ମପୁରାଣ ମତରେ ରଥଯାତ୍ରା ହିଁ ଦ୍ୱିତୀୟ ଶତାବ୍ଦୀର ବୋଲି ସ୍ପଷ୍ଟ ପ୍ରମାଣିତ । ସ୍କନ୍ଦ ପୁରାଣରେ ମଧ୍ୟ ଗୁଣ୍ଡିଚା ଯାତ୍ରାର ପ୍ରମାଣ ରହିଛି । ରଥସ୍ଥ ବାମନରୂପକୁ ଦର୍ଶନ କରୁଥିବା ବ୍ୟକ୍ତି ହିଁ ମୁକ୍ତି ଭାଗୀ ଅଟେ । ଗୁଣ୍ଡିଚା ଯାତ୍ରାରେ ବ୍ୟବହୃତ ରଥ ଦାରୁରେ ନିର୍ମିତ । ରଥ ତିନୋଟି ନିର୍ମାଣ ସମ୍ବନ୍ଧରେ ମାନସାର, ଅପରାଜିତା ଗୁଚ୍ଛ, ଶୁଲ୍ୱସୂତ୍ର, ବିଶ୍ୱକର୍ମୀୟ ରଥ ନିର୍ମାଣ ପଦ୍ଧତି, ଗୃହ କର୍ଣ୍ଣିକା, ଶିଳ୍ପସାର ସଂଗ୍ରହାବ ଗ୍ରନ୍ଥାମାନଙ୍କରେ ବର୍ଣ୍ଣନା କରାଯାଇଛି । ରଥର ମୂଳରୁ ଚୂଳ ପର୍ଯ୍ୟନ୍ତ ପ୍ରତ୍ୟେକ ରଥକୁ ୨୭ ଭାଗ କରାଯାଇଛି ।
ଯାହାକି ଚତୁଃର୍ଦ୍ଧାମୂର୍ତ୍ତିଙ୍କ ଶରୀରରେ ଅବସ୍ଥାପନ କରିଥିବା ୨୭ ନକ୍ଷେତ୍ରକୁ ନେଇ ଏହି ଭାଗମାନ କରାଯାଇଛି । ଏଣୁ ଶ୍ରୀଜଗନ୍ନାଥଙ୍କୁ ମଧ୍ୟ ଗ୍ରହରୂପୀ ଜନାର୍ଦ୍ଦନ ବୋଲି କୁହାଯାଏ । ପ୍ରତ୍ୟେକ ଭାଗକୁ ଚଉଠା ଓ ଚଉଠାର ଦେଢ ଭାଗକୁ ଅଙ୍ଗୁଳ ବା କଳା ଭାବରେ ପରିମାପ ରହିଛି । ରଥର ତଳ ଚକଡାର ଦୈର୍ଘ୍ୟ ୨୭ ଚଉଠା, ଏହି ଚକଡାକୁ ୯ ଭାଗ କରି ୧୦ ଧାରଣା ପକାଯାଏ । ପ୍ରଥମ ୬ ଧାରଣାର ଲମ୍ବ ୨୭ ଚଉଠା, ଦ୍ୱିତୀୟ ଧାରଣାର ଲମ୍ବ ୨୧ ଚଉଠା ଓ ତୃତୀୟ ଧାରଣାର ଲମ୍ବ ୧୫ ଚଉଠା, ମୁହାଣର ଲମ୍ବ ୧୫ ଚଉଠା, କୁଡୁକାର ଲମ୍ବ ଧାରଣା ମଝୀଲକୁ ୩ ଚଉଠା । ଏପରି ଚାରିକୋଣରେ ୮ କୁଡୁକା ଦେବ । ବଡ ଅଖ ଲମ୍ବ ୩୦ ଚଉଠାକୁ ବାରଭାଗ କରାଯାଏ । ଏହିପରି ରଥ ନିର୍ମାଣର ଭାଷା ଗ୍ରନ୍ଥମାନଙ୍କରେ ପରିଦୃଷ୍ଟି ହୁଏ । ଶ୍ରୀଜଗନ୍ନାଥଙ୍କର ରଥ ନିର୍ମାଣ ପଦ୍ଧତି ହିଁ କଳିଙ୍ଗ ଶାଖାର ଏକ ଗୁରୁତ୍ୱପୂର୍ଣ୍ଣ କଳା । ଏହାର ପ୍ରବର୍ତ୍ତକ ପ୍ରଭାକର କଳିଙ୍ଗ ।
ରଥର ମୂଳରୁ ଚୂଳ ପର୍ଯ୍ୟନ୍ତ ଅଂଶଗୁଡିକକୁ ଚକ, ଦଣ୍ଡିଆ, ଅର , ବାଙ୍କି, ହଂସପଟା, କଣି, ଶଙ୍ଖଦ୍ୱାର, ଜାଲି, ଗାଇପଟା, ସିଂହାସନ , କନକମୁଣ୍ଡେଇ, ଭୂମି, ଷୋଳନାହାକ, ମକରଦଣ୍ଡା, ବସନ୍ତ, ଦୁଆର ଘୋଡା, ସାରଥୀପୀଡା, କୁମ୍ଭପଟି, ରାହୁପଚି, ଆଠନାହାକା, ପୀଡ, ଋଷିପଟା, ଦଣ୍ଡା, ପାରାଭାଡି, ଖପୁରୀ, ପାଦ, ଓଲଟଶୁଣା, ଦଧିନଉତି, କଳସ, କଣ୍ଠି, ଦଣ୍ଡ, ଚକ୍ର ଓ କେତନ କୁହାଯାଏ । ଏହି ସମସ୍ତ ଅଂଶଗୁଡିକୁ ବାଣ୍ଟି ସାତ ଶ୍ରେଣୀର ରଥକାର ବିଭିନ୍ନ କାର୍ଯ୍ୟର ଦାୟିତ୍ୱ ବହନ କରନ୍ତି । ୧.ଗୁଣାକାର, ୨.ମୁଖ୍ୟ ରଥକାର, ୩.ଲୌହକାର ବା କଣ୍ଟନାୟକ, ୪.ଛନ୍ଦାକାର, ୫.ରୂପକାର, ୬.ଚିତ୍ରକାର ନାୟକ, ୭.ସୂଚୀକାର ବା ସିପୁଟି ନାୟକ । ଏହି ସପ୍ତନାୟକଙ୍କ ବ୍ୟତୀତ ଜଉଶାଳିଆ ଓ ରଙ୍ଗତା ଏହି ଦୁଇଶ୍ରେଣୀର କର୍ମକାରଙ୍କ ସ୍ୱତନ୍ତ୍ର ନିଯୋଗ ମଧ୍ୟ ରହିଛି ।
Comments ସମସ୍ତ ମତାମତ