ମୁଖ୍ୟ ଖବର
ରାଉରକେଲା(ସୁନ୍ଦରଗଡ଼): ରାଉରକେଲା ରେଳ ଷ୍ଟେସନ ପରିସରରେ ଜଣେ ମହିଳା ଯାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ରେଳବାଇର ଜଣେ ‘ଭାଲଭ ମ୍ୟାନ୍’କୁ ରାଉରକେଲା ଜିଆରପି ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ କପିଳେଶ୍ୱର ସିଂହ (54) । ସେ ରାଉରକେଲା ରେଳ ଷ୍ଟେସନରେ ଭାଲ୍ଭ ମ୍ୟାନ୍ ଭାବେ ଚାକିରି କରୁଥିଲେ । କପିଳେଶ୍ବରକୁ ଗତକାଲି (ଗୁରୁବାର) ସନ୍ଧ୍ୟାରେ ଗିରଫ ପରେ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବା ପରେ ଜେଲ୍ ପଠାଯାଇଛି ।ଏହି ଘଟଣା ଜଣାପଡିବା ପରେ ଅଭିଯୁକ୍ତ କପିଳେଶ୍ୱର ସିଂହ ବିରୋଧରେ ରେଳବାଇ କର୍ତ୍ତୃପକ୍ଷ କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । କପିଳେଶ୍ବରକୁ ଗୁରୁବାର ବିଳମ୍ବିତ ରାତିରେ ଚାକିରିରୁ ବହିଷ୍କାର କରାଯାଇଛି। ସେହିପରି ତାକୁ କୌଣସି ପେନସନ ସୁବିଧା ମିଳିବ ନାହିଁ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।ଘଟଣା ଜଣାପଡ଼ିବା ପରେ ଜିଆରପି ଏସ୍ଆଇ କୈଳାସ ମୁଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍ ତୁରନ୍ତ ଭାଲଭ୍ ରୁମ୍ରେ ପହଞ୍ଚି ଅଭିଯୁକ୍ତ କପିଳେଶ୍ୱର ସିଂହକୁ କାବୁ କରିଥିଲେ। ତାଙ୍କୁ ଥାନାକୁ ନେଇ ପଚରାଉଚରା କରାଯାଇଥିଲା । ଅଭିଯୁକ୍ତ ଏବଂ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଛି। 'ଘଟଣାର ତଦନ୍ତ ଜାରି ରହିଛି ବୋଲି' ରାଉରକେଲା ଜିଆରପି ସବ୍ଇନ୍ସପେକ୍ଟର କୈଳାସ ମୁଣ୍ଡା ସୂଚନା ଦେଇଛନ୍ତି ।ଜଣେ ରେଳବାଇ କର୍ମଚାରୀଙ୍କ ଅମାନବୀୟ କାର୍ଯ୍ୟକୁ ଚକ୍ରଧରପୁର ରେଳ ଡିଭିଜନ ପକ୍ଷରୁ ଗୁରୁତ୍ବର ସହ ନିଆଯିବା ସହିତ ତତ୍କାଳ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଚକ୍ରଧରପୁର ଡିଭିଜନର ସିନିୟର ଡିଭିଜନାଲ କମର୍ସିଆଲ ମ୍ୟାନେଜର ଆଦିତ୍ୟ ଚୌଧୁରୀ କହିଛନ୍ତି, ଯେ “କପିଳେଶ୍ୱର ସିଂହକୁ ଚାକିରିରୁ ବହିଷ୍କାର କରାଯାଇଛି ଏବଂ ତାକୁ କୌଣସି ପେନସନାରୀ ସୁବିଧା ମିଳିବ ନାହିଁ । ତଦନ୍ତରେ ଆମେ ପୋଲିସକୁ ସମସ୍ତ ପ୍ରକାର ସହଯୋଗ କରୁଛୁ ।”ପୀଡ଼ିତାଙ୍କୁ ରାଉରକେଲାର ଓ୍ୱାନ୍ ଷ୍ଟପ୍ ସେଣ୍ଟରରେ ରଖାଯାଇଛି । ପରବର୍ତ୍ତୀ ସମୟରେ ତାଙ୍କ ବୟାନ ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ରେକର୍ଡ କରାଯିବ ବୋଲି ସୂଚନା ମିଳିଛି l
ନୂଆପଡ଼ା ଜିଲ୍ଲାର ଜଣେ 20 ବର୍ଷୀୟ ଯୁବତୀ ତାଙ୍କର ଦୁଇ ସମ୍ପର୍କୀୟ ଭାଇଙ୍କ ସହ ବେଙ୍ଗାଲୁରୁ ଯିବାର ଥିଲା । ଟିଟିଲାଗଡ଼ରୁ ସେମାନେ ହାଟିଆ-ଯଶବନ୍ତପୁର ଏକ୍ସପ୍ରେସ୍ରେ ଯାତ୍ରା କରିବାର ଥିଲା । ଭୁଲବଶତଃ ସେମାନେ କଣ୍ଟାବାଞ୍ଜି-ଇସ୍ପାତ-ହାଟିଆ ଏକ୍ସପ୍ରେସ୍ରେ ଚଢ଼ି ବୁଧବାର ସନ୍ଧ୍ୟାରେ ହାଟିଆରେ ପହଞ୍ଚିଥିଲେ।ଭୁଲ ଟ୍ରେନ୍ରେ ଯାତ୍ରା କରିଥିବା ଜାଣିବା ପରେ, ସେମାନେ ରାଉରକେଲା ଅଭିମୁଖେ ଅନ୍ୟ ଏକ ଟ୍ରେନ୍ରେ ଚଢ଼ିଥିଲେ । ଗୁରୁବାର ସକାଳ ପ୍ରାୟ 9ଟାରେ ରାଉରକେଲାରେ ପହଞ୍ଚିବା ପରେ ବେଙ୍ଗାଲୁରୁ ଯିବା ପାଇଁ ଅନ୍ୟ ଏକ ଟ୍ରେନ୍ରେ ଟିକେଟ୍ ବୁକ୍ କରିବାକୁ ଚେଷ୍ଟା କରୁଥିଲେ । ମାତ୍ର କନଫର୍ମ ଟିକେଟ୍ ନଥିଲା ।ଗୁରୁବାର ପ୍ରାୟ 11ଟା ସମୟରେ ଯୁବତୀଙ୍କ ଦୁଇ ସମ୍ପର୍କୀୟ ଭାଇ କନଫର୍ମ ଟିକେଟ୍ ସମ୍ପର୍କରେ ବୁଝିବା ପାଇଁ ଯାଇଥିବା ବେଳେ , ଯୁବତୀ ଜଣକ ଏକୁଟିଆ ପ୍ଲାଟଫର୍ମରେ ଅପେକ୍ଷା କରିଥିଲେ । ଏହି ସମୟରେ ଅଭିଯୁକ୍ତ କପିଳେଶ୍ୱର ତାଙ୍କୁ(ପୀଡ଼ିତା) ଟିକେଟ୍ ସମ୍ପର୍କରେ ପଚାରିଥିଲେ । କନଫର୍ମ ଟିକେଟ୍ ନଥିବା ଜାଣିବା ପରେ ସେ ଯୁବତୀଙ୍କୁ କନଫର୍ମ ଟିକେଟ୍ କରାଇଦେବାର ପ୍ରଲୋଭନ ଦେଖାଇଥିବା ପ୍ରଥମିକ ତଦନ୍ତରୁ ଜଣାପଡ଼ିଛି।
ରାଉରକେଲା ଜିଆରପି ଥାନାରେ ପୀଡ଼ିତାଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁସାରେ, ଅଭିଯୁକ୍ତ କପିଳେଶ୍ବର ଯୁବତୀଙ୍କୁ ପ୍ଲାଟଫର୍ମ ନମ୍ବର 1 ନିକଟ ଅଫିସର୍ସ ରେଷ୍ଟ ହାଉସ୍ ପାଖରେ ଥିବା ଭାଲଭ୍ ରୁମ୍ (ଅପରେଟର ରୁମ୍)କୁ ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଘଟଣା ସମ୍ପର୍କରେ କାହାକୁ ନ କହିବା ପାଇଁ ପୀଡ଼ିତାଙ୍କୁ ଧମକ ଦେବା ସହ 2000 ଟଙ୍କା ଦେବାକୁ କହିଥିଲେ ।କପିଳେଶ୍ବର, ପୀଡ଼ିତାଙ୍କ ସହ ପୁଣି ଥରେ ଦୁଷ୍କର୍ମ ଉଦ୍ୟମ କରିବା ବେଳେ ଯୁବତୀ କୌଶଳ କ୍ରମେ ଖସି ପଳାଇ ଆସି ଦୁଇ ସମ୍ପର୍କୀୟ ଭାଇଙ୍କୁ ଘଟଣା ସମ୍ପର୍କରେ କହିଥିଲେ । ପରେ ପୀଡ଼ିତା ଏବଂ ତାଙ୍କର ଦୁଇ ସଂପର୍କୀୟ ଭାଇ ରାଉରକେଲା ରେଳ ଷ୍ଟେସନରେ ଥିବା ଜିଆରପି ଥାନାକୁ ଯାଇ ଘଟଣା ସଂପର୍କରେ ଜଣାଇଥିଲେ । ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।
Comments ସମସ୍ତ ମତାମତ