Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ରାଜ୍ୟସଭା ଭୋଟ ଅଙ୍କକଷା

    Share on :
    ajab-Image
    Date: Feb 19, 2026    Views: 2576

    ଭୁବନେଶ୍ୱର: ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ଭୋଟ ହେବ ମାର୍ଚ୍ଚ ୧୬ରେ । ୪ରୁ ୨ଟି ବିଜେପି ଖାତାକୁ ଯିବ । ବିଜେଡି ଗୋଟିଏ ଆସନ ରଖିବ । ବଡ଼ ପ୍ରଶ୍ନ ହେଲା- କିଏ ଝାମ୍ପି ନେବ ଚତୁର୍ଥ ଆସନ ? ରାଜ୍ୟସଭା ନିର୍ବାଚନ ବିଗୁଲ ବାଜିବା ପରେ ଏହି ଚର୍ଚ୍ଚା ଆହୁରି ତେଜିଛି ।ସାଂସଦ ସୁଜିତ କୁମାର, ମମତା ମହନ୍ତ, ନିରଞ୍ଜନ ବିଶି, ମୁନ୍ନା ଖାଁଙ୍କ ରାଜ୍ୟସଭା ଆସନ ଖାଲି ହେଉଛି ଏପ୍ରିଲରେ । ଏହି ୪ ଆସନରେ ନିର୍ବାଚନ ପାଇଁ ଆସନ୍ତା ୨୬ରେ ବିଜ୍ଞପ୍ତି ପ୍ରକାଶ ପାଇବ । ୫ ମାର୍ଚ୍ଚ ଯାଏ ନାମାଙ୍କନ ଦାଖଲ ଓ ୬ରେ ନାମାଙ୍କନ ଯାଞ୍ଚ ହେବ । ୯ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ । ଆବଶ୍ୟକ ହେଲେ ୧୬ ମାର୍ଚ୍ଚରେ ଭୋଟ ହେବ ସକାଳ ୯ଟାରୁ ଦିନ ୪ଟା ପର୍ୟ୍ୟନ୍ତ । ଗଣତି ହେବ ସେଇଦିନ ଅପରାହ୍ନ ୫ଟାରୁ ।ଏବେ ନଜର ପକାଇବା ସଂଖ୍ୟା ବଳ ଉପରେ । ବିଜେପି ପାଖରେ ଦଳର ୭୯ ଓ ୩ ନିର୍ଦ୍ଦଳୀୟଙ୍କୁ ମିଶାଇ ଅଛନ୍ତି ମୋଟ ୮୨ ବିଧାୟକ । ନୂଆପଡ଼ା ପରାଜୟ ଓ ଦୁଇ ବିଧାୟକଙ୍କ ନିଲମ୍ବନ ପରେ ବିଜେଡି ସଂଖ୍ୟା ହୋଇଛି ୪୮ । କଂଗ୍ରେସର ୧୪, ସିପିଆଇଏମରୁ ଅଛନ୍ତି ଜଣେ ବିଧାୟକ । ରାଜ୍ୟସଭା ନିର୍ବାଚନ ଗଣିତ ଫର୍ମୁଲା ଅନୁସାରେ ଯେଉଁ ପ୍ରାର୍ଥୀ ୩୦ ଭୋଟ ପାଇବେ, ସେ ନିର୍ବାଚିତ ହେବେ । ଏହି ହିସାବରେ ବିଜେପିର ପ୍ରଥମ ଓ ଦ୍ୱିତୀୟ ପ୍ରାର୍ଥୀ ଆରାମରେ ଜିତିଯିବେ । ଏହାବାଦ୍ ବିଜେପି ପାଖରେ ରହିବେ ଆହୁରି ୨୨ଜଣ ବିଧାୟକ । ଆଉ ଗୋଟିଏ ଆସନ ଜିତିବାକୁ ହେଲେ ବିଜେପିକୁ ଦରକାର ପଡ଼ିବ ୮ ବିଧାୟକଙ୍କ ଭୋଟ । ଏ ସଂଖ୍ୟା ବିଜେପି କେଉଁଠୁ ଆଣିବ? ଶାସକ ଦଳ ଦମ୍ଭ କରୁଛି, ୩ ଆସନ ନିଶ୍ଚିତ ଜିତିବୁ । ଏହାକୁ ନେଇ କ୍ରସ ଭୋଟିଂ ଆଶଙ୍କା ଘାରିଛି ବିରୋଧୀ ଦଳକୁ ।
    ବିଜେଡି ସୂତ୍ର ଅନୁସାରେ ଦଳ ଗୋଟିଏ ଆସନରେ ସନ୍ତୁଷ୍ଟ ରହିବ । ହେଲେ ବିଜେପି ସହ ଟକ୍କର ଦେବାକୁ ଚାହିଁବନି । ରାଜ୍ୟସଭା ଭୋଟ ଆଗରୁ ଛାନିଆରେ ବିଜେଡି ଦୁଇ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବିତ କରିସାରିଛି । ଆଉ ଗୋଟିଏ ରାଜ୍ୟସଭା ଆସନର ଲୋଭ କରି ବିଜେପି ସହ ଲଢ଼ିବାର ରିକ୍ସ ନେବା ମୁଡରେ ନାହିଁ ବିଜେଡି । ଦଳକୁ ଡର ହେଲା- ଲଢ଼େଇକୁ ଓହ୍ଲାଇଲେ ଦଳରେ ବଡ଼ ଧରଣର କ୍ରସ ଭୋଟିଂ ହେବନି ତ? ଏମିତିରେ ନିଶ୍ଚିତ ଆସନଟି ହାତ ଛଡ଼ା ହୋଇଯିବ ନାହିଁ ତ?ତା’ ଛଡ଼ା କଂଗ୍ରେସକୁ ପୂରା ଭରସା ବିକରିପାରୁନାହାନ୍ତି ବିଜେଡି ନେତୃତ୍ୱ । କଂଗ୍ରେସରକ୍ରସ ଭୋଟିଂ ଇତିହାସ ବିଜେଡି ଆଶଙ୍କାକୁବଢ଼ାଉଛି । ପିସିସି ସଭାପତି ଭକ୍ତ ଦାସ ମିଳିତପ୍ରାର୍ଥୀ ଦେବାକୁ ବିଜେଡିକୁ ପ୍ରସ୍ତାବ ଦେଇଛନ୍ତି ।ମାତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକ ଏପ୍ରସ୍ତାବ ନେଇ ନୀରବ ରହୁଛନ୍ତି । ଭେଟିବାକୁସମୟ ବି ଦେଉନାହାନ୍ତି ।
    ବିଜେଡି ଗୋଟିଏ ରାଜ୍ୟସଭା ଆସନ ଜିତିବା ପରେ ଦଳ ପାଖରେ ଆଉ ୧୮ବିଧାୟକଙ୍କ ଭୋଟ ବଳକା ଥିବ । ବିଜେଡିର ୧୮,କଂଗ୍ରେସର ୧୪ ବିଧାୟକ ମିଶିଲେ ଆରାମରେ ବିରୋଧୀ ଦଳ ମିଳିତ ଭାବେ ଚତୁର୍ଥ ଆସନ ଜିତିପାରିବେ । ମାତ୍ର କଂଗ୍ରେସ ଓ ବିଜେଡିରେସମସ୍ତେ ଏ ପ୍ରସ୍ତାବରେ ସହମତ ହେବେ, ସେଗ୍ୟାରେଣ୍ଟି ମିଳିବା କଷ୍ଟକର । ଏଭଳି ସ୍ଥିତିରେ ବିଜେପିକୁ ଆଉ ଗୋଟିଏ ଆସନ ଜିତିବାକୁ ବାଟଛାଡ଼ି ଦେଇପାରେ ବିଜେଡି । କାରଣ ପୂର୍ବରୁ ରାଜ୍ୟରେ କ୍ଷମତାରେ ଥାଇ ବି ବିଜେପିକୁ ରାଜ୍ୟସଭା ପାଇଁ ଖୋଲା ସମର୍ଥନ ଦେଇଛି ବିଜେଡି । ଇତିହାସ କହୁଛି ରାଜ୍ୟସଭା ଭୋଟ ପାଇଁ ଓଡ଼ିଶାରେ ବିଜେଡି-କଂଗ୍ରେସ କେବେଏକାଠି ହୋଇନାହାନ୍ତି । କିନ୍ତୁ ବିଜେଡି- ବିଜେପି ସହମତିରେ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି ।
    ଓଡ଼ିଶାରୁ ରାଜ୍ୟସଭା ପାଇଁ ବିଜେପିରୁ ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ, ବରିଷ୍ଠ ନେତା ଗୋଲକ ମହାପାତ୍ର, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖଙ୍କ ସହ ଏବେ ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ନାମ ମଧ୍ୟ ଚର୍ଚ୍ଚାରେ ଯୋଡ଼ି ହୋଇଛି । ତେବେ ମନମୋହନ ନିଜେ ରାଜ୍ୟସଭା ପାଇଁ ଇଚ୍ଛୁକ ନଥିବା ଗୋଟିଏ ସୂତ୍ରରୁ ଶୁଣିବାକୁ ମିଳୁଛି । କେନ୍ଦ୍ରୀୟ ନେତୃତ୍ୱ ହିଁ ବିଜେପିର ପ୍ରାର୍ଥୀ ଚୂଡ଼ାନ୍ତ କରିବେ । ଏହି ଚର୍ଚ୍ଚାବାଦ୍ ବିଜେପି ସରପ୍ରାଇଜ କାର୍ଡ ବି ଖେଳିପାରେ ।ସେହିପରି ବିଜେଡିରୁ ସଂତୃପ୍ତ ମିଶ୍ର, ଦେବୀପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ ଓ ସଞ୍ଜୟ ଦାସ ବର୍ମାଙ୍କ ନାମ ଚର୍ଚ୍ଚାରେ ଅଛି । ନବୀନ କାହାକୁ ଭରସିବେ, ଠଉରାଇବା କଷ୍ଟକର ।
    ସବୁଠି ଚର୍ଚ୍ଚା-ଅସଲ ଖେଳ ହେବ ଚତୁର୍ଥ ଆସନ ପାଇଁ । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ନାଁକୁ ନେଇ ସର୍ବାଧିକ ଚର୍ଚ୍ଚା ହେଉଛି । ପଟ୍ଟନାୟକ ପରିବାରରୁ କେହି ପ୍ରାର୍ଥୀ ହେବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ । ଏସବୁ ବାଦ୍ ଓଡ଼ିଶାର କୌଣସି ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଶାସକ ଦଳ କିମ୍ବା ବିରୋଧୀ ଦଳପ୍ରାର୍ଥୀ କରିପାରନ୍ତି । ଚତୁର୍ଥ ଆସନରେ ନିର୍ବାଚନ ହେଲେ ବିଜେଡିରୁ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନା ମହାକୁଡ଼ଙ୍କ ସମର୍ଥନ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ।
    ଅତୀତରେ ୨୦୦୨ ଓ ୨୦୧୦ ମସିହାରେ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଦେଖିବାକୁ ମିଳିଥିଲା । ୨୦୦୨ରେ ଦିଲୀପ ରାୟ ବିଜେଡି ବିଧାୟକଙ୍କ କ୍ରସ୍ ଭୋଟିଂରେ ବିଜୟୀ ହୋଇଥିଲେ । ସେହିପରି ୨୦୧୦ରେ କଂଗ୍ରେସ ବିଧାୟକ ଶିବାଜୀ ମାଝୀ ଦଳୀୟ ହ୍ୱିପ ଅମାନ୍ୟ କରି ଭୋଟ୍ ଦେଇନଥିଲେ । ଫଳରେ ବିଜେଡି ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook