Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ରାଜ୍ୟସଭା ନିର୍ବାଚନ : କ୍ରସ୍ ଭୋଟିଂ ଡର

    Share on :
    ajab-Image
    Date: Mar 11, 2026    Views: 2424

    ଭୁବନେଶ୍ୱର: ସୋମବାର ରାଜ୍ୟସଭା ଭୋଟ ପଡ଼ିବ । ସେଦିନ ସିଧା ବିଧାୟକମାନଙ୍କୁ ନେଇ ଦଳର ବରିଷ୍ଠ ନେତାମାନେ ବିଧାନସଭାକୁ ଆସିବେ ବୋଲି ସୂତ୍ରରୁ ସୂଚନା ମିଳିଛି । ଦଳୀୟ ନେତୃତ୍ୱଙ୍କ ନିଷ୍ପତ୍ତିକୁ ସିଧା ଚାଲେଞ୍ଜ କରି ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ବିଦା ହେବା ଓ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଇସ୍ତଫା ପରଠାରୁ ବିଜେଡି ରାଜନୀତିରେ ହଲଚଲ ବଢ଼ିଯାଇଛି । କେତେକ ବିଧାୟକଙ୍କୁ ନେଇ ଦଳ ଭିତରେ ଦ୍ୱନ୍ଦ୍ୱ ବଢ଼ିଛି । ପ୍ରାୟ ୫ଜଣ ବିଧାୟକ କ୍ରସ୍ ଭୋଟିଂ କରିବା ନେଇ ଦଳ ଭିତରେ ଆଲୋଚନା ହେଉଛି । ଏସବୁ ବିଧାୟକଙ୍କ ଉପରେ ଦଳ କଡ଼ା ନଜର ରଖିଛି ।

    କିନ୍ତୁ, କିଛି ନିଜ ଆଡ଼ୁ ଦଳଠାରୁ ଦୂରତା ରକ୍ଷା କରୁଥିବା କୁହାଯାଉଛି । ଏପରିକି ଗଣମାଧ୍ୟମରେ ଏଭଳି ବୟାନ ଦେଇଛନ୍ତି, ଯାହା ଦଳକୁ ଦ୍ୱନ୍ଦ୍ୱରେ ପକାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବେ ବିଧାୟକମାନଙ୍କୁ ଏକାଠି ରଖିବାକୁ କସରତ ଚଳାଇଛନ୍ତି । ନିୟମିତ ବିଧାୟକଙ୍କୁ ନବୀନ ନିବାସ ଡାକି ବୁଝାଯାଉଛି । ଆଜି ପ୍ରାୟ ୧୦ରୁ ଅଧିକ ବିଧାୟକଙ୍କୁ ଡକାଯାଇଥିଲା । ନବୀନଙ୍କ ସହ ଆଲୋଚନା ସରିଲା ପରେ ଦଳର ଜଣେ ବରିଷ୍ଠ ବିଧାୟକ ଜଣ ଜଣ କରି ବିଧାୟକମାନଙ୍କୁ ମହାପ୍ରଭୁଙ୍କ ନିର୍ମାଲ୍ୟ ପ୍ରସାଦ ଛୁଆଁଇ ଶପଥ କରାଉଥିବା ଖବର ମିଳିଛି । ସେହିପରି କଂଗ୍ରେସ ଦଳ ଗତକାଲିଠାରୁ ବିଧାୟକମାନଙ୍କୁ ନେଇ ହୋଟେଲରେ ବୈଠକ ଓ ଡିନର ପାର୍ଟି କରୁଥିବା ସୂଚନା ମିଳିଛି । ପିସିସି ସଭାପତି ଭକ୍ତ ଦାସ ଓ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସମସ୍ତଙ୍କ ସହ ଯୋଗାଯୋଗ ରକ୍ଷା କରୁଛନ୍ତି । ତଥାପି ଦଳ ଭିତରେ କିଛି ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି । ଏମିତିକି ଗତକାଲି ବିଧାୟକ ଦଳ ବୈଠକରେ ଯୋଗ ଦେଇଥିବା ୨ଜଣ ବିଧାୟକ ପରେ ଆୟୋଜିତ ତାରକା ହୋଟେଲର ଡିନର ପାର୍ଟିକୁ ଯାଇନଥିଲେ । ଦଳର ୩ଜଣ ବିଧାୟକଙ୍କୁ ନେଇ ନାନାଦି ଚର୍ଚ୍ଚା ବଢ଼ିବାରେ ଲାଗିଛି ।
    ପୂର୍ବରୁ ବିଧାୟକ ଦଳ ବୈଠକ ଓ ନାମାଙ୍କନ ଦାଖଲ ଦିନ ଅନୁପସ୍ଥିତ ଥିବା କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ଗଣମାଧ୍ୟମକୁ କହିଥିଲେ, ରାଜ୍ୟସଭା ନିର୍ବାଚନ ନେଇ ଦଳର ନିଷ୍ପତ୍ତି ସହ ମୁଁ ରହିଛି । ଜଣେ ବରିଷ୍ଠ ବିଧାୟକଙ୍କ କହିବାନୁସାରେ ଭୋଟ୍ ପୂର୍ବଭଳି ଗୁପ୍ତ ରହିବନି । ନିଜ ଦଳର ଏଜେଣ୍ଟଙ୍କୁ ଦେଖାଇବାକୁ ପଡ଼ିବ । ତେବେ ଯିଏ ଦଳରୁ ଦୂରେଇ ଯିବାକୁ ମନସ୍ଥ କରିଥିବେ, ସେମାନେ ହିଁ କ୍ରସ୍ ଭୋଟିଂ କରିବେ । ତେବେ ଦଳୀୟ ଏଜେଣ୍ଟ ସହ ବୁଥରେ ଉପସ୍ଥିତ ସଭିଙ୍କୁ ଭୋଟ୍ ଦେଖାଇଲେ, ତାହା ନାକଚ ହେବ । ଏହାର ଡର ବି ରହିଛି । ଭୋଟ୍ ଦିନ ଅନୁପସ୍ଥିତ ରହି ନିଜ ଦଳର ନିଶ୍ଚିତ ଭୋଟ୍ ସଂଖ୍ୟା ଖସାଇବା ଷଡ଼ଯନ୍ତ୍ରକୁ ବି ଜଗିବାକୁ ପଡ଼ିବ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook