ମୁଖ୍ୟ ଖବର
ଭୁବନେଶ୍ୱର: ଏପ୍ରିଲରେ ଓଡ଼ିଶାର ୪ ରାଜ୍ୟସଭା ଆସନ ଖାଲି ହେବ । ହିସାବ କହୁଛି, ବିଜେପି ୨, ବିଜେଡି ଗୋଟିଏ ଆସନ ଜିତିବା ଥୟ । ତେବେ କିଏ ଜିତିବ ଚତୁର୍ଥ ଆସନ? ବିଜେପି ଏହି ଆସନ ଜିତିବାକୁ ବାରମ୍ବାର ଦମ୍ଭ ଦେଖାଉଥିବାବେଳେ ବିଜେଡି କିନ୍ତୁ ମୁହଁ ଖୋଲୁନି । ଯାହାକୁ ପଚାରିଲେ ଗୋଟିଏ ଉତ୍ତର- ଦଳର ସଭାପତି ନବୀନ ପଟ୍ଟନାୟକ ଠିକ୍ ସମୟରେ ନିଷ୍ପତ୍ତି ନେବେ । ଗୋଟିଏ ବି ଆସନ ଜିତିବାର ସଂଖ୍ୟା ନଥାଇ ମଧ୍ୟ କଂଗ୍ରେସ ବହୁ ଆଗରୁ ହୁଙ୍କାର ଛାଡ଼ୁଛି । ପିସିସି ସଭାପତି ଭକ୍ତ ଚରଣ ଦାସ ନିଜ ଆଡ଼ୁ ନବୀନଙ୍କୁ ହାତ ମିଳାଇବାର ପ୍ରସ୍ତାବ ଦେଇ ବିଜେଡି ଓ କଂଗ୍ରେସ ମିଳିତ ପ୍ରାର୍ଥୀ ଦେବାକୁ ମତ ଦେଇଛନ୍ତି । ମାତ୍ର ଭକ୍ତଙ୍କ ପ୍ରସ୍ତାବ ନେଇ ବିଜେଡି ଚୁପ୍ । ଏମିତିକି ଭକ୍ତଙ୍କୁ ଦେଖା କରିବାକୁ ବି ନବୀନ ସମୟ ଦେଲେନି ଏଯାଏଁ । ବିଜେଡିର ଗତିବିଧିରୁ ଅନୁମାନ, ଦଳ ଲଢ଼େଇ କରିବା ମୁଡ୍ରେ ନାହିଁ । ନିଜ ସଂଖ୍ୟା ଆଧାରରେ ଗୋଟିଏ ଆସନ ଜିତିଗଲେ ଖୁସ୍ । ଆଉ ଗୋଟିଏ ଚର୍ଚ୍ଚା ହେଉଛି, ପିସିସି ସଭାପତିଙ୍କ କଥାରେ ସମସ୍ତ ୧୪ ବିଧାୟକ ବିଜେଡି ସହ ହାତ ମିଳାଇବା ନେଇ କିଛି ଗ୍ୟାରେଣ୍ଟି ଦେଇ ହେବନି । ଅତୀତରେ ରାଷ୍ଟ୍ରପତି ନିର୍ବାଚନ ସମୟରେ ବି ଦଳୀୟ ହ୍ୱିପ ବି କଂଗ୍ରେସ ବିଧାୟକ ଡେଇଁଛନ୍ତି । ଏଭଳି ସ୍ଥିତିରୁ ଜଳଜଳ ଦିଶୁଛି, ବିଜେପି ଯାହା କହିଛି, ସେଇଆ ହେବ । ବିଜେପିରୁ ରାଜ୍ୟସଭା ପାଇଁ କିଏ ପ୍ରାର୍ଥୀ ହେବ, ତାହା କେନ୍ଦ୍ରୀୟ ନେତୃତ୍ୱ ସ୍ଥିର କରିବେ ବୋଲି ତୋମାର କହିଛନ୍ତି । ଆମେ ୩ ରାଜ୍ୟସଭା ଆସନ ନିଶ୍ଚିତ ଜିତିବୁ । ଭୁବନେଶ୍ୱରରେ ଛାତି ବାଡ଼େଇ ଏମିତି ଦମ୍ଭ ଦେଖାଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର । ବିଜେପିର ଦମ୍ଭୋକ୍ତିରେ ଦମ୍ ଥିଲା ଭଳି ଲାଗୁଛି । ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି, ସଂଖ୍ୟା ବଳ ଥାଉ କି ନ ଥାଉ, ବିଜେପି ସତକୁ ସତ ୪ରୁ ଅତି କମରେ ୩ଟି ରାଜ୍ୟସଭା ଆସନ ଝାମ୍ପି ନେବ । ବିଜେପିର ଦମ୍ଭୋକ୍ତିକୁ ପୁରୁଣା ରେକର୍ଡ ବି ବଳ ଦେଉଛି । ଅତୀତରେ ସଂଖ୍ୟା ନ ଥିଲେ ବି ବିଜେପି କଳ, ବଳ, କୌଶଳ ପ୍ରୟୋଗ କରି ଓଡ଼ିଶାରୁ ରାଜ୍ୟସଭା ଆସନରେ ନିଜ ପ୍ରାର୍ଥୀଙ୍କୁ ଜିତାଇଛି। ଏମିତିକି ମେଣ୍ଟ ନ ଥିଲେ ବି ବିଜେପି ପ୍ରାର୍ଥୀଙ୍କୁ ବିଜେଡି ଖୋଲା ହୃଦୟରେ ସମର୍ଥନ ଦେଇଛି । ରାଜନୈତକ ମହଲରେ ଚର୍ଚ୍ଚା ହେଉଛି, କ୍ଷମତାରେ ନଥିବାବେଳେ ବିଜେପି ଯଦି ବାଜିମାତ୍ କରିପାରୁଥିଲା, ଏବେ ଡବଲ୍ ଇଞ୍ଜିନ ସରକାର ନିଶ୍ଚିତ ଚକ୍ମା ଦେବ ବିରୋଧୀଙ୍କୁ । ତେଣୁ ତୋମାର କେବଳ ପବନରେ କଥା ଫିଙ୍ଗିନାହାନ୍ତି, ତାଙ୍କ କଥାରେ ଦମ୍ ରହିଛି । ଦଳ ଏ ଦିଗରେ ରଣନୀତି ସହ ଆଗକୁ ବଢ଼ୁଛି । କେନ୍ଦ୍ରରୁ ସଙ୍କେତ ମିଳିଲେ, ଖେଳ ଜମିବ ।
ବିଜେଡିରୁ କିଏ ରାଜ୍ୟସଭା ପ୍ରାର୍ଥୀ ହେବ, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ଗତ ନିର୍ବାଚନରେ ପରାଜିତ ହୋଇଥିବା ବହୁ ବରିଷ୍ଠ ନେତା ଆଶାୟୀ ଥିବା କୁହାଯାଉଛି । ନବୀନଙ୍କ ରାଜନୈତିକ ସଚିବ ତଥା ଦଳର ଜାତୀୟ ମୁଖପାତ୍ର ସଂତୃପ୍ତ ମିଶ୍ରଙ୍କୁ ନେଇ ବେଶି ଚର୍ଚ୍ଚା । କର୍ପୋରେଟ ଜଗତରେ ଜଣାଶୁଣା ବ୍ୟକ୍ତିତ୍ୱ ସଂତୃପ୍ତଙ୍କୁ ଦିଲ୍ଲୀ ରାଜନୀତିରେ ସକ୍ରିୟ ରଖିପାରନ୍ତି ନବୀନ । ଏହାବାଦ୍ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା ମଧ୍ୟ ଆଶାୟୀ ଥିବା କୁହାଯାଉଛି । ବିଧାନସଭାରେ ବିଜେପି ବିଧାୟକଙ୍କ ସଂଖ୍ୟା ୭୯ । ୩ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ମିଶାଇଲେ ବିଜେପିର ସଂଖ୍ୟା ୮୨ । ବିଜେଡି ବିଧାୟକଙ୍କ ସଂଖ୍ୟା ୫୦ ଥିବାବେଳେ ଗତ ମାସରେ ଦଳ ଦୁଇଜଣଙ୍କୁ ନିଲମ୍ବନ କରିଛି । ବିଜେଡି ବିଧାୟକ ସଂଖ୍ୟା ଏବେ ୪୮ । କଂଗ୍ରେସର ୧୪, ସିପିଆଇଏମର ଜଣେ ବିଧାୟକ । ଯେଉଁ ରାଜ୍ୟସଭା ପ୍ରାର୍ଥୀ ୩୧ଟି ଭୋଟ ପାଇବେ, ସେ ନିର୍ବାଚିତ ହେବେ । ତେଣୁ ବିଜେପିର ପ୍ରଥମ ଓ ଦ୍ୱିତୀୟ ପ୍ରାର୍ଥୀ ଆରାମରେ ଜିତିବେ । ଏହାବାଦ୍ ବିଜେପି ପାଖରେ ଆହୁରି ୨୦ଜଣ ବିଧାୟକ ଅଛନ୍ତି । ଆଉ ଗୋଟିଏ ଆସନ ଜିତିବା ପାଇଁ ବିଜେପିକୁ ଦରକାର ପଡ଼ିବ ୧୧ ବିଧାୟକ । ୪୮ ବିଧାୟକଙ୍କୁ ନେଇ ବିଜେଡି ନିଜର ପ୍ରଥମ ପ୍ରାର୍ଥୀଙ୍କୁ ଜିତାଇବା ପରେ ଆହୁରି ୧୭ ବିଧାୟକ ରହୁଛନ୍ତି । ଆଉ ଗୋଟିଏ ଆସନ ଜିତିବା ପାଇଁ ବିଜେଡିକୁ ଆହୁରି ୧୪ଜଣ ବିଧାୟକଙ୍କ ଭୋଟ ଦରକାର ପଡ଼ିବ । ଏମିତିରେ ବିଜେଡିରୁ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନା ମହାକୁଡ଼ଙ୍କ ସମର୍ଥନ ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବ । ପ୍ରାର୍ଥୀ ଘୋଷଣା ହୋଇନଥିବାରୁ ଏବେ କିଛି କହି ହେବନି ବୋଲି ଅରବିନ୍ଦ କହିଛନ୍ତି । ତିକ୍ତତା ଯେଉଁ ସ୍ତରରେ ପହଞ୍ଚିଛି, ଅରବିନ୍ଦ ଓ ସନାତନ ବିଜେଡିକୁ ସମର୍ଥନ ଦେବା ସମ୍ଭାବନା କମ୍ । ଏମିତିରେ ବିଜେପି ପାଇଁ ବାଟ ସହଜ ହୋଇପାରେ ।
Comments ସମସ୍ତ ମତାମତ