ଭୁବନେଶ୍ୱର: ରଜ ଆସିଲେ ଉତ୍ସବ ମୁଖର ହୋଇଉଠେ ଓଡ଼ିଶା । ଆଷାଢ଼ର ପହିଲି ଆରମ୍ଭର ମେଘମାଳାରେ ନାଚିଉଠେ ଆକାଶ । ପ୍ରକୃତିର ଏହି ଅପରୂପ ସୌନ୍ଦର୍ଯ୍ୟରେ ଭାସିଆସେ ନାନାପ୍ରକାରର ରଜଗୀତ । ଅଧାଖରା ଓ ଅଧାଛାଇ ମିଶ୍ରିତ ରଜପାଗ ମନରେ ଉକ୍ରଣ୍ଠା ଭରିଦେଇଥାଏ । ରଜ ଆସିଲେ ସାଙ୍ଗରେ ନେଇଆସେ ମଉଜ । ମନେପକାଇଦିଏ ପୁରୁଣା ଦିନର ଅନୁଭୂତି ।
ପିଲା ଠାରୁ ବୁଢ଼ା, ନାରୀଠୁ ପୁରୁଷ ସମସ୍ତେ ମଜିଯାଆନ୍ତି ରଜ ପାଳନରେ । ସଜବାଜ ଠାରୁ ଆରମ୍ଭ ହୋଇଥାଏ ରଜ । ଗ୍ରାମର କିଶୋରୀ ମାନେ ପାଦରେ ଅଳତା, ହାତରେ ମେହେନ୍ଦି, ଦେହରେ ହଳଦୀ ମାଖି ଅତର ଲଗାନ୍ତି । ଆଖିରେ କଜଳଗାର, ମଥାରେ ଟିପିଟିପି ଚନ୍ଦନ ଟିପା ସାଙ୍ଗକୁ ନୂତନ ରଙ୍ଗ ବେରଙ୍ଗର ପୋଷାକ ପିନ୍ଧି ରଜ ଦୋଳିରେ ଝୁଲନ୍ତି । ରଜଦୋଳି ଗୀତ ସାଙ୍ଗକୁ ବିଭିନ୍ନ ଖେଳରେ କୁଦରେ ଫାଟିପଡେ଼ ପରିବେଶ, ପେଙ୍ଗରେ ଦୋଳି ଉଡ଼ିଯାଏ ମାଟିରୁ ଆକାଶ ଯାଏଁ ।
ଗାଁ ଦାଣ୍ଡରେ ଭେଣ୍ଡିଆ ଟୋକାଙ୍କର କବାଡ଼ି ଖେଳ, ବାଗୁଡ଼ି ଖେଳ, ଲୁଡ଼ୁ, ତାସ ଖେଳର ଆସର ସହ ଆଈ ମା’ର ଖିଲିପାନର ମହକ ରଜ ପରିବେଶକୁ ଆହୁରି ଦ୍ୱିଗୁଣିତ କରିଥାଏ । ଚାକିରିଆ ସ୍ୱାମୀର ଫେରସ୍ତ ବାଟକୁ ଚାହିଁ ରହିଥାଏ ନବବିବାହିତ ବୋହୂ, ଗାଁ ପୁଅ ମୋଟା ଅଙ୍କର ଦରମା ନେଇ ଘରକୁ ବାହୁଡ଼ିଥାଏ । ଏହାସାଙ୍ଗକୁ ପୋଡ଼ ପିଠାର ମହକ ଓ ବିଭିନ୍ନ ରକମର ପିଠାରେ ଫାଟି ପଡେ଼ ଗାଁ ଦାଣ୍ଡ । ଆଧୁନିକ ଜୀବନ ଧାରାରେ ବି ଏହି ପର୍ବ ତାର ମହକ ଓ ପରମ୍ପରାର ମହତ୍ତ୍ୱକୁ ବଜାୟ ରଖିଛି ।
Comments ସମସ୍ତ ମତାମତ