ମୁଖ୍ୟ ଖବର
ନୂଆଦିଲ୍ଲୀ: ଓଡ଼ିଶାକୁ ୧୩ ଗୁଣ ଅଧିକ ମିଳିଛି ୧୦,୫୯୯ କୋଟି ଟଙ୍କାର ରେଳ ବଜେଟ୍ । ୨୦୦୯-୨୦୧୪ ମଧ୍ୟରେ ଓଡ଼ିଶାକୁ ମାତ୍ର ୮୩୮ କୋଟି ଟଙ୍କାର ମିଳିଥିଲା ରେଳ ବଜେଟ୍ । ଏହାର ପ୍ରାୟ ୧୩ ଗୁଣ ଅଧିକ ବଜେଟ୍ କେବଳ ୨୦୨୫-୨୬ରେ ଆବଣ୍ଟନ କରାଯାଇଛି । ୨୦୨୫ ଏପ୍ରିଲ୍ ସୁଦ୍ଧା ୬୭,୪୯୬ କୋଟି ଟଙ୍କା ବ୍ୟୟରେ ମୋଟ ୪୯ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି । ୧୯ଟି ନୂଆ ରେଳ ଲାଇନ୍ ଏବଂ ୩୦ଟି ରେଳ ଲାଇନର ଦୋହରୀକରଣ ସମେତ ମୋଟ ୪,୦୧୦ କିଲୋମିଟରର ଏହି ପ୍ରକଳ୍ପ କାର୍ୟ୍ୟ ରହିଛି । ଏଥିମଧ୍ୟରୁ ୨୮,୦୪୩ କୋଟି ଟଙ୍କା ବ୍ୟୟରେ ୧୪୨୯ କିମି ଲମ୍ବ ରେଳ ଲାଇନ କାମ ଶେଷ ହୋଇସାରିଛି ।ନିକଟରେ ୧୧ଟି ରେଳ ଲାଇନ୍ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଛି । ଏହାବ୍ୟତୀତ ୨୧ଟି ରେଳ ଲାଇନ୍ କାମ ବର୍ତ୍ତମାନ ଜାରି ରହିଛି । ଗତ ତିନି ବର୍ଷ ମଧ୍ୟରେ ୪ ହଜାର ୮୪୩ କିମି ଲମ୍ବ ମୋଟ ୩୦ଟି ନୂଆ ରେଳ ଲାଇନ ଏବଂ ୪୬ଟି ରେଳ ଲାଇନର ଦୋହରୀକରଣ ପାଇଁ ସର୍ଭେ କରାଯାଇଛି । ବୁଧବାର ସଂସଦରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ପ୍ରଦାନ କରିଛନ୍ତି । ବୁଧବାର ଲୋକସଭା ଅଧିବେଶନରେ ଓଡ଼ିଶାର ବହୁ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ବିଷୟରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଜୁନାଗଡ଼ ଏବଂ ନବରଙ୍ଗପୁର ମଧ୍ୟରେ ୧୧୬ କିଲୋମିଟର ଲମ୍ବ ବିଶିଷ୍ଟ ନୂତନ ରେଳ ଲାଇନ୍ କାମ ଲାଗି ୨ ହଜାର ୮୬୫ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି । ଏହି ପ୍ରକଳ୍ପରେ ୩୭୬.୬୪ ହେକ୍ଟର ଘରୋଇ ଜମି ଅଧିଗ୍ରହଣ କରାଯିବ । ଏଥିସହ ୫୮.୮୭ ହେକ୍ଟର ସରକାରୀ ଜମି ପୃଥକୀକରଣ ଏବଂ ୩୫୧.୬୮ ହେକ୍ଟର ଜଙ୍ଗଲ ଜମିର ପରିବର୍ତ୍ତନ ଅନ୍ତର୍ଭୁକ୍ତ ରହିଛି ।
ଏହି ପ୍ରକଳ୍ପକୁ ଜମି ଅଧିଗ୍ରହଣ ପାଇଁ ‘ସ୍ୱତନ୍ତ୍ର ରେଳ ପ୍ରକଳ୍ପ’ ଭାବରେ କ୍ଷମତାପ୍ରାପ୍ତ ପ୍ରାଧିକରଣ(ସିଏଏଲ୍ଏ) ନିଯୁକ୍ତ କରାଯାଇ ଅଧିଗ୍ରହଣ କାର୍ୟ୍ୟ ହାତକୁ ନିଆଯାଇଛି ବୋଲି ରେଳମନ୍ତ୍ରୀ ସୂଚିତ କରିଛନ୍ତି । ରେଳମନ୍ତ୍ରୀ କହିଛନ୍ତି, ନବରଙ୍ଗପୁରଜୟପୁର ୪୧ କି.ମି ନୂତନ ଲାଇନ ପ୍ରକଳ୍ପକୁ ୭୪୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହି ପ୍ରକଳ୍ପରେ ୨୯୧.୮୭ ହେକ୍ଟର ଘରୋଇ ଜମି ଅଧିଗ୍ରହଣ କରାଯିବ । ଏହି ପ୍ରକଳ୍ପ ପାଇଁ ଓଡ଼ିଶା ସରକାର ଜମି ଯୋଗାଇ ଦେବାରୁ ଜମି ଅଧିଗ୍ରହଣ ସରିଛି । ଏଥିସହ ଇନ୍ଦ୍ରାବତୀ ନଦୀ ଉପରେ ସେତୁ ନିର୍ମାଣ କାର୍ୟ୍ୟ ହାତକୁ ନିଆଯାଇଛି । ସେହିପରି ଜୟପୁର-ମାଲକାନଗିରି ୧୩୦ କି.ମି ନୂତନ ରେଳ ଲାଇନ ପ୍ରକଳ୍ପକୁ ୨ ହଜାର ୩୪୪ କୋଟି ଟଙ୍କା ବ୍ୟୟବରାଦ ଆଧାରରେ ଖର୍ଚ୍ଚ ସହଭାଗିତା ଭିତ୍ତିରେ ମଞ୍ଜୁର ହୋଇଛି । ଉକ୍ତ ପ୍ରକଳ୍ପରେ ମୋଟ ୧,୧୨୭.୮୨ ହେକ୍ଟର ଆବଶ୍ୟକ ଜମି ଆବଶ୍ୟକ ଥିବାବେଳେ ଏଯାବତ୍ ୧୬୭.୩୯ ହେକ୍ଟର ଜମି ଅଧିଗ୍ରହଣ କରାଯାଇଛି ବୋଲି ରେଳମନ୍ତ୍ରୀ ସଂସଦରେ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ, ମାଲକାନଗିରି- ପାଣ୍ଡୁରଙ୍ଗପୁରମ ଭାୟା ଭଦ୍ରାଚଳମ ଷ୍ଟେସନ ମଧ୍ୟରେ ୧୭୪ କିମି ନୂତନ ରେଳ ଲାଇନ ନିର୍ମାଣ କରାଯିବ । ଏଥିଲାଗି ୩ ହଜାର ୫୯୨ କୋଟି ଟଙ୍କାରେ ମଞ୍ଜୁର କରାଯାଇଛି । ଏହି ପ୍ରକଳ୍ପରେ ୪୦୩. ୨୩ ହେକ୍ଟର ବ୍ୟକ୍ତିଗତ ଜମି ଅଧିଗ୍ରହଣ ସହ ୭୭.୭୬ ହେକ୍ଟର ସରକାରୀ ଜମି ପୃଥକୀକରଣ ଏବଂ ୩୨୦.୨୫ ହେକ୍ଟର ଜଙ୍ଗଲ ଜମିର ପରିବର୍ତ୍ତନ କରାଯିବ । ଏହି ପ୍ରକଳ୍ପକୁ ଜମି ଅଧିଗ୍ରହଣ ପାଇଁ “ସ୍ୱତନ୍ତ୍ର ରେଳ ପ୍ରକଳ୍ପ’ ଭାବରେ ଅଧିସୂଚିତ କରାଯାଇଛି । ଏଥିସହ ସିଏଏଲ୍ଏ ନିଯୁକ୍ତ କରାଯାଇ ଜମି ଅଧିଗ୍ରହଣ ହାତକୁ ନିଆଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି । ରେଳମନ୍ତ୍ରୀ ତୁଳନାତ୍ମକ ତଥ୍ୟ ପ୍ରଦାନ କରି କହିଛନ୍ତି ଯେ, ୨୦୦୯-୧୪ ମଧ୍ୟରେ ୨୬୭ କିମି ନୂଆ ରେଳ ଟ୍ରାକ୍ କାମ ହୋଇଥିବା ବେଳେ ବାର୍ଷିକ ହାରାହାରି ୫୩.୪ କି.ମି ରେଳ ଲାଇନ୍ ନିର୍ମାଣ ହୋଇଥିଲା । ତେବେ ୨୦୧୪-୨୫ ମଧ୍ୟରେ ୨୧୫୦ କି.ମି ରେଳ ଟ୍ରାକ୍ ନିର୍ମାଣ କରାଯାଇଛି । ଅର୍ଥାତ୍ ବାର୍ଷିକ ହାରାହାରି ୩.୫ ଗୁଣ ଅଧିକ ନୂଆ ରେଳ ଲାଇନ ନିର୍ମାଣ ୧୯୫.୪୫ କିମି ହୋଇଛି ବୋଲି ରେଳମନ୍ତ୍ରୀ ସୂଚନା ଦେଇଛନ୍ତି ।
Comments ସମସ୍ତ ମତାମତ