ମୁଖ୍ୟ ଖବର
ନିମାପଡ଼ା: ପୁରୀ ଜିଲା ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଭାଜପାର ଆଭ୍ୟନ୍ତରୀଣ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ସମୀର ରଞ୍ଜନ ଦାସଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ଖୋଲାଖୋଲି ସଂଘର୍ଷର ରୂପ ନେଇଛି। ଦଳୀୟ ଅନୁଶାସନ ରକ୍ଷା ପାଇଁ ଜିଲା ନେତୃତ୍ୱ ଚେତାବନୀ ଦେଇଥିଲେ ମଧ୍ୟ ସ୍ଥିତିରେ କୌଣସି ସୁଧାର ଆସିନାହିଁ।ନୂତନ ବର୍ଷ ଆରମ୍ଭରୁ ସମୀର ଦାସ ପ୍ରତି ବୁଧବାର ଏବଂ ଶନିବାର ନିମାପଡ଼ାରେ ଏକ ‘ଜନ ଶୁଣାଣି ଶିବିର’ ଆୟୋଜନ କରୁଛନ୍ତି। ଲୋକଙ୍କ ସମସ୍ୟା ସରକାରୀ ସ୍ତରରେ ସମାଧାନ ହେଉନଥିବାରୁ ସେ ଏହି ପଦକ୍ଷେପ ନେଇଥିବା ଦାବି କରିଛନ୍ତି।ଉପମୁଖ୍ୟମନ୍ତ୍ରୀ ଏହାକୁ ଏକ ‘ସମାନ୍ତରାଳ ଶାସନ ବ୍ୟବସ୍ଥା’ କହି ବିରୋଧ କରିଛନ୍ତି। ସେ କହିଛନ୍ତି ଯେ ସରକାରୀ ସ୍ତରରେ ଅଭିଯୋଗ ଶୁଣାଣି ପାଇଁ ବ୍ୟବସ୍ଥା ଥାଉ ଥାଉ ସମୀରଙ୍କ ଏହି କାର୍ୟ୍ୟ ଦଳୀୟ ସଂଗଠନକୁ ଦୁର୍ବଳ କରୁଛି।“ଗତ ୨୪ ବର୍ଷ ଧରି ସେ (ସମୀର) ଅଞ୍ଚଳ ପାଇଁ କିଛି କରିନାହାନ୍ତି। ଏବେ କୁମ୍ଭୀର କାନ୍ଦଣା କାନ୍ଦି ଲୋକଙ୍କ ସମାନୁଭୂତି ପାଇବାକୁ ଚେଷ୍ଟା କରୁଛନ୍ତି। ଯଦି ସେ କାମ କରିଥାନ୍ତେ, ତେବେ ଆଜି ମୋ ପାଖରେ ଏତେ ଅଭିଯୋଗ ପତ୍ର ପହଞ୍ଚିନଥାନ୍ତା।”
“ଉପମୁଖ୍ୟମନ୍ତ୍ରୀ ଲୋକଙ୍କ କଥା ଶୁଣୁନାହାନ୍ତି, ତେଣୁ ମୁଁ ସପ୍ତାହରେ ଦୁଇଥର ଲୋକଙ୍କ ସମସ୍ୟା ଶୁଣୁଛି। ଭାଜପା ସଂଗଠନକୁ ବଞ୍ଚାଇବା ପାଇଁ ମୁଁ ଏହି ବୈଠକ କରୁଛି।”ଏହି ବିବାଦକୁ ନେଇ ପୁରୀ ଜିଲା ଭାଜପା ସଭାପତି ଦେବେନ୍ଦ୍ର ତରାଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଶୃଙ୍ଖଳାଗତ ଉଲ୍ଲଂଘନ ପାଇଁ ସମୀର ଦାସଙ୍କୁ ଏପର୍ୟ୍ୟନ୍ତ ଦୁଇଟି ନୋଟିସ୍ ଜାରି କରାଯାଇଛି। ଯଦି ସେ ନିଜ କାର୍ୟ୍ୟକଳାପ ବନ୍ଦ ନକରନ୍ତି, ତେବେ ଦଳ ତାଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚେତାବନୀ ଦିଆଯାଇଛି। ଆସନ୍ତା ବର୍ଷ ପଞ୍ଚାୟତ ନିର୍ବାଚନ ଥିବାରୁ ନିମାପଡ଼ାରେ ଏହି ପାୱାର୍ ଗେମ୍ ରାଜ୍ୟ ରାଜନୀତିକୁ ବେଶ ସରଗରମ କରିଛି।
Comments ସମସ୍ତ ମତାମତ