ମୁଖ୍ୟ ଖବର
ବାଲେଶ୍ୱର : ବାଲେଶ୍ୱର ରାଜନୀତିରେ ଘଡ଼ିକୁ ଘୋଡ଼ା ଛୁଟୁଛି। ଦିଲ୍ଲୀରେ ମାନ ଭାଙ୍ଗି ମନ ମିଶାଇଛନ୍ତି ଜିଲ୍ଲାର ଦୁଇ ହାଇଭୋଲଟେଜ୍ ନେତା। ଏବେ ଗୋଟିଏ ଦଳରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ପୂର୍ବତନ ବିଜେଡି ନେତା ଇଂ. ରବୀନ୍ଦ୍ର କୁମାର ଜେନା । ଆଗାମୀ ଦିନରେ ସେମାନଙ୍କ କାର୍ୟ୍ୟପନ୍ଥା କ’ଣ ହେବ ତାହାକୁ ନେଇ ଏବେଠୁ ଅନେକ ପ୍ରଶ୍ନ ଉଠିଲାଣି । ରାଜନୀତିରେ କେହି କାହାର ଚିରଦିନ ଶତ୍ରୁ କିମ୍ବା କେହି କାହାର ମିତ୍ର ନୁହଁନ୍ତି । ବାଲେଶ୍ୱରର ପୂର୍ବତନ ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ଇଂ. ଜେନା ନିକଟରେ ବିଜେପିରେ ମିଶିବା ପରେ ଏହା ପ୍ରମାଣିତ ହୋଇଛି। ପୂର୍ବରୁ ବାଲେଶ୍ୱର ରାଜନୀତି କଥା ଉଠିଲେ ଜିଲ୍ଲାର ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡିର ଶ୍ରୀ ଷଡ଼ଙ୍ଗୀ, ଇଂ. ଜେନାଙ୍କ ମୁହଁ ଆଖି ସାମ୍ନାକୁ ଆସୁଥିଲା। ଏହି ଦୁଇ ନେତା କେବଳ ଜିଲ୍ଲାରେ ସୀମିତ ନ ଥିଲେ ବରଂ ରାଜ୍ୟ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ । ସୁଯୋଗ ମିଳିଲେ ଉଭୟ ନେତା ପରସ୍ପର ଦଳକୁ ସମାଲୋଚନା କରିବାକୁ ମଧ୍ୟ ପଛାଉ ନ ଥିଲେ । ୨୦୨୪ ଓ ୨୦୨୯ ନିର୍ବାଚନରେ ଉଭୟ ନେତା ପରସ୍ପର ବିରୋଧରେ ଗୋଟିଏ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଉଭୟ ଥରେ ଲେଖାଏଁ ବିଜୟ ଓ ପରାଜୟକୁ ମଧ୍ୟ ସାମ୍ନା କରିଥିଲେ । ମାତ୍ର ଏବେ ଉଭୟ ନେତା ଗୋଟିଏ ଦଳରେ ଅଛନ୍ତି । ବିଳମ୍ବରେ ହେଲେ ବି ଉଭୟ ଉଭୟଙ୍କୁ ପ୍ରଶଂସା କରୁଛନ୍ତି । ଏମିତିକି ମଙ୍ଗଳବାର ଦିଲ୍ଲୀରେ ଇଂ. ଜେନା ସାଂସଦ ଶ୍ରୀ ଷଡ଼ଙ୍ଗୀଙ୍କୁ ଭେଟିଛନ୍ତି । ଏହି ସବୁ ଭିତରେ ଆଗାମୀ ଦିନରେ ଏହି ଦୁଇ ନେତାଙ୍କ କାର୍ୟ୍ୟପନ୍ଥା କ’ଣ ହେବ ତାହା ଉପରେ ସମସ୍ତଙ୍କ ନଜର ଅଛି ।
ଇଂ. ଜେନା ବିଜେପିରେ ଯୋଗଦେବା ପରେ ଭିନ୍ନ କଥା ଶୁଣିବାକୁ ମିଳୁଛି । ସେଥିମଧ୍ୟରୁ ଗୋଟିଏ କଥା ହେଉଛି ୨୦୨୯ ପୂର୍ବରୁ ଜିଲ୍ଲାରେ ଦୁଇ ଲୋକସଭା ନିର୍ବାଚନମଣ୍ଡଳୀ କରାଯିବ । ଗୋଟିଏରେ ଇଂ. ଜେନାଙ୍କୁ ଟିକଟ ମିଳିବ । ସେହିଭଳି ଅନ୍ୟଟିରେ ପ୍ରତାପ ଷଡ଼ଙ୍ଗୀଙ୍କୁ ମିଳିବା ନେଇ ଆଲୋଚନା ହେଉଛି । ଆଉ ଏକ ଆଲୋଚନା ଅନୁଯାୟୀ ବୟସାଧିକ କାରଣରୁ ପ୍ରତାପ ଷଡ଼ଙ୍ଗୀ ୨୦୨୯ ନିର୍ବାଚନ ଲଢ଼ି ନପାରନ୍ତି । ତାଙ୍କ ସମର୍ଥକଙ୍କୁ ସାଂସଦ ଟିକଟ ମିଳିପାରେ । ନନାଙ୍କୁ ରାଜ୍ୟପାଳ ଭଳି କିଛି ଗୁରୁତ୍ୱପୂର୍ଣ୍ଣ ପଦବି ମିଳିପାରେ ବୋଲି କୁହାଯାଉଛି । ଏହି କଥା ଯଦି ସତ ହୁଏ ତେବେ ଦଳ ଉଭୟ ନେତାଙ୍କୁ ଠିକ୍ ଜାଗାରେ ଥଇଥାନ କରିପାରିବ । ଯଦି ଦଳ ଉପଯୁକ୍ତ ନିଷ୍ପତ୍ତି ନେବାରେ ଭୁଲ କରିବ ତେବେ ଉଭୟ ନେତାଙ୍କ ମଧ୍ୟରୁ କାହାକୁ ରାଜନୀତିରେ ନରମ ହେବାକୁ ପଡ଼ିବ ବୋଲି ରାଜନୀତି ସମୀକ୍ଷକମାନେ କହିଛନ୍ତି । ଏଭଳି ସମୟରେ ଇଂ. ଜେନା ଦିଲ୍ଲୀରେ ଷଡ଼ଙ୍ଗୀଙ୍କୁ ଭେଟିବା ସକାରାତ୍ମକ ଭାବନାର ପ୍ରମାଣ ଦେଇଛି । ବିଜେପିରେ ଇଂ. ଜେନା ମିଶିବା ପରଠୁ ପ୍ରତାପଙ୍କୁ ନିଜର ନେତା ବୋଲି ସ୍ୱୀକାର କରିବା ସହ ତାଙ୍କ ନେତୃତ୍ୱରେ କାମ କରିବା ନେଇ କହିଛନ୍ତି । ଏସବୁ ସତ୍ତ୍ଵେ ୨୦୨୯ ନିର୍ବାଚନ ପର୍ୟ୍ୟନ୍ତ ଉଭୟଙ୍କ ସମ୍ପର୍କ କେମିତି ରହୁଛି ତାହା ସମୟ ହିଁ କହିବ ।
Comments ସମସ୍ତ ମତାମତ