ମୁଖ୍ୟ ଖବର
ଭଣ୍ଡାରିପୋଖରୀ : ଗତ କିଛିଦିନ ଧରି ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଛି ଭଦ୍ରକ। ମଙ୍ଗଳବାର ଏକ ଘଟଣାକୁ ନେଇ ପୁଣି ସବୁଠି ଚର୍ଚ୍ଚା ଓ ଆଲୋଚନା ଜୋର୍ ଧରିଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ର କରଞ୍ଜି ଗ୍ରାମରେ ଅନୁଷ୍ଠିତ ଏକ ଶ୍ରାଦ୍ଧବାର୍ଷିକୀରେ ଜିଲ୍ଲାର ଦୁଇ ଭେଟେରାନ୍ ନେତାଙ୍କ ଭେଟଘାଟ୍କୁ ନେଇ ସୋସିଆଲ ମିଡିଆଠୁ ଆରମ୍ଭ କରି ହାଟ ବଜାର ପର୍ୟ୍ୟନ୍ତ ଆଲୋଚନା ଚାଲିଛି।
କରଞ୍ଜି ଗ୍ରାମର ପୂର୍ବତନ ସରପଞ୍ଚ ତଥା ପ୍ରାକ୍ତନ ବିଜେପି ଜିଲ୍ଲା ଉପସଭାପତି ସ୍ୱର୍ଗତ ଜଗବନ୍ଧୁ ଦାସଙ୍କ ପ୍ରଥମ ଶ୍ରାଦ୍ଧତ୍ସୋବ ଥିଲା । ଏଥିରେ ଯୋଗଦେବା ପାଇଁ ଆସିଥିବା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ଭେଟଘାଟ୍କୁ ନେଇ ନାନା ରାଜନୈତିକ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ଏଭଳି କାର୍ୟ୍ୟକ୍ରମରେ ଦଳମତ ନିର୍ବିଶେଷରେ ଯୋଗଦେବା କିଛି ଅସଙ୍ଗତି ନୁହେଁ । ମାତ୍ର ସାମ୍ପ୍ରତିକ ରାଜନୈତିକ ଦୃଶ୍ୟପଟରେ ଜିଲ୍ଲାର ଦୁଇ ତୁଙ୍ଗ ନେତା ଭିନ୍ନ ଢଙ୍ଗରେ ପରସ୍ପରକୁ ସମ୍ଭାଷଣ କରିବାକୁ ନେଇ ଆଲୋଚନା ପର୍ୟ୍ୟାଲୋଚନା ଆରମ୍ଭ ହୋଇଛି । ସ୍ମୃତିସଭା ଆରମ୍ଭରୁ ମନମୋହନ ଆସି ମଞ୍ଚର ବାମପାର୍ଶ୍ୱରେ ବସିଥିଲେ । ବିଳମ୍ବରେ ହେଉପଛେ ପ୍ରଫୁଲ୍ଲ ସଭାକୁ ଆସି ଡାହାଣ ପାର୍ଶ୍ୱରେ ବସିବା ମାତ୍ରେ ମନମୋହନ ତାଙ୍କ ନିକଟକୁ ଆସି ବେଶ ଆତ୍ମୀୟତାର ସହ ସମ୍ଭାଷଣ କରିଥିଲେ । ପ୍ରଫୁଲ୍ଲ ଛିଡ଼ା ହୋଇ ମନମୋହନଙ୍କ ସହ ୨ ମିନିଟ୍ କଥା ହୋଇଥିଲେ ।
Comments ସମସ୍ତ ମତାମତ