ଭୁବନେଶ୍ୱର: ଯାଜପୁରରେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ବିଜେଡି ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼ାଇଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ନବୀନ ବାବୁଙ୍କ ସମୟରେ ଯାଜପୁରର ଅନେକ ବିକାଶ ହୋଇଛି। ତେବେ ସବୁ ଯେ ବିକାଶ ହୋଇଛି, ତାହା ନୁହେଁ, କିଛି କାମ ବାକି ମଧ୍ୟ ଘଡାଇ କହିଛନ୍ତି।
ସେ ଆହୁରି କହିଛନ୍ତି ନବୀନଙ୍କ ସମୟରେ ନଗଡ଼ା ଚିତ୍ର ବଦଳିଛି। ବିଜେପି ପାଖରେ ସୁଯୋଗ ଅଛି, ସେ ବାକିଥିବା କାମକୁ ମଧ୍ୟ ଆଗେଇ ନେଇପାରିବେ।
ମୁଖ୍ୟମନ୍ତ୍ରୀଙ୍କ ପରିବାରବାଦ ମନ୍ତବ୍ୟକୁ ମୁଁ ଗ୍ରହଣ କରିପାରୁନି ବୋଲି ଘଡ଼ାଇ କହିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଯାଜପୁର ଜିଲାର ବଡ଼ଚଣା ନିର୍ବାଚନମଣ୍ଡଳୀରେ ମୋହନ ମଞ୍ଚ ଉପରୁ ବିଜେଡିକୁ ଟାର୍ଗେଟ କରିଥିଲେ। ଯାଜପୁରକୁ ୩ ପରିବାର ଲୁଟିଛନ୍ତି। ବିକାଶ ନାଁରେ ୩ ପରିବାର ଯାଜପୁରକୁ ଲୁଟିଛନ୍ତି। ନାଁ ନନେଇ ବିଜେଡିର ୩ ନେତାଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ଯାଜପୁର ଏକ ଶିଳ୍ପ ସମୃଦ୍ଧ ଓ ଖଣି ଖାଦାନରେ ଭରପୂର ଅଞ୍ଚଳ। ଯେତିକି ଉନ୍ନତି ହେବା କଥା ସେତିକି ନାହିଁ, ଲୋକେ ଏବେ ବି ଗରିବ ଅଛନ୍ତି। ବିଗତ ସରକାରରେ ଅବହେଳିତ ହୋଇଥିବା ଲୋକଙ୍କୁ ସୁବିଧା ମିଳିବ ବୋଲି ମୋହନ ମାଝୀ ଆଶ୍ୱସନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ବିକାଶ ନାଁରେ ବିନାଶ କରିଛି ବିଜେଡି। ଯାଜପୁରର ନଗଡ଼ା ଅପପୃଷ୍ଟି କଥା ରାଜ୍ୟ ନୁହେଁ ପୁରା ଦେଶରେ ଚର୍ଚ୍ଚା ରହିଥିଲା। ଖାଇବାକୁ ନପାଇ ପ୍ରାୟ ୧୫ ଶିଶୁଙ୍କ ଜୀବନ ଯାଇଥିଲା। ଯାଜପୁରର ଗୁରୁବାରୀ ମାଉସୀ ଚାକୁଣ୍ଡା ପତ୍ର ଭାଜି ଖାଇଥିଲେ। ୨୪ ବର୍ଷ ଭିତରେ କି ବିକାଶ ହୋଇଛି, ଏବେ ଆହୁରି ସମୟ ମାଗୁଛନ୍ତି। ୨୪ ବର୍ଷ ଶାସନରେ ବିକାଶ ନାଁରେ ବିନାଶ କରିଛି ବିଜୁ ଜନତା ଦଳ ବୋଲି ସେ କହିଛନ୍ତି।
Comments ସମସ୍ତ ମତାମତ