ଭୁବନେଶ୍ୱର: ନୂଆପଡ଼ାରେ ଏକ କଲରାପତରିଆ ବାଘ ମାରି ତାହାର ମାଂସ ଖାଇବା ପ୍ରସଙ୍ଗରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବାଘମାରି ଖାଇଥିବା ଲୋକଙ୍କୁ ସାମାଜିକ ବାସନ୍ଦ କରିବାକୁ ଆହ୍ୱାନ ଦିଆଯାଇଛି । ଏଭଳି ଆହ୍ୱାନ ଆଉ କେହି ନୁହେଁ ଖୋଦ ପିସିସିଏଫ ସୁଶାନ୍ତ ନନ୍ଦ ଦେଇଛନ୍ତି ।
ସେ କହିଛନ୍ତି ଯେ ପ୍ରଥମ ଥର ଦେଖିବାକୁ ମିଳୁଛି ଯେ ଲୋକେ ବାଘ ମାରି ମାଂସ ଖାଉଛନ୍ତି । ସଭ୍ୟ ସମାଜରେ ଏମାନେ ରହିବାକୁ ଯୋଗ୍ୟ ନୁହନ୍ତି, ବାସନ୍ଦ କରନ୍ତୁ । ଲୋକମାନେ ଏନେଇ ସଚେତନ ହେବା ଜରୁରୀ ବୋଲି ପିସିସିଏଫ ସୁଶାନ୍ତ ନନ୍ଦ ଦେଇଛନ୍ତି ।
ସୂଚନା ଅନୁସାରେ, ସୁନାବେଡ଼ା ଅଭୟାରଣ୍ୟର ତଳି ଅଞ୍ଚଳ କୋମନା ରେଞ୍ଜ ଦେଓଦରା ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଶିକାରୀମାନେ ଦେଓଧରା ପାଟିଡ଼ଙ୍ଗର ଜଙ୍ଗଲରେ ବାର୍ହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ। ହେଲେ ବିଦ୍ୟୁତ୍ ତାରରେ ଲାଗି ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିଲା। ସକାଳେ ୪ ଜଣ ଶିକାରୀ ମୃତବାଘକୁ ଜଙ୍ଗଲର ଏକ ନାଳ ପାଖରେ ଖଣ୍ଡଖଣ୍ଡ କରି କାଟିଥିଲେ। ଅଧାମାଂସକୁ ଭୋଜି କରି ଖାଇଥିଲେ। ଅବଶିଷ୍ଟ ମାଂସ ସହ ମୁଣ୍ଡ, ଗୋଡ଼ ଓ ଛାଲ ରଖିଥିଲେ। କୌଣସି ସୂତ୍ରରୁ ଖବର ପାଇ ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ୍ ଖାନଙ୍କ ନେତୃତ୍ବରେ ବନ ବିଭାଗର ସ୍ୱତନ୍ତ୍ର ଟିମ୍ ସୋମବାର ରାତିରେ ଦେଓଧରା ଗାଁରେ ଚଢ଼ଉ କରି ଗାଁର ପୁସ୍ତମ ଚିନ୍ଦା (୫୮) ଓ ହୃଷୀକେଶ ଚିନ୍ଦା (୪୦)ଙ୍କ ଘରୁ ବାଘ ମୁଣ୍ଡ, ଲାଞ୍ଜ, ଛାଲ ଓ ମାଂସ ଜବତ କରିଥିଲେ।
ସଂପୃକ୍ତ ୨ ଜଣଙ୍କୁ ଗିରଫ କରିଥିଲେ। ଶିକାର ପାଇଁ ବ୍ୟବହାର ହୋଇଥିବା ତାର ଓ ବାଘକୁ କାଟିବାରେ ବ୍ୟବହୃତ ଅସ୍ତ୍ର ମଧ୍ୟ ଜବତ କରାଯାଇଛି। ଏହା ଘଟଣାରେ ସମ୍ପୃକ୍ତ ଅନ୍ୟ ୨ ଜଣ ଫେରାର୍ ହୋଇଯାଇଛନ୍ତି। ଅନ୍ୟପକ୍ଷରେ ଏହି ଗାଁର କେତେକ ଲୋକଙ୍କ ଘରୁ ଶୁଖିଲା ବାର୍ହା ଓ ସମ୍ବର ମାଂସକୁ ମଧ୍ୟ ବନ ବିଭାଗ ଜବତ କରିଛି। ଜବତ ବାଘମୁଣ୍ଡ, ଲାଞ୍ଜ ଓ ମାଂସକୁ ବନ ବିଭାଗ ପୋତି ଦେଇଥିବା ବନଖଣ୍ଡ ଅଧିକାରୀ ଅଜିଜ୍ ଖାନ କହିଛନ୍ତି।
Comments ସମସ୍ତ ମତାମତ