ମୁଖ୍ୟ ଖବର
ଗଜପତି : ପ୍ରେମିକ ପାଇଁ ବଳିପଡ଼ିଲା ମାଆ । ପ୍ରେମିକର ପ୍ରେମ ଆଗରେ ଫିକା ପଡ଼ିଗଲା ମାଆର ମମତା । ଦିନେ ରାସ୍ତାକଡ଼ରେ କାନ୍ଦୁଥିବା କୁନି ଝିଅକୁ ଉଠାଇ ଆଣି ପାଳିପୋଷି ବଡ଼ କରିଥିଲେ ରାଜଲକ୍ଷ୍ମୀ କର । କିନ୍ତୁ ସେହି ମାଆକୁ ହତ୍ୟା କରିବାକୁ ପଛାଇଲାନି ଅଷ୍ଟମ ଶ୍ରେଣୀରେ ପଢୁଥିବା ପାଳିତ ଝିଅ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ଘଟିଥିବା ଏହି ହତ୍ୟାକାଣ୍ଡ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମିଳିଥିବା ସୂଚନା ମୁତାବକ, ପୋଷ୍ୟ ଝିଅକୁ ଉଚ୍ଚ ଶିକ୍ଷିତା କରିବାକୁ ଚାହିଥିଲେ ରାଜଲକ୍ଷ୍ମୀ । କିନ୍ତୁ ଝିଅର ଅନୈତିକ କାର୍ୟ୍ୟକଳାପ ସମ୍ପର୍କରେ ଜାଣିବା ପରେ ଏହାକୁ ବିରୋଧ କରିବାରୁ ପ୍ରେମିକ ସହ ମିଶି ମାଆକୁ ହତ୍ୟା କରିଛି ଝିଅ । ଏପ୍ରିଲ ୨୯ ତାରିଖରେ ମାଆର ଖାଦ୍ୟରେ ନିଶା ବଟିକା ଦେଇଥିଲା ନାବାଳିକା ଝିଅ । ଆଉ ମାଆ ଜଣକ ଅଚେତ ହେବା ପରେ ପ୍ରେମିକ ଓ ତାର ସହଯୋଗୀ ସହ ମିଶି ତଣ୍ଟି ଚିପି ହତ୍ୟା କରିଥିବା ଜଣାପଡ଼ିଛି । ହତ୍ୟାକାଣ୍ଡ ପରେ ଏହାକୁ ହୃଦଘାତ ବୋଲି କହିବା ସହ ଭୁବନେଶ୍ବର ନେଇ ଅନ୍ତିମ ସଂସ୍କାର ମଧ୍ୟ କରିଥିଲା ନାବାଳିକା । କିନ୍ତୁ ନାବାଳିକା ଓ ତାର ପ୍ରେମିକର କଥାବାର୍ତ୍ତାରୁ ପରିବାର ଲୋକଙ୍କ ସନ୍ଦେହ ହେବା ପରେ ତଦନ୍ତ ପାଇଁ ଥାନାର ଦ୍ବାରସ୍ଥ ହୋଇଥିଲେ ପରିବାର ଲୋକେ । ପରେ ନାବାଳିକାଙ୍କ ଇନଷ୍ଟାଗ୍ରାମ ଚାଟ୍ରୁ ସାମ୍ନାକୁ ଆସିଥିଲା ସତ । ପୁଲିସ ଅଭିଯୁକ୍ତ ନାବାଳିକା ଓ ତାର ପ୍ରେମିକକୁ ଗିରଫ କରିବା ସହ ହତ୍ୟାକାଣ୍ଡ ଘଟାଇଥିବା ଘରକୁ ନେଇ ସିନ୍ ରିକ୍ରିଏସନ୍ କରିଛି ।
Comments ସମସ୍ତ ମତାମତ