ମୁଖ୍ୟ ଖବର
ଭୁବନେଶ୍ୱର: କଂଗ୍ରେସ ନେତା ମହମ୍ମଦ ମୋକିମ ଗତକାଲି ଦେଇଥିବା ମନ୍ତବ୍ୟ ଓ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବା ପ୍ରସଙ୍ଗକୁ ନେଇ ଆଜି ବରିଷ୍ଠ ନେତୃବନ୍ଦ ମୁହଁ ଖୋଲିଛନ୍ତି । ସୁର ରାଉତରାୟ, ଜୟଦେବ ଜେନା ଓ ଅନନ୍ତ ସେଠୀ ନିଜ ନିଜ ପ୍ରତିକ୍ରିୟା ରଖିଛନ୍ତି ।
ମୋକିମ ଏପରି କରି ନିଜ ଝିଅ କ୍ୟାରିୟରକୁ ନଷ୍ଟ କରୁଛନ୍ତି ବୋଲି ସୁର ରାଉତରାୟ କହିଛନ୍ତି । ଏହାଛଡ଼ା ସୁର କହିଛନ୍ତି ଯେ ମୋକିମ ତାଙ୍କର ବେପାର କରନ୍ତୁ କି ନୂଆ ଦଳ କରିବାର ଥିଲେ କରନ୍ତୁ । ଯଦି ଚିଠି ଲେଖିଲ ତେବେ ତାହା ପଦାକୁ କାହିଁକି ଆସିଲା ବୋଲି ସୁର ପ୍ରଶ୍ନ କରିଛନ୍ତି ।
ସେହିପରି ଅନନ୍ତ ସେଠୀ କହିଛନ୍ତି ଯେ ହାଇକମାଣ୍ଡଙ୍କୁ ଜଣାନ୍ତୁ କିଛି ଅସୁବିଧା ନାହିଁ । ତେବେ ମିଡିଆ ସାମନାକୁ ଆସିବା ଠିକ ହେଲାନି । ମୁଁ ମୋକିମଙ୍କ ଏପରି କାର୍ଯ୍ୟକୁ ନାପସନ୍ଦ କରୁଛି ବୋଲି ଶ୍ରୀ ସେଠୀ କହିଛନ୍ତି ।
ସେହିପରି ଜୟଦେବ ଜେନା ମଧ୍ୟ ମୋକିମଙ୍କ ସହ ଏକମତ ନୁହନ୍ତି ବୋଲି କହିଛନ୍ତି । ସେ କହିଛନ୍ତି ଯେ ଖଡ଼ଗେଙ୍କ ବୟସକୁ ନେଇ ପ୍ରଶ୍ନ କରିବା ଠିକ ହେଲାନି ବୋଲି ଭାବୁଛି । ରାହୁଲ ଗାନ୍ଧୀଙ୍କୁ ଦେଖା କରିପାରିଲେନି ବୋଲି କହିବା ତାହା ମୋକିମଙ୍କ ବ୍ୟକ୍ତିଗତ ମନ୍ତବ୍ୟ । ରାହୁଲ ସାରା ଦେଶ କଥା ବୁଝୁଛନ୍ତି । ମୁଁ ତାଙ୍କୁ ଲେଖିଥିବା ଚିଠିର ଉତ୍ତର ପାଇଛି । ତେଣୁ ଏହାକୁ ଏକ ଇସୁ୍ୟ କରିବା ବେକାର କଥା ।
ରାଜ୍ୟ କଂଗ୍ରେସର ଦୁର୍ବଳ ନେତୃତ୍ୱ ନେଇ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ଅସନ୍ତୋଷ ଝାଡ଼ିଛନ୍ତି ପୂର୍ବତନ ବିଧାୟକ ମୋକିମ୍। ସେ ଲେଖିଛନ୍ତି, ଲଗାତର ତିନି ତିନି ଥର ନିର୍ବାଚନରେ ପରାଜିତ ଭକ୍ତଙ୍କୁ ପିସିସି ସଭାପତି ନିଯୁକ୍ତି କରିବା ଦ୍ବାରା ସାଧାରଣ କର୍ମୀ ହତୋତ୍ସାହିତ ହୋଇଛନ୍ତି। ଜେପି ଆନ୍ଦୋଳନ ସମୟରେ ଗାନ୍ଧି ପରିବାରକୁ ସମାଲୋଚନା କରିଥିବା ଭକ୍ତଙ୍କ ବିଚାରଧାରା କଂଗ୍ରେସଠାରୁ ଭିନ୍ନ। ସେ ଓ ତାଙ୍କ ପୁଅ ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନକୁ ଖୋଲାଖୋଲି ସମର୍ଥନ କରୁଛନ୍ତି। ଯେଉଁଥିପାଇଁ ଦଳର କାର୍ୟ୍ୟକର୍ତ୍ତା ଅସନ୍ତୋଷ ପ୍ରକାଶ କରୁଛନ୍ତି। କେବଳ ଏତିକି ନୂହେଁ ଭକ୍ତଙ୍କ ନେତୃତ୍ବରେ ନୂଆପଡ଼ା ଉପନିର୍ବାଚନରେ ଲଢିଥିବା କଂଗ୍ରେସ ୮୩ ହଜାର ଭୋଟରେ ପରାସ୍ତ ହେବା କର୍ମୀଙ୍କ ମନୋବଳକୁ କମାଇଛି। ଯଦି ଖୋଦ୍ ନେତା ନିଜ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ଭରସା ଜିତି ପାରିବେନି ତାହେଲେ କର୍ମୀମାନେ ସ୍ବତଃପ୍ରବୃତ ଭାବରେ ତାଙ୍କ ନେତୃତ୍ବ ଉପରେ ଆସ୍ଥା ହରାଇବେ। ଆଉ ରାଜ୍ୟରେ ଦଳକୁ ଦିଗଦର୍ଶନ ଦେବାରେ ତାଙ୍କ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇବେ। ଏହି ସ୍ଥିତି ଯୋଗୁଁ ରାଜ୍ୟରେ ତୃଣମୂଳ ସ୍ତରର କର୍ମୀ ଏବେ ଦିଶାହୀନ ହୋଇପଡିଛନ୍ତି।
ସେହିପରି ମୋକିମ୍ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିଯୁକ୍ତିକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। କେବଳ ଏହା ନୁହଁ ମୋକିମ ଦଳୀୟ ନେତୃବୃନ୍ଦ ଓ ତୃଣମୂଳସ୍ତରୀୟ କର୍ମୀଙ୍କ ମଧ୍ୟରେ ବୃଦ୍ଧିପାଉଥିବା ଦୂରତା କଥାକୁ ଉଲ୍ଲେଖ କରିଛନ୍ତି। ବିଧାୟକ ଥିବା ବେଳେ ସେ କିଭଳି ୩ ବର୍ଷ ଯାଏ ରାହୁଲ ଗାନ୍ଧିଙ୍କୁ ଭେଟି ପାରି ନ ଥିଲେ ତାହା ଲେଖିଛନ୍ତି। ଏଥିସହିତ ବର୍ତ୍ତମାନର ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ବୟସ କଥା ଉଠାଇ କଂଗ୍ରେସରେ ଯୁବ ନେତୃତ୍ୱର ଆବଶ୍ୟକତା ଥିବା କହିଛନ୍ତି ମୋକିମ୍।
Comments ସମସ୍ତ ମତାମତ