ମୁଖ୍ୟ ଖବର
ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ଆଜି ଦ୍ୱୀତିୟ ଦିନ । ବିଭିନ୍ନ ପ୍ରସଙ୍ଗକୁ ନେଇ ଜୋରଦାର ହଙ୍ଗାମା ଭିତରେ ଉଭୟ ସଦନର କାର୍ଯ୍ୟ ମଧ୍ୟାହ୍ନ 12ଟା ଯାଏ ମୁଲତବୀ ରହିଥିଲା । ତେବେ ଦ୍ୱୀତିୟ ଦିନର କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଏନଡିଏର ମଙ୍ଗଳ ମିଳନ ବୈଠକ ବସିଥିଲା । ଏହି ବୈଠକରେ ଏନଡିଏର ସମସ୍ତ ସହଯୋଗୀ ଦଳ ନେତା ସାମିଲ ହୋଇଥିଲେ । ବୈଠକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିିଥିଲେ ।
ମିଳିଥିବା ସୂଚନା ଅନୁଯାୟୀ, ବୈଠକରେ ପ୍ରଧାନମନ୍ତ୍ରୀ ନିଟ୍ ପେପର ଲିକ ଉପରେ ତାଙ୍କର ବୟାନ ରଖିଥିଲେ । କେନ୍ଦ୍ରୀୟ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବୈଠକ ସମାପ୍ତ ହେବା ପରେ ସୂଚନା ପ୍ରଦାନ କରିଥିଲେ । ସେ ସୂଚନା ଦେଇଥିଲେ, ‘ପ୍ରଧାନମନ୍ତ୍ରୀ ମୋଦି ବୈଠକରେ କହିଥିଲେ, ନିଟ୍ ପରୀକ୍ଷା ପେପର ଲିକ୍ ଜନିତ ଚିନ୍ତା ମଧ୍ୟରେ ସରକାର ଛାତ୍ରମାନଙ୍କ ସହ ଅଛନ୍ତି । ନିଟ ଅବ୍ୟବସ୍ଥା ସହ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।' ଆଜି ଏନଡିଏ ପାର୍ଲାମେଣ୍ଟ୍ରି ପାର୍ଟିର ମଙ୍ଗଳ ମିଳନ ମିଟିଂ ପରେ ରିଜିଜୁ କହିଛନ୍ତି, 'ପ୍ରଧାନମନ୍ତ୍ରୀ ସ୍ପଷ୍ଟ କହିଛନ୍ତି, ନିଟ ପେପର ଲିକ୍ ଦେଶର ଚିନ୍ତା । ଏହାକୁ ନେଇ ରାଜନୀତି କରିବା ଉଚିତ ନୁହେଁ ।'
ରିଜିଜୁ କହିଛନ୍ତି, 'ନିଟ୍ ପରୀକ୍ଷାକୁ ନେଇ ମୋଦି କହିଛନ୍ତି, ଆମେ ଛାତ୍ରଙ୍କ ସହ ଛିଡା ହୋଇଛୁ । ପେପର ଲିକ୍ ମାମଲାରେ ବରିଷ୍ଠ ଓକିଲଙ୍କ ପରାମର୍ଶ କ୍ରମେ କଠୋର କାର୍ଯାନୁଷ୍ଠାନ ନିଆଯିବ । ଯେଉଁଠି ବି ପେପର ଲିକ୍ ହେଉଛି, କେବଳ କେନ୍ଦ୍ର ନୁହେଁ, ରାଜ୍ୟ ସରକାର ମଧ୍ୟ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଉଚିତ ।'
ନିଟ୍-ୟୁଜି 2026 ପେପର ଲିକକୁ ନେଇ କକରୋଚ ଜନତା ପାର୍ଟି ସୋମବାର ବିରୋଧ ପ୍ରଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀଙ୍କର ଏହି ଟିପ୍ପଣୀ ସାମ୍ନାକୁ ଆସିଛି । ଦାବି ପୂରଣ ପାଇଁ ଦଳର ଦୁଇଜଣ ନେତା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ସାକ୍ଷାତ କରିଥିଲେ । ସିଜେପି ଆନ୍ଦୋଳନକାରୀମାନେ ସଂସଦ ଭବନ ଆଡକୁ ଆସୁଥିବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ । ଯାହା ଫଳରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ତେବେ ବୈଠକକୁ ନେଇ ରିଜିଜୁ କହିଛନ୍ତି, 'ଏନଡିଏ ସଂସଦୀୟ ଦଳ ବୈଠକ ସଫଳ ହୋଇଛି । ପ୍ରଧାନମନ୍ତ୍ରୀ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସମସ୍ତ ସଦସ୍ୟଙ୍କୁ ମାର୍ଗଦର୍ଶନ କରାଇଥିଲେ । ଏହା ଏକ ଖୁବ ସକାରାତ୍ମକ ବୈଠକ ଥିଲା । ଗତ କିଛି ମାସ ମଧ୍ୟରେ ଦେଶକୁ ମିଳିଥିବା ସଫଳତା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଏଥିସହିତ ଭିନ୍ନ ଭିନ୍ନ ଦେଶ ସହିତ ସ୍ୱାକ୍ଷରିତ ହୋଇଥିବା ଏଫଟିଏ ଉପରେ ଆଲୋଚନା କରିଥିଲେ ।'
Comments ସମସ୍ତ ମତାମତ