ମୁଖ୍ୟ ଖବର
ଭୁବନେଶ୍ବର: ମୋହନ ମାଝୀଙ୍କ ସରକାରରେ ଗୋ ଚାଲାଣକାରୀଙ୍କୁ ସ୍ଥାନ ନାହିଁ । ଖୋଜି ଖୋଜି ସମସ୍ତଙ୍କୁ ବନ୍ଧା ଯିବ । ଗତ ସରକାର ସମୟରେ ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କୁ ଛତ୍ର ଛାୟା ତଳେ ଗୋ-ମାଫିଆ ମାନେ ସକ୍ରିୟ ଥିଲେ । ମାତ୍ର ଏ ସରକାରରେ ତାହା ଚଳିବ ନାହିଁ । ଏନେଇ ଗୋ-ଚାଲାଣକାରୀଙ୍କୁ ସିଧା ସିଧା ଚେତାବନୀ ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସେ ଆହୁରି ମଧ୍ୟ କହିଛନ୍ତି, ଗୋମାଂସ ଚାଲାଣକାରୀ ସୁଧୁରି ଯାଆନ୍ତୁ । ୧୯୬୦ ଗୋ-ହତ୍ୟା ଆଇନ ଏବେବି ବଳବତ୍ତର ରହିଛି । ଏହାକୁ ଆହୁରି ସଂସ୍କାର ଆଣିବାକୁ ସରକାର ଚେଷ୍ଟା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।
ଗୋ-ଚାଲାକୁ ନେଇ ରାଜ୍ୟ ସରକାରଙ୍କ ଏକ ନୂଆ ନାରା ସାମ୍ନାକୁ ଆସିଛି । " ରଖନ୍ତୁ କୁତ୍ତା, କିନ୍ତୁ ତା’ସହ ରଖନ୍ତୁ ଗୋମାତା " । ଶନିବାର ରାଜ୍ୟର ୫ ସ୍ଥାନରେ ଗୋ-ମାଫିଆଙ୍କ ଠିକଣାରେ ଚଢ଼ାଉ ହୋଇଥିଲା । ଆଗାମୀ ଦିନରେ ଗୋ-ମାଂସ ଚାଲାଣକାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି କରାଯିବ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି । ବିଜେଡି ସରକାର ସମୟରେ ଗୋ-ମାଫିଆ ମାନେ ରାଜନେତା ଏବଂ ପ୍ରଶାସନିକ ଅଧିକାରୀଙ୍କ ଛତ୍ରଛାୟାରେ ସକ୍ରିୟ ଥିଲେ । କିଛି ବର୍ଷ ତଳେ ଆଠଗଡ଼ ତିଗିରିଆରେ କୁଢ଼ କୁଢ଼ ଗୋ ହାଡ଼ ଓ ମୁଣ୍ଡ ମିଳିଥିଲା । ଏଥିରୁ ସ୍ପଷ୍ଟ ଯେ ପୂର୍ବ ସରକାରରେ ଅଧିକ ଗୋ-ହତ୍ୟା ହେଉଥିଲା । ମାତ୍ର ମୋହନ ସରକାର କିନ୍ତୁ କଡ଼ା ଆଭିମୁଖ୍ୟ ନେଇଛନ୍ତି । ଗୋ-ଚାଲାଣକାରୀ ସୁଧୁରି ଯାଆନ୍ତୁ, ନହେଲେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମତ୍ସ୍ୟ ଓ ପ୍ରଣୀଧନ ସମ୍ପଦ ମନ୍ତ୍ରୀ କହିଛନ୍ତି ।
Comments ସମସ୍ତ ମତାମତ