ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ କ୍ୟାପଟେନ ମନ୍ମଥ ରାଉତରାୟ । ସୁରଙ୍କ ସାନ ପୁଅ ମନ୍ମଥ ଜଟଣୀ ନିର୍ବାଚନମଣ୍ଡଳୀରୁ ଲଢିବେ ବୋଲି ସେ ନିଜେ ସ୍ପଷ୍ଟ କରିଛନ୍ତି । ତେବେ ସେ ବାପା ସୁରଙ୍କ କହିବା ଅନୁଯାୟୀ କିନ୍ତୁ କଂଗ୍ରେସ ଟିକେଟରୁ ଲଢିବେନି ବୋଲି କହିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଯେ ବିଜେଡିରୁ ତାଙ୍କୁ ଅଫର ଥିବା ସେ କହିଛନ୍ତି ।
ସେ କହିଛନ୍ତି ଯେ ବିଜୁ ଜନତା ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା ହୋଇଛି । ବିଜେଡିରୁ ଅଫର ଅଛି । ବାପାଙ୍କ ନିଦେ୍ର୍ଧଶ କ୍ରମେ ଜଟଣୀ ପାଇଁ କାମ କରୁଛି । ଚାକିରିରୁ ଇସ୍ତଫା ଦେଇ ସାରିଛି । କେବଳ କ୍ଲିୟରାନ୍ସକୁ ଅପେକ୍ଷା କରିଛି । ଅକ୍ଟୋବର ଶେଷ ସୁଦ୍ଧା କ୍ଲିୟରାନ୍ସ ମିଳିବ ବୋଲି ଆଶା ରହିଥିବା ମନ୍ମଥ କହିଛନ୍ତି । ତେବେ ଜଟଣୀରୁ କେଉଁ ଦଳରୁ ଲଢିବି ତାହା ନଭେମ୍ବର ଆରମ୍ଭରେ ସେ ସ୍ପଷ୍ଟ କରିବେ ବୋଲି କହିଛନ୍ତି ।
ପ୍ରକାଶ ଯେ ଯଦି ମନ୍ମଥ ଲଢ଼ିବ କଂଗ୍ରେସରୁ ଲଢ଼ିବ । ଅନ୍ୟ ଦଳରୁ ଲଢ଼ିବାର ପ୍ରଶ୍ନ ଉଠୁନି। କାରଣ ମୋ ରକ୍ତରେ ରହିଛି କଂଗ୍ରେସ । କିଛି ମାସ ପୂର୍ବେ ଏଭଳି କହିଥିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ତାଙ୍କ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟରୁ ଲଢିବେନି ବୋଲି କହିବା ପରେ ସୁର ରାଉତରାୟ ଏଭଳି କହିଥିଲେ । ସେ କହିଥିଲେ ଯେ ପ୍ରତ୍ୟକ୍ଷ ରାଜନୀତିରେ ସାନପୁଅର ସେତେଟା ଅଭିଜ୍ଞତା ନାହିଁ । ତେଣୁ ଚପଳା ମନରେ କଂଗ୍ରେସରୁ ଲଢିବାକୁ ମନା କରିଛି । କିନ୍ତୁ ସାନପୁଅ କଂଗ୍ରେସରୁ ଅଲବତ ଲଢିବ । ଜଟଣୀ ଆସନରୁ କଂଗ୍ରେସ ଟିକେଟ ପୁଅକୁ ମିଳିବ, ଜଟଣୀବାସୀ ଓ ମୁଁ ତାକୁ ଜିତାଇବାର ଦାୟିତ୍ୱ ନେବୁ । ସୁର ରାଉତରାୟ ଏକ ପ୍ରେସମିଟରେ କହିଥିଲେ ପୁଅ ମୋର ଉତ୍ତରାଧିକାରୀ ଭାବେ କଂଗ୍ରେସ ଟିକେଟରେ ଜଟଣୀ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହେବ । ହେଲେ ବାପାଙ୍କ କଥାକୁ ଭୁଲ ପ୍ରମାଣିତ କରିଥିଲେ ପୁଅ ମନ୍ମଥ ରାଉତରାୟ । କଂଗ୍ରେସରୁ ନିର୍ବାଚନ ଲଢିବେନି ବୋଲି କହିଥିଲେ ମନ୍ମଥ ରାଉତରାୟ । ଅଲଗା ଦଳରୁ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଥିଲେ ମନ୍ମଥ । କିନ୍ତୁ ଏବେ ଘୋଷଣା କରିବେନି ବୋଲି ରୋକ୍ଠୋକ ମନା କରିଦେଇଥିଲେ । ତେବେ ଏସବୁ ଭୁଲ୍ ପ୍ରମାଣିତ କରିଦେଇଥିଲେ ନିଜେ ସୁର ରାଉତରାୟ । କହିଥିଲେ ଯେ, ମୋ ପୁଅ ଯଦି ଲଢିବ କଂଗ୍ରେସରୁ ଲଢିବ ।
Comments ସମସ୍ତ ମତାମତ