କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଉର୍ତ୍ତୀ ଛକ ନିକଟରେ ୬ ଲୁଟେରା ୨୫ ଲକ୍ଷ ଟଙ୍କାର ଅଳଙ୍କାର ଲୁଟିନେଲେ । ଲୁଟ୍ର ଶିକାର ହୋଇଥିବା ବ୍ୟବସାୟୀଜଣକ ହେଲେ ହିରଣ୍ୟମୟୀ ସାହୁ । ହିରଣ୍ୟମୟୀ ସାହୁଙ୍କର ଉର୍ତ୍ତୀ ଛକରେ ‘ଓମ୍ ଜୁଏଲାରୀ’ ନାମକ ଦୋକାନ ରହିଛି। ଗତ ରାତି ପ୍ରାୟ ୯ଟା ବେଳେ ହିରଣ୍ୟମୟୀ ସାହୁ ଏକ ବ୍ୟାଗ୍ରେ ସବୁ ସୁନା ଅଳଙ୍କାର ଧରି ନିଜ ସାନ ପୁଅ ସହିତ ଘରକୁ ଫେରୁଥିଲେ। ଏହି ସମୟରେ ଦୋକାନଠାରୁ ମାତ୍ର ଶହେ ମିଟର ଦୂରରେ ଆଗରୁ ଛକି ବସିଥିବା ୬ ଜଣ ଦୁବୃର୍ତ୍ତ ସେମାନଙ୍କୁ ଅଟକାଇଥିଲେ। ସେମାନେ ବନ୍ଧୁକ ଏବଂ ଭୁଜାଲି ଦେଖାଇ ବାପପୁଅଙ୍କୁ ଭୟଭୀତ କରି ଅଳଙ୍କାର ଭର୍ତ୍ତି ଛଡ଼ାଇ ନେବାକୁ ଚେଷ୍ଠା କରିଥିଲେ। ମାତ୍ର ପ୍ରଥମେ ବାପପୁଅ ଏହାକୁ ବିରୋଧ କରିଥିବା ବେଳେ ସେମାନେ ଉଭୟଙ୍କୁ ପ୍ରବଳ ପିଟିବା ସହ ଅଳଙ୍କାର ଭର୍ତ୍ତି ବ୍ୟାଗ୍ ଲୁଟି ନେଇଥିଲେ। ଏହାପରେ ଦୁଇଟି ବାଇକ୍ ଯୋଗେ କରଞ୍ଜିଆ ରାସ୍ତାରେ ଫେରାର ଯାଇଥିଲେ ।
Comments ସମସ୍ତ ମତାମତ