ମୁଖ୍ୟ ଖବର
ଭୁବନେଶ୍ବର: ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ - ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ବିବାଦ କୋର୍ଟରେ ପହଁଚିଛି। ନୀଳଗିରି ବିଧାୟକ ଦେଇଥିବା ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଲେଖାଶ୍ରୀ। କ୍ଷମା ନ ମାଗିଲେ ନୀଳଗିରି ବିଧାୟକଙ୍କ ନାଁ'ରେ ୫୦ କୋଟି ଟଙ୍କାର ଡିଫାମେସନ କେସ୍ ହେବ ବୋଲି କହିଛନ୍ତି ଲେଖାଶ୍ରୀ।
ନୀଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କ ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗରେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସାମ୍ବାଦିକ ସମ୍ମିଳନୀ। ଲେଖାଶ୍ରୀ କହିଛନ୍ତି, "ନୀଳଗିରି ବିଧାୟକ ଲେଖାଶ୍ରୀଙ୍କ ବିରୋଧରେ ଅରୁଚିକର, ଅଭଦ୍ର ମନ୍ତବ୍ୟ ଦେଇଥିଲେ। ଯାହା ସମଗ୍ର ନାରୀ ଜାତିକୁ ଅସମ୍ମାନୀତ କରିଥିଲା। ଥାନାରେ ଏତଲା ସହ ଡିଜି ଓ ସବୁ ଫୋରମରେ ଅଭିଯୋଗ କରାଯାଇଛି। ରାଜ୍ୟ ଓ ରାଷ୍ଟ୍ରୀୟ ମହିଳା ଆୟୋଗ ଯାଇଥିଲି । ଏହି ମନ୍ତବ୍ୟ ଯୋଗୁ ସ୍ୱୀକାର କରି କ୍ଷମା ମାଗିବା ଦାବି ଥିଲା। କିନ୍ତୁ ପୋଲିସ କିମ୍ବା ସରକାର କିଛି ପଦକ୍ଷେପ ନେଲେ ନାହିଁ । ମହିଳା ଆୟୋଗ ମଧ୍ୟ କିଛି ପଦକ୍ଷେପ ନେଇ ନାହାନ୍ତି। ରାଜ୍ୟ ସରକାର ମଧ୍ୟ କୌଣସି ପଦକ୍ଷେପ ନେଇ ନାହାନ୍ତି। ଦଳ ପକ୍ଷରୁ ମଧ୍ୟ କିଛି କାର୍ୟ୍ୟାନୁଷ୍ଠାନ ନିଆଗଲା ନାହିଁ। ଏହା ଫଳରେ ମହିଳାଙ୍କୁ ଯେଉଁମାନେ କ୍ଷତି ପହଞ୍ଚାଇବାକୁ ଚାହୁଁଥିବେ ସେମାନଙ୍କର ସାହସ ବଢିଛି। ଏହା ରାଜନୈତିକ ସ୍ତରରେ ଡରେଇବା ଉଦେଶ୍ୟ ଓ ଅନ୍ୟ ମହିଳା ଯେଭଳି ରାଜନୀତିକୁ ନ ଆସନ୍ତୁ ତାହା ହିଁ ଉଦେଶ୍ୟ। ମହିଳାଙ୍କୁ ଦମନ କରିବାରେ ଆଗରୁ ସଫଳ ହୋଇଛନ୍ତି ସନ୍ତୋଷ। ସେଭଳି ମୋତେ ଚାପିଦେବାକୁ ଉଦ୍ୟମ ଥିଲା। କୋର୍ଟ କଚେରୀ ଯାଏ ଯିବା ଉଦେଶ୍ୟ ନ ଥିଲା। କିନ୍ତୁ ସବୁ ମହିଳାଙ୍କ ସମ୍ମାନ ପାଇଁ ଲଢ଼ିବା ଗୁରୁ ଦାୟିତ୍ୱ। ତେଣୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।"
ଲେଖାଶ୍ରୀ ଆହୁରି ମଧ୍ୟ କହିଛନ୍ତି, "ପ୍ରଧାନମନ୍ତ୍ରୀଙ୍କ ମା'ଙ୍କ ନିନ୍ଦା ପାଇଁ ମୁଖ୍ୟମନ୍ତ୍ରୀ ବାହାରିଥିଲେ। ପ୍ରଧାନମନ୍ତ୍ରୀଙ୍କ ମା'ଙ୍କର ସମ୍ମାନ ପାଇଁ ମୁଖ୍ୟମନ୍ତ୍ରୀ ବାହାରିଲେ, ତା'ହେଲେ ମୋ ପାଇଁ କାହିଁକି ମୁହଁରୁ କିଛି ବାହାରିଲା ନାହିଁ। ବହୁ ସହଜରେ କଥା କହି ମହିଳାଙ୍କ ଚରିତ୍ର ହନନ କରିହେବ। ଏହା ଦୁଷ୍କର୍ମରୁ କମ ନୁହେଁ। ପ୍ରଭାବଶାଳୀ ଭୂମିକାରେ ରହିଛନ୍ତି ବିଧାୟକ। କେସ୍ କୁ ଦାବି ଦେବା ପାଇଁ ସେ ଚାପ ପ୍ରୟୋଗ କରୁଛନ୍ତି। ଏଭଳି ଅପଶବ୍ଦର ପ୍ରୟୋଗ ଯେଭଳି ଆଗକୁ କେହି କରିବେନି, ସେଥିପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। କୋର୍ଟ ଏ ପ୍ରସଙ୍ଗରେ ଦୃଷ୍ଟାନ୍ତ ମୂଳକ ରାୟ ଦେବେ ବୋଲି ଆଶା। ମହିଳାଙ୍କ ସୁରକ୍ଷା ପାଇଁ କୋର୍ଟ ଆଗକୁ ଆସିବେ। ଏହା ବ୍ୟକ୍ତିଗତ ଲଢେଇ ନୁହେଁ ଏହା ସବୁ ମହିଳାଙ୍କ ପାଇଁ ଲଢ଼େଇ। ମୋର ୧୭ ବର୍ଷ ଶିକ୍ଷକତା ଓ ୧୨ ବର୍ଷ ରାଜନୈତିକ କ୍ୟାରିଅର। ଯଦି ବିଧାୟକ ମୋତେ ଏମିତି କହିଲେ, ସାଧାରଣ ମହିଳାଙ୍କ ସହ ସେ କେଉଁ ଭାଷାରେ କଥା ହେଉଥିବେ? କେଉଁ ମୁହଁରେ ବିଜେପି ମା'ଙ୍କୁ ସମ୍ମାନର କଥା କହୁଛନ୍ତି। ମହିଳା ସବୁଠି ସମ୍ମାନିତ ହେବା କଥା। ଜୁଡିସିଆରୀ ଉପରେ ବହୁ ଆଶା ଅଛି। ଏ ପ୍ରସଙ୍ଗରେ ବିଜେଡି ଆନ୍ଦୋଳନକୁ ଓହ୍ଲାଇଛି। ଡିଆଇଜି ଅଫିସ ଘେରାଉ ହୋଇଛି। ବହୁ ସ୍ଥାନରେ ଏଫଆଇଆର ଦିଆଯାଇଛି। ମହିଳାଙ୍କ ସୁରକ୍ଷା ପାଇଁ ବିଜେଡି ଲଢ଼ୁଛି, ଲଢ଼ିବ। ଏ ପ୍ରସଙ୍ଗରେ ବାଚସ୍ପତିଙ୍କୁ ଅବଗତ କରାଯିବ।"
Comments ସମସ୍ତ ମତାମତ