ମୁଖ୍ୟ ଖବର
ରାୟଗଡ଼ : ଓଡ଼ିଶା ସୀମାନ୍ତରେ ଘର । ଆନ୍ଧ୍ର ସହ ବି ସମ୍ପର୍କ ରହିଛି । ଦୁଇ ରାଜ୍ୟରୁ ହାତେଇଛନ୍ତି ଭୋଟର ଆଉ ରାସନକାର୍ଡ । ହେଲେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନରେ ଭାଗ ନ ନେବାକୁ ଚେତାଇଥିଲା ପ୍ରଶାସନ । ରାଜନେତା ଅନୁରୋଧ କରିଥିଲେ । ସବୁ ସତର୍କତା, ଅନୁରୋଧକୁ ପ୍ରତ୍ୟାଖାନ କରିଛନ୍ତି ରାୟଗଡ଼ା ଓ କୋରାପୁଟ ଜିଲ୍ଲା ନନ୍ଦପୁର ସୀମାନ୍ତବାସୀ ଏବଂ ଗଜପତି ଜିଲ୍ଲାର ରାୟଗଡ଼ ଏବଂ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ସୀମାନ୍ତ ବାସିନ୍ଦା । ଏହି ୪ ଜିଲ୍ଲାର ସୀମାନ୍ତରେ ଥିବା ଲୋକେ ଆନ୍ଧ୍ର ପ୍ରଲୋଭନରେ ପଡ଼ି ଭୋଟ୍ ଦେବାକୁ ଆଜି ଧାଇଁ ଯାଇଥିଲେ । ରାୟଗଡ଼ା ଓ କୋରାପୁଟ ଜିଲ୍ଲା ନନ୍ଦପୁର ଉଭୟ ଅଞ୍ଚଳର କେତେକ ଲୋକ ଆନ୍ଧ୍ରର ୮ ବୁଥ୍ରେ ଭୋଟ ଦେଇଛନ୍ତି । ସେମାନଙ୍କ ପାଖରେ ଉଭୟ ରାଜ୍ୟର ଭୋଟର ପରିଚୟପତ୍ର ରହିଛି । ରାୟଗଡ଼ା ଓ ନନ୍ଦପୁର ସୀମାନ୍ତର କେତେଜଣ ଭୋଟ ଦେଇଛନ୍ତି ସ୍ପଷ୍ଟ ଚିତ୍ର ମିଳିନି ।
ସେହିପରି ଗଞ୍ଜାମ ସୀମାନ୍ତ ପାତ୍ରପୁର ବ୍ଲକ୍ ତୁମ୍ବା ପଞ୍ଚାୟତର କୁଲାଡ଼ି, ସାତପୁରୀ ଓ ବାବନା ସାହି, ବୁରାତାଳ ପଞ୍ଚାୟତ ଅନ୍ତର୍ଗତ ଗୁଡ଼ିଖଳା ଓ ଡାବୁଥଳି, ବି.ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ଶରଧାପୁର ଏ- ବି- ସି, ଟି.ବରହମପୁର ଓ ଜୟପୁର, ଗୁଡ଼ିପଦର ପଞ୍ଚାୟତର ଗୁଡ଼ିପଦର ଓ ଏସ୍.ବଳରାମପୁର ଆଦି ଗାଁର ଭୋଟର ଆନ୍ଧ୍ରପ୍ରଦେଶ ମଣ୍ଡଳ ନିର୍ବାଚନରେ ଉଭୟ ଜିଲ୍ଲା ପରିଷଦ ଓ ସମିତିସଭ୍ୟ ନିର୍ବାଚନରେ ଭୋଟ୍ ଦେବାକୁ ଆଗେଇ ଯାଇଥିଲେ । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଗଙ୍ଗାବାଡ଼ ପଞ୍ଚାୟତର ଗୁଡ଼ିଖୁଡ଼ି (ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ୱାରା ଏହା ଗୁଡ଼ିଖଳା ଗାଁ ଭାବେ ଚିହ୍ନିତ), ମାଣିକପାଟଣା, ମାଧିଆଖାଲ, ଅମାରିଙ୍ଗି, ଆଖଡ଼ା ଏବଂ ବୁରୁସିଂ ଆଦି ୬ଟି ସୀମାବର୍ତ୍ତୀ ଗାଁର କିଛି ଲୋକ ଆନ୍ଧ୍ରରେ ଭୋଟ୍ ଦେଇଛନ୍ତି । ଉକ୍ତ ୬ଟି ଗାଁର ପ୍ରାୟ ୧୮୦ ଜଣ ଆନ୍ଧ୍ର ନିର୍ବାଚନରେ ମତଦାନ କରିଥିବା ସରପଞ୍ଚ ହରିବନ୍ଧୁ କାର୍ଯୀ ଅଭିଯୋଗ କରିଛନ୍ତି ।
ସୂଚନା ଅନୁସାରେ, ନିର୍ବାଚନ ପୂର୍ବରୁ ଆନ୍ଧ୍ର ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେବାକୁ ପ୍ରତିଦ୍ୱନ୍ଦ୍ୱୀମାନେ ଉକ୍ତ ଅଞ୍ଚଳରେ ପ୍ରଚାର ପ୍ରସାର କରିଥିଲେ । ରାୟଗଡ଼ା ବ୍ଲକ୍ ସୀମାରେ ଥିବା ବିଭିନ୍ନ ଗାଁର କେତେକ ଭୋଟର ମତଦାନ ଲାଗି ଆନ୍ଧ୍ର ଯାଇଥିଲେ । ସେଠାକାର ସୋଲପଦମ୍ ଓ ଏଣ୍ଡାଭଦ୍ରା ବୁଥ୍ରେ ଶହେରୁ ଅଧିକ ଭୋଟ୍ ଦେଇଥିଲେ । ଭୋଟରଙ୍କୁ ବୁଥ୍କୁ ନେବା ପାଇଁ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କ ପକ୍ଷରୁ ପରିବହନ ବ୍ୟବସ୍ଥା କରାଯାଇଥିଲା । ଅଟୋ ଓ ଟ୍ରାକ୍ଟରରେ ବୁହା ହୋଇଥିଲେ ଭୋଟର । ଓଡ଼ିଶା ଭିତର ଦେଇ ଆନ୍ଧ୍ରର ଦୁର୍ଗମ ଉଲୁଟି, ଗୋରିସୋଲା ଓ ରେବାର ଭୋଟରଙ୍କୁ ନେବା ଆଣିବା କରାଯାଇଥିଲା । ଏହା ୨୦୨୧ ମସିହାର ପଞ୍ଚାୟତ ନିର୍ବାଚନକୁ ମନେ ପକାଇ ଦେଇଥିଲା । ସେହିପରି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ସୀମାନ୍ତବାସୀ ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭାଗ ନେଇଥିଲେ । ଗୋଲୁର ପଞ୍ଚାୟତ ରାଇପାହାଡ଼ ସହ ଅନ୍ୟ ପଞ୍ଚାୟତର କେତେକ ଲୋକ ଘରେ ତାଲା ଦେଇ ସପରିବାର ଆନ୍ଧ୍ର ଯାଇଥିଲେ । ଆନ୍ଧ୍ରର କଣ୍ଡରୁମ, ସୀମାଗୁଣ୍ଠା, ପେଦାବାଇଲି, ଗୋରାପୁର, ମାଳିପୁଟ ଓ ଜଲାପୁଟ ଏଲ୍ଏଫ୍ ସ୍କୁଲରେ ହୋଇଥିବା ବୁଥ୍ରେ ଭୋଟ ଦେଇଥିଲେ । ଭୋଟ ବଦଳରେ ସେମାନଙ୍କୁ କୁଆଡ଼େ ଟଙ୍କା ଓ ଖାଇବାକୁ ଦିଆଯାଇଥିଲା । ପାତ୍ରପୁର ବ୍ଲକ୍ କୁଲାଡ଼ି ଗାଁର କୈଳାସ ଶବର, ଡୁଡୁ ଶବର ଓ ଲୋଚନ ଶବରଙ୍କ ସହ ପ୍ରାୟ ୪୦ରୁ ଅଧିକ ଭୋଟର ଗୁରୁବାର ଅଟୋରେ ଯାଇ ଶ୍ରୀକାକୁଲମ ଜିଲ୍ଲା ଇଚ୍ଛାପୁର ମଣ୍ଡଳ ତଳଗୁରାଣ୍ଠି ପଞ୍ଚାୟତର ସାନକୃଷ୍ଣା ବୁଥ୍କୁ ଯାଇ ଭୋଟ୍ ଦେଇଥିଲେ । ଆନ୍ଧ୍ର ପକ୍କା ରାସ୍ତା, ପକ୍କା ଘର, ୨୪ଘଣ୍ଟିଆ ଆଲୁଅ, ବିଭିନ୍ନ ଭତ୍ତା ସହ ସମସ୍ତ ସୁବିଧା ହାତପାଆନ୍ତାରେ ଦେଉଛି । ସେଥିପାଇଁ ଆମେ ତାଙ୍କୁ ବି ଭୋଟ୍ ଦେଉଛୁ ବୋଲି କହିଛନ୍ତି ଏହି ମତଦାତା ।
ସେହିପରି ଶରଧାପୁର ଏ- ବି- ସି ଗାଁର ବାସିନ୍ଦା ଆନ୍ଧ୍ରର ଲୋଧାପୁଟି ବୁଥ୍ରେ ଭୋଟ ଦେଇଛନ୍ତି । ଟି.ବରହମପୁର ଗ୍ରାମବାସୀ ନିଜ ଗାଁ ନିକଟ ଆନ୍ଧ୍ର ବୁଥ୍ରେ ମତଦାନ କରିଥିଲେ । ଗୁଡ଼ିପଦର ଓ ଏସ୍.ବଳରାମପୁର ଗ୍ରାମବାସୀ ଆନ୍ଧ୍ରର ତୁଲସୀ ଗାଁରେ ଭୋଟ୍ ଦେଇଛନ୍ତି । ଡାବୁଥଳି ଓ ଗୁଡ଼ିଖଳା ଗାଁର ଲୋକେ ଆନ୍ଧ୍ରର ବୁଢ଼ାରସିଙ୍ଗି ବୁଥ୍ରେ ଭୋଟ୍ ଦେଇଛନ୍ତି । ଗୁଡ଼ିଖଳା ଗ୍ରାମ ଓଡ଼ିଶା ରାଜ୍ୟର ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ରେ ରହିଥିବାବେଳେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଗଙ୍ଗାବାଡ଼ ପଞ୍ଚାୟତ ସହ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା କାଞ୍ଚିଲି ମଣ୍ଡଳ ବୁଢ଼ାରସିଙ୍ଗି ପଞ୍ଚାୟତରେ ମଧ୍ୟ ରହିଛି । ଗୋଟିଏ ଗାଁ ଦୁଇଟି ରାଜ୍ୟର ତିନିଟି ଜିଲ୍ଲାରେ ଅନ୍ତର୍ଭୁକ୍ତ ଥିବାରୁ ବାରମ୍ବାର ଏଭଳି ହେଉଛି । ଗୁରୁବାର ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଦୃଷ୍ଟିରୁ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ପ୍ରଶାସନ ତରଫରୁ ଆଇଟିଡିଏ ପିଏ ଅଂଶୁମାନ ମହାପାତ୍ର, ରାୟଗଡ଼ ତହସିଲଦାର ସୁକାନ୍ତ ଜେନା, ଏସ୍ଡିପିଓ ମାଧବାନନ୍ଦ ନାୟକ ସଦଳବଳେ ଗୁଡ଼ିଖଳା ଗାଁରେ ପହଞ୍ଚିଥିଲେ । ଅର୍ଣ୍ଣବ ବାତ୍ୟା ପାଇଁ ଓଡ଼ିଶା ରାଜ୍ୟ ସରକାର ଘୋଷଣା କରିଥିବା ୫୦ କେଜି ଚାଉଳ, ୨୫୦୦ ଟଙ୍କା ୩୨ଟି ପରିବାରକୁ ପ୍ରଦାନ କରିଥିଲେ । ତଥାପି ଗାଁର କିଛି ଲୋକ ଲୁଚାଛପାରେ ଯାଇ ଆନ୍ଧ୍ରରେ ଭୋଟ୍ ଦେଇ ଫେରିଥିଲେ । ଗାଁର ମାଣିକ ଶବର, କାଞ୍ଚନ ଶବର, ସୁକୁମାରୀ ଶବର, ରଘୁ ଶବର, ଶ୍ରୀନୁ ଶବର, ହାଡ଼ି ଶବର, ମାରଗୁ ଶବର ଓ ସୀତା ଶବର ଭୋଟ ଦେଇଛନ୍ତି । ସେହିପରି ଡାବୁଥଳିର ଲାଉ ଭୂୟାଁ, ଗୋପୀ ଭୂୟାଁ, ଚୈତନ୍ୟ ଭୂୟାଁ ଓ ତ୍ରିନାଥ ଭୂୟାଁ ମଧ୍ୟ ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ମତଦାତା ସାଜିଥିଲେ ।
Comments ସମସ୍ତ ମତାମତ