ମୁଖ୍ୟ ଖବର
ଭୁବନେଶ୍ୱର: ଖଣ୍ଡଗିରି ମେଳାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ କମିଶନରେଟ୍ ପୁଲିସ ସମ୍ପୂର୍ଣ୍ଣ ତୟାର ରହିଛି । ପୁଲିସ ପକ୍ଷରୁ ଖଣ୍ଡଗିରି ମୁଣ୍ଡିଆ ରାସ୍ତାରେ ଏକ ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ୍ ରୁମ୍ ଖୋଲାଯିବ । ମେଳା ଭିଡ଼କୁ ନଜର ରଖିବ ସିସି କ୍ୟାମେରା । ଭିଡ଼କୁ ଲକ୍ଷ୍ୟ ରଖି ମେଳା ସମେତ ଖଣ୍ଡଗିରି ଚତୁଃପାଶ୍ୱର୍ରେ ୧୦୦ଟି ସ୍ଥାନରେ ସିସି କ୍ୟାମେରା ଲଗାଯିବା ପାଇଁ ବିଏମ୍ସି ଏବଂ ପୁଲିସ ପକ୍ଷରୁ ନିଷ୍ପତ୍ତି ହୋଇଛି । ପୁଲିସ କଣ୍ଟ୍ରୋଲ ରୁମ୍ରୁ ସିସି କ୍ୟାମେରା ଦ୍ୱାରା ନଜର ରଖାଯିବ । ମେଳା ପାଇଁ ୭ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ରହିବେ । ସାଦା ପୋଷାକଧାରୀ ପୁଲିସ ଏବଂ ମହିଳା ପୁଲିସ ମଧ୍ୟ ନିୟୋଜିତ ରହିବେ । ମେଳା ସମୟରେ ଖଣ୍ଡଗିରି ଛକରେ ଅସମ୍ଭାଳ ଭିଡ଼ ହେବ । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ୍ ପୁଲିସ ସହିତ ଟ୍ରାଫିକ ୱାର୍ଡେନ୍ ମୁତୟନ ରହିବେ । ସେହିପରି ଯେ କୌଣସି ଅଘଟଣ ପାଇଁ ୨୪ ଘଣ୍ଟିଆ ଅଗ୍ନିଶମ ବାହିନୀ ସଜାଗ ରହିବେ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି ।
ଯାତ୍ରା କମିଟିଗୁଡ଼ିକ ମଧ୍ୟ ଟେଣ୍ଟ୍ ଭିତରେ ଏବଂ ଗେଟ୍ ମୁହଁରେ ସିସି କ୍ୟାମେରା ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଏଥି ସହ ପ୍ରତ୍ୟେକ ପେଣ୍ଡାଲ ସମ୍ମୁଖରେ ପୁଲିସ ଏଡ୍ପୋଷ୍ଟ ରହିବ । ପ୍ରତ୍ୟେକ ଯାତ୍ରା କମିଟିର ଦୁଇଜଣ ସଭ୍ୟ ପୁଲିସକୁ ସହାୟତା କରିବା ପାଇଁ ସ୍ୱତନ୍ତ୍ର ଭାବେ ନିୟୋଜିତ ରହିବେ । ସେମାନଙ୍କୁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି ଖଣ୍ଡଗିରି ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି । ଖଣ୍ଡଗିରିର ଅଧିଷ୍ଠାତ୍ରୀ ଦେବୀ ମା’ ବାରଭୂଜାଙ୍କ ମହୋତ୍ସବଠାରୁ ଆରମ୍ଭ କରି ମେଳା ଆରମ୍ଭ ଅର୍ଥାତ ମାଘ ସପ୍ତମୀଦିନ ଠାକୁର ଅନନ୍ତ କେଶରୀଙ୍କ ଯାତ୍ରା ଚିରାଚରିତ ଢ଼ଙ୍ଗରେ ପାଳନ କରାଯିବା ପାଇଁ କଡ଼ା ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଶ୍ରୀ ଦାସ କହିଛନ୍ତି ।
Comments ସମସ୍ତ ମତାମତ