ମୁଖ୍ୟ ଖବର
ପାଟନା: ଦେଶର ଚର୍ଚ୍ଚିତ ତଥା ଲୋକପ୍ରିୟ ଶିକ୍ଷକ ଖାନ୍ ସାର୍ ଓରଫ୍ ଫୈଜଲ୍ ଖାନ୍ ଏବେ ବଡ଼ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି । କୋଚିଂ ସେଣ୍ଟରରେ ହୋଇଥିବା ଗୁଳିକାଣ୍ଡ ଓ ଭଙ୍ଗାରୁଜା ମାମଲାରେ ତାଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ଏବେ ତାଙ୍କ ମୁଣ୍ଡରେ ଗିରଫଦାରୀ ଭୟ ଝୁଲୁଛି । ପାଟନା ପୁଲିସ ତାଙ୍କୁ କ୍ରମାଗତ ଭାବେ ଖୋଜୁଥିବା ବେଳେ ଶୁକ୍ରବାର ସାରା ରାତି ପୁଲିସ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲା, ହେଲେ ଖାନ୍ ସାର୍ଙ୍କର କୌଣସି ପତ୍ତା ମିଳିନଥିଲା । ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି ଯେ, ଗିରଫଦାରୀରୁ ବର୍ତ୍ତିବା ପାଇଁ ଖାନ୍ ସାର୍ ଆଜି କୋର୍ଟରେ ଆତ୍ମସମର୍ପଣ କରିପାରନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଏହି ସମ୍ପୂର୍ଣ୍ଣ ବିବାଦ 'ଖାନ୍ ଗ୍ଲୋବାଲ୍ ଷ୍ଟଡିଜ୍'ର ସଞ୍ଚାଳକ ଫୈଜଲ୍ ଖାନ୍ ଏବେ 'ଜ୍ଞାନ ବିନ୍ଦୁ କୋଚିଂ'ର ନିର୍ଦ୍ଦେଶକ ରୌଶନ ଆନନ୍ଦଙ୍କ ମଧ୍ୟରେ ସୃଷ୍ଟି ହୋଇଛି । କୋଚିଂ ସେଣ୍ଟର ବାହାରେ ହୋଇଥିବା ଗୁଳିକାଣ୍ଡର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ଏହାର ତଦନ୍ତ କରିଥିଲା । ଏହାପରେ ପାଟନା ପୁଲିସ ଖାନ୍ ସାର୍ଙ୍କ ବିରୋଧରେ ସଙ୍ଗୀନ ଦଫା ସହ ଆର୍ମସ ଆକ୍ଟ ଅଧୀନରେ ଏଫଆଇଆର୍ ରୁଜୁ କରିଛି ।
ବିହାର ରାଜଧାନୀ ପାଟନାସ୍ଥିତ 'ଖାନ୍ ଗ୍ଲୋବାଲ୍ ଷ୍ଟଡିଜ୍' ସଂସ୍ଥାନରେ ହୋଇଥିବା ବ୍ୟାପକ ଭଙ୍ଗାରୁଜା ଏବଂ ପଥରମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ ଫୈଜଲ୍ ଖାନ୍ ଓରଫ ଖାନ୍ ସାର୍ଙ୍କ ନାମ ରୁଜୁ କରାଯାଇଛି । ପାଟନାର ବରିଷ୍ଠ ପୁଲିସ ଅଧୀକ୍ଷକ (SSP) କାର୍ତ୍ତିକେୟ ଶର୍ମା ଏହି ସୂଚନା ଦେଇଛନ୍ତି । ଗତ ମଙ୍ଗଳବାର ବିଳମ୍ବିତ ରାତିରେ ୧୫ ରୁ ୨୦ ଜଣ ସଶସ୍ତ୍ର ଯୁବକ ଖାନ୍ ଗ୍ଲୋବାଲ୍ ଷ୍ଟଡିଜ୍ ପରିସରରେ ପଶି ପ୍ରବଳ ଭଙ୍ଗାରୁଜା କରିବା ସହ ପଥରମାଡ଼ କରିଥିଲେ । ଏସଏସପି କାର୍ତ୍ତିକେୟ ଶର୍ମା କହିଛନ୍ତି, "ଯେହେତୁ ଏଫଆଇଆର୍ରେ ଖାନ୍ ସାର୍ଙ୍କ ନାଁ ରହିଛି, ତେଣୁ ପୁଲିସ ନିଶ୍ଚିତ ଭାବେ ତାଙ୍କୁ ସାମ୍ନାସାମ୍ନି ବସାଇ ପଚରାଉଚରା କରିବ ।" ତେବେ ତାଙ୍କ ବିରୋଧରେ କେଉଁ କେଉଁ ନିର୍ଦ୍ଦିଷ୍ଟ ଦଫା ଲଗାଯାଇଛି, ସେନେଇ ପୁଲିସ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ ।
ଏହି ସମଗ୍ର ମାମଲାରେ ଖାନ୍ ସାର୍ଙ୍କ ଉପରେ ସବୁଠାରୁ ବଡ଼ ଅଭିଯୋଗ ତାଙ୍କ ବଡିଗାର୍ଡମାନଙ୍କୁ ନେଇ ଲାଗିଛି । ହିଂସାତ୍ମକ ସଂଘର୍ଷ ସମୟରେ ଖାନ୍ ସାର୍ଙ୍କ ବଡିଗାର୍ଡମାନେ ସର୍ବସାଧାରଣରେ ଖୋଲାଖୋଲି ଭାବେ ହାତରେ ବନ୍ଧୁକ ଧରି ଫାୟାରିଂ କରୁଥିବାର ଭିଡିଓ ସାମ୍ନାକୁ ଆସିଥିଲା । ପୁଲିସ ଏବେ ଏହାର ତଦନ୍ତ କରୁଛି ଯେ, ସେହି ସୁରକ୍ଷାକର୍ମୀମାନେ କାହା ଆଦେଶରେ ଏବଂ କେଉଁ ପରିସ୍ଥିତିରେ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଫାୟାରିଂ କଲେ ? ଗୁରୁବାର ଦିନ ପୁଲିସ କୋଚିଂ ସଂସ୍ଥାନ ସହ ଜଡ଼ିତ ଦୁଇଜଣ ସୁରକ୍ଷାକର୍ମୀଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ଏହି ହାଇପ୍ରୋଫାଇଲ୍ ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ପାଟନା ପୁଲିସ ପ୍ରଶାସନ ପକ୍ଷରୁ ଏକ ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ଗଠନ କରାଯାଇଛି । ଏହି ସ୍ୱତନ୍ତ୍ର ଟିମ୍ ଖାନ୍ ସାର୍ଙ୍କୁ ଖୋଜୁଥିବା ବେଳେ ଯେକୌଣସି ମୁହୂର୍ତ୍ତରେ ତାଙ୍କୁ ଗିରଫ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏହି କାରଣରୁ ନିଜର ଆଇନଗତ ସୁରକ୍ଷା ପାଇଁ ଖାନ୍ ସାର୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଜି ସରେଣ୍ଡର କରିପାରନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ସାରା ଦେଶରେ କୋଟି କୋଟି ଛାତ୍ରଛାତ୍ରୀଙ୍କ ପ୍ରିୟ ଶିକ୍ଷକ ଖାନ୍ ସାର୍ଙ୍କ ଏହି ବିବାଦକୁ ନେଇ ଏବେ ସାରା ବିହାରରେ ଚାଞ୍ଚଲ୍ୟ ଖେଳିଯାଇଛି ।
Comments ସମସ୍ତ ମତାମତ