ମୁଖ୍ୟ ଖବର
ନୂଆଦିଲ୍ଲୀ : ବୈଷୟିକ ତ୍ରୁଟି ଏବଂ ପର୍ୟ୍ୟାପ୍ତ କର୍ମଚାରୀ ଅଭାବରୁ ବୁଧବାର ଇଣ୍ଡିଗୋ ଏୟାରଲାଇନ୍ ବେଙ୍ଗାଲୁରୁ, ମୁମ୍ବଇ ସମେତ ଅନ୍ୟ ସହରରେ ୧୫୦ରୁ ଅଧିକ ବିମାନ ଉଡାଣ ବାତିଲ କରିଛି। ବେଙ୍ଗାଲୁରୁରେ କର୍ମଚାରୀ ଅଭାବରୁ ୪୨ ବିମାନ ବାତିଲ ହୋଇଥିବାବେଳେ ମୁମ୍ବଇରେ ୩୨ ବିମାନ ଉଡାଣ ପ୍ରଭାବିତ ହୋଇଛି। ଏହା ସହ ଦିଲ୍ଲୀ, ହାଇଦରାବାଦ, ଚେନ୍ନଇ, ଗୋଆ, କଲକାତା ଏବଂ ଲକ୍ଷ୍ନୌରେ ଅନେକ ବିମାନ ଉଡାଣ ବାତିଲ ହୋଇଛି। ଦିଲ୍ଲୀ ବିମାନ ବନ୍ଦରରେ ଇଣ୍ଡିଗୋର ୬୭ ବିମାନ ଉଡାଣରେ ବିଳମ୍ବ ହୋଇଛି। ବୈଷୟିକ ତ୍ରୁଟି ଯୋଗୁଁ ଏହି ବିଳମ୍ବ ହୋଇଥିବା ସୂଚନା ଦେଇ ଇଣ୍ଡିଗୋ ଯାତ୍ରୀଙ୍କୁ କ୍ଷମା ପ୍ରାର୍ଥନା କରିଛି। ଅନେକ ସମୟରେ ଉଡାଣ ବିଳମ୍ବ ହେଉଥିବାବେଳେ କେତେକ କ୍ଷେତ୍ରରେ ଉଡାଣ ସମ୍ପୂର୍ଣ୍ଣ ବାତିଲ ଫଳରେ ଯାତ୍ରୀଙ୍କୁ ନାନାଦି ସମସ୍ୟା ଭୋଗିବାକୁ ପଡୁଛି।
ଏହି ସଙ୍କଟ ମଧ୍ୟରେ ଇଣ୍ଡିଗୋର ପ୍ରଦର୍ଶନ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟର ୱେବସାଇଟ୍ ଅନୁସାରେ ମଙ୍ଗଳବାର ୬ ମୁଖ୍ୟ ଘରୋଇ ବିମାନ ବନ୍ଦରରେ ଇଣ୍ଡିଗୋ ଅନ-ଟାଇମ୍ ପରଫର୍ମାନ୍ସ ମାତ୍ର ୩୫ ପ୍ରତିଶତ ରହିଥିଲା। ଇଣ୍ଡିଗୋ ୧୬୦ ଏ ୩୨୦ ଫ୍ୟାମିଲି ଏୟାରକ୍ରାଫ୍ଟର ଜରୁରୀ ଅପଗ୍ରେଡକୁ ପୂରା କରିସାରିଥିବାବେଳେ ଏଭଳି ଆଉ ୪୦ ଏୟାରକ୍ରାଫ୍ଟ ପାଇଁ ଜରୁରୀ ତଦାରଖ ଚାଲିଛି। ଅନ୍ୟପଟେ ଲଗାତାର ଉଡାଣ ବାତିଲ ଏବଂ ବିଳମ୍ବ ନେଇ ଡିଜିସିଏ ଯାଞ୍ଚ ଆରମ୍ଭ କରିବା ସହ ଇଣ୍ଡିଗୋକୁ ତାଗିଦା କରିଛି। ଏହା ଉପରେ ବିଚାର କରିବା ସହ ଯାତ୍ରୀଙ୍କ ସୁବିଧାକୁ ଧ୍ୟାନରେ ରଖିବାକୁ ଡିଜିସିଏ ପରାମର୍ଶ ଦେଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ ତରଫରୁ ଜାରି ବୟାନରେ ଇଣ୍ଡିଗୋକୁ ଏଭଳି କାହିଁକି ହେଉଛି ଏବଂ ସୁଧାର ପାଇଁ ଏୟାରଲାଇନ୍ କେଉଁ ପଦକ୍ଷେପ ନେଇଛି ସେ ନେଇ ପ୍ରଶ୍ନ କରାଯାଇଛି। ଡିଜିସିଏ ସ୍ପଷ୍ଟ କରିଛି ଯେ ଏଭଳି ହେବାର କାରଣ ସମ୍ପର୍କରେ ଜଣାଇଲେ ହେବନି, ବରଂ ଭବିଷ୍ୟତରେ ଯେମିତି ଏହାର ପୁରନାବୃତ୍ତି ନ ହୁଏ ସେଥିପ୍ରତି ମଧ୍ୟ କି ଯୋଜନା ରହିଛି ତାହା ସ୍ପଷ୍ଟ କରିବାକୁ ହେବ। ଯାତ୍ରୀଙ୍କ ବଢୁଥିବା ସମସ୍ୟା ଏବଂ ସାମାଜିକ ଗଣମାଧ୍ୟମରେ ସାମ୍ନାକୁ ଆସୁଥିବା ଭିଡିଓ ଓ ପ୍ରତିକ୍ରିୟାକୁ ନଜରରେ ରଖି ଡିଜିସିଏ ମାମଲାକୁ ଗୁରୁତ୍ବର ସହ ନେଇଛି। ବାରମ୍ବାର ଉଡାଣ ବାତିଲ ହେବା ଯୋଗୁଁ ଯାତ୍ରୀଙ୍କୁ ଅନେକ ସମସ୍ୟା ଭୋଗିବାକୁ ପଡୁଛି। ଡିଜିସିଏ କହିଛି କି ସ୍ଥିତି ଉପରେ ନଜର ରଖାଯାଇଛି ଏବଂ ଆବଶ୍ୟକ ପଡିଲେ କଡା ପଦକ୍ଷେପ ନିଆଯିବ ଯାହା ଫଳରେ ଠିକ୍ ସମୟରେ ଉଡାଣକୁ ନେଇ ଯାତ୍ରୀଙ୍କ ଭରସା ଜିତିହେବ।
ମଙ୍ଗଳବାର ମଧ୍ୟ ଇଣ୍ଡିଗୋର ୨୦ ବିମାନ ଉଡାଣ ରଦ୍ଦ ହୋଇଥିଲା। ଗତ କିଛି ଦିନ ହେବ ଇଣ୍ଡିଗୋକୁ ବୈଷୟିକ ତ୍ରୁଟି, ବିମାନ ବନ୍ଦରରେ ଭିଡ, କର୍ମଚାରୀ ଅଭାବ ସମସ୍ୟା ଆଦି ଭୋଗିବାକୁ ପଡୁଛି। ନଭେମ୍ବର ମାସରେ ସମୁଦାୟ ୧୨୩୨ ଉଡାଣ ରଦ୍ଦ ହୋଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ ସୂଚନା ଅନୁସାରେ ନଭେମ୍ବରରେ ସମୁଦାୟ ଓଟିପି ୬୭.୭୦ପ୍ରତିଶତ ଥିବାବେଳେ ଅକ୍ଟୋବରରେ ଏହା ୮୪.୧ ପ୍ରତିଶତ ଥିଲା। ଅନ୍ୟପଟେ ନଭେମ୍ବରରୁ ଆରମ୍ଭ ହୋଇଥିବା ନୂଆ ଏଫଡିଟିଏଲ୍ ନିୟମ ଯୋଗୁଁ ରୋଷ୍ଟରରେ ପରିବର୍ତ୍ତନ ଫଳରେ ପର୍ୟ୍ୟାପ୍ତ କର୍ମଚାରୀ ଉପଲବ୍ଧ ହୋଇପାରୁନଥିବା ଏକ ସୂଚନାରୁ ଜଣାପଡିଛି। ଶୀତ ଦିନେ ଯାତ୍ରୀଙ୍କ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିଥିବାବେଳେ ସ୍ବଳ୍ପ ଉପଲବ୍ଧ ସଂସାଧନ ଉପରେ ଅଧିକ ଚାପ ପଡୁଛି। ଏହା ସହ ବୈଷୟିକ ତ୍ରୁଟି ମଧ୍ୟ ଏକ ମୁଖ୍ୟ କାରକ ସାଜିଥିବା ଏୟାରଲାଇନ୍ ସ୍ବୀକାର କରିଛି। ପୂର୍ବରୁ ମଧ୍ୟ ଏହି ସମସ୍ୟା ଯୋଗୁଁ ବୋର୍ଡିଂରେ ବିଳମ୍ବ ହେଉଥିବା ଏୟାରଲାଇନ୍ ସ୍ପଷ୍ଟ କରିଥିଲା। ସୂଚନାଯୋଗ୍ୟ ବିମାନ ବିଳମ୍ବ ଯୋଗୁଁ ଯାତ୍ରୀ ବିମାନ ବନ୍ଦରରେ କର୍ମଚାରୀଙ୍କ ସହ ତର୍କ କରୁଥିବା ଦୃଶ୍ୟ ମଧ୍ୟ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଅନେକ ଯାତ୍ରୀ ଏକ୍ସ ଜରିଆରେ ପ୍ରଧାନମନ୍ତ୍ରୀ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁଙ୍କୁ ଟ୍ୟାଗ୍ କରି ନିଜ କ୍ରୋଧ ବ୍ୟକ୍ତ କରୁଛନ୍ତି।
Comments ସମସ୍ତ ମତାମତ