ମୁଖ୍ୟ ଖବର
ବିରାଟ କୋହଲିଙ୍କ ଶତକ ଓ କୂଲଦୀପ ଯାଦବଙ୍କ ଚମତ୍କାର ବୋଲିଂ ସହାୟତାରେ ଭାରତ ଏଠାରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ରୋମାଂଚକର ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚକୁ ୧୭ ରନରେ ଜିତି ନେଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ବିନିମୟରେ ୩୪୯ ରନ କରିଥିଲା । କୋହଲି କ୍ୟାରିୟରର ୫୨ ଶତକ ହାସଲ କରିଥିଲେ । ସେ ୧୩୫ ରନର ବିଶାଳ ଇନିଂସ ଖେଳିଥିଲେ । ରୋହିତ ଶର୍ମା ୫୭ ଓ କେଏଲ ରାହୁଲ ୬୦ ରନର ଯୋଗଦାନ ଦେଇଥିଲେ ।
୩୫୦ ରନର ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ପ୍ରାରମ୍ଭିକ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ୧୧ ରନରେ ୩ଟି ୱିକେଟ ହରାଇ ବିପଦରେ ପଡିଥିଲା । ଏହା ପରେ ଦକ୍ଷିଣ ଆଫ୍ରିକାର ପ୍ରାୟ ସମସ୍ତ ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରି ମ୍ୟାଚକୁ ରୋମାଂଚକ ମୋଡକୁ ନେଇ ଆସିଥିଲେ । ମାଥ୍ୟୁ ବ୍ରିଜକେ ୭୨, ମାର୍କୋ ଜାନେସନ ୭୦ ଓ କୋର୍ବିନ ବୋଶ ୬୭ ରନ କରିଥିଲେ ।
ଶେଷ ୩ ଓଭରରେ ଦକ୍ଷିଣ ଆଫ୍ରିକା ୩୮ ରନ ଆବଶ୍ୟକ କରୁଥିବା ବେଳେ ହାତରେ ଗୋଟିଏ ୱିକେଟ ରହିଥିଲା । ବୋଶ ଆକ୍ରମଣାତ୍ମକ ଖେଳ ଜାରୀ ରଖିଥିଲେ । ୧୨ ବଲରେ ୨୭ ଏବଂ ପରେ ଶେଷ ଓଭରରେ ବିଜୟ ପାଇଁ ୧୮ ରନ ଆବଶ୍ୟକ ହେଉଥିଲା । ପ୍ରସିଦ୍ଧଙ୍କ ବଲରେ ବୋଶ ଆଉଟ ହେବା ଯୋଗୁ ଭାରତ ମ୍ୟାଚରେ ବିଜୟ ହାସଲ କରିଥିଲା । ଭାରତ ପକ୍ଷରୁ କୂଲଦୀପ ୪ଟି ଓ ହର୍ଷିତ ରାଣା ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅର୍ଶଦୀପ ସିଂ ୨ଟି ଏବଂ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ୱିକେଟ ହାସଲ କରିଥିଲେ । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି ।
Comments ସମସ୍ତ ମତାମତ