ନୂଆଦିଲ୍ଲୀ: ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଦ୍ବିତୀୟ ଟି-୨୦ ମ୍ୟାଚ୍ । ସୁପର ସନଡେ’ରେ ହେବ ସୁପର ଫାଇଟ୍ । ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବା ଟିମ୍ ଇଣ୍ଡିଆ ଏବେ ଦ୍ବିତୀୟ ମ୍ୟାଚ୍ ଜିତିବା ଲକ୍ଷ୍ୟରେ ରହିଛି । ଡର୍ବାନରେ ଶୁକ୍ରବାର ଅନୁଷ୍ଠିତ ପ୍ରଥମ ଟି-୨୦ରେ ଭାରତ ୬୧ ରନ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ୧-୦ରେ ସିରିଜ୍ ଆଗୁଆ ରହିଛି। ଏହି ମ୍ୟାଚ୍ରେ ଭାରତୀୟ ବ୍ୟାଟିଂର ହିରୋ ସାଜିଥିଲେ ୱିକେଟରକ୍ଷକ ସଞ୍ଜୁ ସାମସନ। ଏହି ମ୍ୟାଚରେ ସେ ମାତ୍ର ୫୦ଟି ବଲ୍ରୁ ୧୦୭ ରନ୍ କରି ମ୍ୟାଚ୍ ବିଜେତା ହୋଇଥିଲା। ଏହା ସହ ସଞ୍ଜୁ ମଧ୍ୟ ଟି-୨୦ ଫର୍ମାଟରେ ପ୍ରଥମ ଭାରତୀୟ ଭାବେ କ୍ରମାଗତ ଶତକ ହାସଲ କରିବାରେ ରେକର୍ଡ କରିଛନ୍ତି। କିନ୍ତୁ ଏହି ମ୍ୟାଚ୍ରେ ତାଙ୍କୁ ଛାଡ଼ି ଦେଲେ ଅନ୍ୟ ଟପ୍ ଅର୍ଡର କିମ୍ବା ପ୍ରମୁଖ ଖେଳାଳି ବ୍ୟାଟିଂରେ କ୍ଲିକ୍ କରି ନାହାନ୍ତି। ଅଧିନାୟକ ସୂର୍ୟ୍ୟକୁମାର ଯାଦବ ହୁଅନ୍ତୁ କିମ୍ବା ଓପନର ଅଭିଷେକ ଶର୍ମା। ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ହୁଅନ୍ତୁ କିମ୍ବା ବିସ୍ଫୋରକ ବ୍ୟାଟର ରିଙ୍କୁ ସିଂ। ଏମାନେ ସମସ୍ତେ ପ୍ରଥମ ଦିନିକିଆରେ ପର୍ୟ୍ୟାପ୍ତ ସମୟ ବ୍ୟାଟିଂ ପାଇଥିଲେ ମଧ୍ୟ ସେଥିରେ ବିଫଳ ହୋଇଛନ୍ତି। ଏଥିରୁ ମୁକୁଳିବାକୁ ହେଲେ ଦଳକୁ କିଛି ନୂଆ ଯୋଜନା ନେଇ ଖେଳିବାକୁ ହେବ।
ଦଳର ବୋଲିଂ ପ୍ରଥମ ମ୍ୟାଚ୍ରେ କ୍ଲିକ୍ କରିଛି। ସମସ୍ତ ବୋଲର ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ବିଶେଷ କରି ଡର୍ବାନ୍ର ଫାଷ୍ଟ ପିଚ୍ ସ୍ଲୋ ହୋଇଯିବାରୁ ଭାରତୀୟ ସ୍ପିନରମାନେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଏପରିକି ଦୁଇ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଓ ରବି ବିଷ୍ଣୋଇଙ୍କୁ ଘରୋଇ ଦଳର ବ୍ୟାଟର ମୁକାବିଲା କରି ପାରି ନ ଥିଲେ। ଫଳରେ ଉଭୟ ୩ଟି ଲେଖାଏଁ ୱିକେଟ ନେବା ସହ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ଲାଇନ୍କୁ ଧ୍ୱସ୍ତ କରିଦେଇଥିଲେ। ଦଳର ପେସ୍ ବୋଲର ମଧ୍ୟ ପ୍ରତିପକ୍ଷ ଦଳର ଦୁଇ ଓପନରଙ୍କୁ ଆଉଟ କରିଦେଇଥିଲେ। ମୋଟାମୋଟି ଭାବେ ପ୍ରଥମ ଟି-୨୦ରେ ଟପ୍ ଅର୍ଡର ବ୍ୟାଟିଂକୁ ଛାଡ଼ିଦେଲେ ଅନ୍ୟ ସବୁ ଠିକ୍ଠାକ୍ ହୋଇଥିଲା। ଏହି ମ୍ୟାଚ୍ ପୂର୍ବରୁ ଦୁଇ ପ୍ରକାରର ଚିନ୍ତା ଦେଖାଦେଇଛି। ଗୋଟିଏ ହେଉଛି ଭାରତର ଟପ୍ ଅର୍ଡର ବ୍ୟାଟିଂକୁ ନେଇ ଏବଂ ଅନ୍ୟଟି ହେଉଛି ବର୍ଷା। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ମ୍ୟାଚ୍ ସମୟରେ ବର୍ଷା ନିଶ୍ଚିତ ହେବ। ଶନିବାର ଉଭୟ ଦଳ ଭଲରେ ଅଭ୍ୟାସ କରି ପାରି ନାହାନ୍ତି। ପଡ଼ିଆର କିଛି ଅଂଶ ଓ ପିଚ୍କୁ ପୂରା ଘୋଡାଇ ରଖାଯାଇଛି। ଏଭଳି ସ୍ଥିତିରେ ଖେଳ ଆରମ୍ଭ ନେଇ ଆଶଙ୍କା ସୃଷ୍ଟି ହୋଇଛି।
ଅନ୍ୟ ପକ୍ଷରେ କିଛି ବରିଷ୍ଠ ଖେଳାଳିଙ୍କୁ ଅନୁପସ୍ଥିତିରେ ଦକ୍ଷିଣ ଆଫ୍ରିକା ଭଲ ଖେଳ ପ୍ରଦର୍ଶନ କରିପାରି ନାହିଁ।
Comments ସମସ୍ତ ମତାମତ