Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ମହିଳା ଏସିଆ କପ୍‌ ହକି ପାଇଁ ଭାରତୀୟ ଦଳ ଘୋଷିତ, ଓଡ଼ିଶାରୁ କେବଳ ସୁନେଲିତା

    Share on :
    ajab-Image
    Date: Aug 22, 2025    Views: 2982

    ନୂଆଦିଲ୍ଲୀ: ଚୀନର ହ୍ବାଙ୍ଗ୍‌ଝୌରେ ସେପ୍ଟେମ୍ବର ୫ରୁ ୧୪ ପର୍ୟ୍ୟନ୍ତ ମହିଳା ଏସିଆ କପ୍‌ ହକି-୨୦୨୫ ଖେଳାଯିବ। ଏଥିପାଇଁ ହକି ଇଣ୍ଡିଆ ପକ୍ଷରୁ ଗୁରୁବାର ୨୦ ଜଣିଆ ଭାରତୀୟ ଦଳ ମନୋନୟନ କରାଯାଇଛି। ଅଭିଜ୍ଞ ମିଡ୍‌ଫିଲଡର ସଲିମା ଟେଟେ ଅଧିନାୟିକା ନିଯୁକ୍ତ ହୋଇଛନ୍ତି। ଦଳରେ ଦୁଇଜଣ ଗୋଲ୍‌ରକ୍ଷକ ବଂଶାରି ସୋଲାଙ୍କି ଓ ବିଛୁ ଦେବୀ ଖାରିବାମ୍‌ଙ୍କୁ ସ୍ଥାନ ମିଳିଛି। ଡିଫେଣ୍ଡର ଭାବେ ମନୀଷା ଚୌହ୍ବାନ, ଉଦିତା, ଜ୍ୟୋତି, ସୁମନ ଦେବୀ ଥୋଡାମ, ନିକ୍କି ପ୍ରଧାନ, ଇସିକା ଚୌଧୁରୀ ପ୍ରମୁଖ ରହିଛନ୍ତି। ମିଡ୍‌ଫିଲଡରରେ ନେହା, ବୈଷ୍ଣବୀ ଭିତିଲ ପାଖଲେ, ସଲିମା ଟେଟେ, ଶର୍ମିଳା ଦେବୀ, ଲାଲରିମସିଆମି, ସୁନେଲିତା ଟପ୍ପୋ ରହିଛନ୍ତି। ନବନୀତ କୌର, ଋତୁଜା ଦାଦାସୋ ପିସାଲେ, ବିୟୁଟି ଡୁଙ୍ଗଡୁଙ୍ଗ, ମୁମତାଜ ଖାଁ, ଦୀପିକା ଓ ସଙ୍ଗୀତା କୁମାରୀ ଫରୱାର୍ଡ ଦାୟିତ୍ବ ତୁଲାଇବେ। ଦଳରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ସୁନେଲିତା ଟପ୍ପୋ ସ୍ଥାନ ପାଇଛନ୍ତି।
    ଭାରତୀୟ ମହିଳା ହକି ଦଳର ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ କହିଛନ୍ତି, ଦଳ ସନ୍ତୁଳିତ ରହିଛି। ଆମେ ଏକ ଶକ୍ତିଶାଳୀ ଗ୍ରୁପରେ ରହିଛୁ। ଏସିଆ କପରୁ ଆମକୁ ୨୦୨୬ ଏଫଆଇଏଚ୍‌ ମହିଳା ହକି ବିଶ୍ବକପ ଯୋଗ୍ୟତା ହାସଲ କରିବାକୁ ପଡ଼ିବ। ଏଭଳି ଲକ୍ଷ୍ୟ ନେଇ ଆମେ ପ୍ରସ୍ତୁତି କରିଛୁ। ଦଳରେ ଅଭିଜ୍ଞ ଓ ଯୁବ ଖେଳାଳି ରହିଛନ୍ତି। ଭଲ ପ୍ରଦର୍ଶନ ନେଇ ଆମେ ଆଶାବାଦୀ। ପ୍ରତିଯୋଗିତାରେ ପ୍ରତ୍ୟେକ ଦଳ ଶକ୍ତିଶାଳୀ। କେଉଁ ଦଳକୁ ଆମେ ହାଲ୍‌କା ଭାବେ ନେଉ ନାହିଁ ବୋଲି ହରେନ୍ଦ୍ର କହିଛନ୍ତି। ପ୍ରତିଯୋଗିତାରେ ୮ଟି ଦଳ ଅଂଶଗ୍ରହଣ କରିବେ। ଦଳଗୁଡ଼ିକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ଗ୍ରୁପ୍‌ ‘ଏ’ରେ ଚୀନ, ଦକ୍ଷିଣ କୋରିଆ, ମାଲେସିଆ ଓ ଚାଇନିଜ ତାଇପେ ରହିଥିବା ବେଳେ ଗ୍ରୁପ୍‌ ‘ବି’ରେ ଭାରତ, ଜାପାନ, ଥାଇଲାଣ୍ଡ ଓ ସିଙ୍ଗାପୁର ରହିଛନ୍ତି। ଭାରତ ୫ରେ ଥାଇଲାଣ୍ଡ, ୬ରେ ଜାପାନ ଓ ୮ରେ ସିଙ୍ଗାପୁର ବିପକ୍ଷରେ ମ୍ୟାଚ ଖେଳିବ।
    ଭାରତୀୟ ମହିଳା ହକି ଦଳ: ବଂଶାରି ସୋଲାଙ୍କି ଓ ବିଛୁ ଦେବୀ ଖାରିବାମ୍‌ (ଗୋଲ୍‌ରକ୍ଷକ), ମନୀଷା ଚୌହ୍ବାନ, ଉଦିତା, ଜ୍ୟୋତି, ସୁମନ ଦେବୀ ଥୋଡାମ, ନିକି ପ୍ରଧାନ, ଇସିକା ଚୌଧୁରୀ (ସମସ୍ତେ ଡିଫେଣ୍ଡର), ନେହା, ବୈଷ୍ଣବୀ ଭିତିଲ ପାଖଲେ, ସଲିମା ଟେଟେ, ଶର୍ମିଳା ଦେବୀ, ଲାଲ୍‌ରେମ୍‌ସିଆମି, ସୁନେଲିତା ଟପ୍ପୋ (ସମସ୍ତେ ମିଡ୍‌ଫିଲଡର), ନବନୀତ କୌର, ଋତୁଜା ଦାଦାସୋ ପିସାଲେ, ବିୟୁଟି ଡୁଙ୍ଗ୍‌ଡୁଙ୍ଗ୍‌, ମୁମତାଜ ଖାଁ, ଦୀପିକା ଓ ସଙ୍ଗୀତା କୁମାରୀ।

    Maximum 500 characters

    ଖେଳ ଖବର View all

    Find Us on Facebook