ମୁଖ୍ୟ ଖବର
କଟକ : ସହରର ବିପର୍ଯ୍ୟସ୍ତ ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି କଟକ ଡିସିପିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । କମିଟିରେ ଅନ୍ୟାନ୍ୟ ସଦସ୍ୟଙ୍କ ସହ କଟକ ଅତିରିକ୍ତ ଜିଲ୍ଲାପାଳଙ୍କୁ ଜଣେ ସଦସ୍ୟ ଭାବେ ରଖିବା ଲାଗି ଅଦାଲତ କହିଥିଲେ । କିନ୍ତୁ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନେ୍ଧ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ କମିଟିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସଦସ୍ୟ ଭାବେ ରଖିବା ପରିବର୍ତ୍ତେ ସଦର ତହସିଲ୍ଦାରଙ୍କୁ ସଦସ୍ୟ ଭାବେ ରଖିବା ଲାଗି ପ୍ରସ୍ତାବ ଦେଲେ । କେବଳ ସେତିକି ନୁହେଁ, ଟ୍ରାଫିକ୍ ସମସ୍ୟା ପାଇଁ ସ୍ୱତନ୍ତ୍ର କମିଟି ଗଠନ କରିବା ପରିବର୍ତ୍ତେ ପୂର୍ବରୁ ଥିବା ଜିଲ୍ଲା ସଡ଼କ ସୁରକ୍ଷା କମିଟିକୁ ଏହି ଦାୟିତ୍ୱ ଦେବା ପାଇଁ ହାଇକୋର୍ଟଙ୍କୁ ନିଜ ଆଡୁ ପରାମର୍ଶ ମଧ୍ୟ ଦେଲେ । ଜିଲ୍ଲାପାଳଙ୍କ ଏଭଳି ଆଭିମୁଖ୍ୟକୁ ନେଇ ହାଇକୋର୍ଟର ବିଚାରପତି ଜଷ୍ଟିସ୍ କୃଷ୍ଣରାମ ମହାପାତ୍ର ଓ ବିଚାରପତି ଜଷ୍ଟିସ୍ ଭି. ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ କ୍ଷୁବ୍ଧ ହେବା ସହ ପ୍ରଶାସନିକ ଅଧିକାରୀ ଭାବେ ଜିଲ୍ଲାପାଳ ନିଜ ଲକ୍ଷ୍ମଣ ରେଖା ଉଲ୍ଲଂଘନ କରିଛନ୍ତି ବୋଲି କହି ଭର୍ତ୍ସନା କରିଛନ୍ତି । କଟକ ସହର ସମସ୍ୟା ସଂକ୍ରାନ୍ତ ମାମାଲର ଶୁଣାଣି ଅବସରରେ ହାଇକୋର୍ଟ ଏଭଳି କ୍ଷୋଭ ପ୍ରକାଶ କରିଛନ୍ତି ।
ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନେ୍ଧ ଗୁରୁବାର ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଜବାବ ରଖିଥିଲେ । କିନ୍ତୁ ଜିଲ୍ଲାପାଳଙ୍କ ଆଭିମୁଖ୍ୟ ଓ ଅଦାଲତଙ୍କୁ ପରାମର୍ଶ ଦେବା ମାନସିକତାକୁ ହାଇକୋର୍ଟ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି । ହାଇକୋର୍ଟ ପ୍ରଶ୍ନ କରିଛନ୍ତି ଯେ, ଜିଲ୍ଲାପାଳ ହାଇକୋର୍ଟଙ୍କ ଉପରେ ଅପିଲେଟ୍ ଅଥରିଟି କି? ଜିଲ୍ଲାପାଳ କେଉଁ ଆଧାରରେ ଅଦାଲତଙ୍କୁ ପରାମର୍ଶ ଦେବାକୁ ସାହସ କଲେ? କଟକ ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକଳାପ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଦାଲତଙ୍କୁ ବାଧ୍ୟ କରୁଛି । ତଥାପି ଅଦାଲତ ନିଜକୁ ଏଥିରୁ ନିବୃତ୍ତ କରି ଜିଲ୍ଲାପାଳଙ୍କୁ କ୍ଷମା କରି ଦେଇଛନ୍ତି ବୋଲି ହାଇକୋର୍ଟ ମତ ଦେବା ସହ ଭବିଷ୍ୟତରେ ଏଭଳି କାର୍ଯ୍ୟର ଯେପରି ପୁନରାବୃତ୍ତି ନଘଟେ ସେଥିପାଇଁ ତାଗିଦ୍ କରିଛନ୍ତି ।
ଅଦାଲତ କହିଛନ୍ତି ଯେ, ଆମେ ଯେତିକି କହିବା କଥା କହିଦେଲୁଣି, ଆଉ ଅଧିକ କିଛି କହିବାକୁ ଚାହୁଁନୁ । ଯେତିକି କହିଛୁ ସେତିକିରୁ ବୁଝିଯିବା ଦରକାର । ଏହି ଅବସରରେ ଜିଲ୍ଲାପାଳଙ୍କ ପରାମର୍ଶ ସଂକ୍ରାନ୍ତ ସତ୍ୟପାଠକୁ ବି ହାଇକୋର୍ଟ ଖାରଜ କରି ଦେଇଛନ୍ତି । ଅନ୍ୟପକ୍ଷରେ କଟକ ଅତିରିକ୍ତ ଜିଲ୍ଲାପାଳ ତଥା ନୋଡାଲ ଅଫିସର କମଲଜିତ୍ ଦାସଙ୍କୁ କମିଟିରେ ସଦସ୍ୟ ଭାବେ ତୁରନ୍ତ ନିଯୁକ୍ତି ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହ ଆଦେଶ ସଂକ୍ରାନ୍ତରେ ମୁଖ୍ୟ ଶାସନସଚିବଙ୍କୁ ଅବଗତ କରିବାକୁ କହିଛନ୍ତି । ଆଜି ମାମଲାର ଶୁଣାଣି ଅବସରରେ ହଜାରେ ବର୍ଷର କଟକ ସହରର ଟ୍ରାଫିକ୍ ସମସ୍ୟାକୁ ନେଇ ହାଇକୋର୍ଟ ଘୋର ଉଦ୍ବେଗ ପ୍ରକାଶ କରିଛନ୍ତି ।
ହାଇକୋର୍ଟ କହିଛନ୍ତି ଯେ, ଅଦାଲତ ୨୦୧୧ ମସିହାରେ ଗଠନ ହୋଇଥିବା ଟ୍ରାଫିକ୍ ମ୍ୟାନେଜ୍ମେଣ୍ଟ କମିଟି ଏବଂ ଜିଲ୍ଲା ସଡ଼କ ସୁରକ୍ଷା କମିଟି ସଂକ୍ରାନ୍ତରେ ସମ୍ପୂର୍ଣ୍ଣ ଅବଗତ । ଏହାସତ୍ତେ୍ୱ ହାଇକୋର୍ଟ ଏହି ସମସ୍ୟାର ଏକ ସ୍ଥାୟୀ ସମାଧାନ ପାଇଁ ସ୍ୱତନ୍ତ୍ର କମିଟି ଗଠନ ଲାଗି ନିଷ୍ପତ୍ତି ନେଇଥିଲେ । ଏହି କମିଟିରେ କଟକ ଅତିରିକ୍ତ ଜିଲ୍ଲାପାଳ, କେଏମ୍ସିର ଜଣେ ଡେପୁଟି କମିସନର ଏବଂ କେଡିଏର ସମାନ ର୍ୟାଙ୍କ୍ର ଜଣେ ଅଧିକାରୀଙ୍କୁ ମନୋନୀତ କରିବା ପାଇଁ ହାଇକୋର୍ଟ କହିଥିଲେ । ଜିଲ୍ଲାପାଳଙ୍କ ଦ୍ୱାରା ସଡ଼କ ସୁରକ୍ଷା କମିଟିକୁ ନେଇ ହାଇକୋର୍ଟ ପ୍ରଶ୍ନ ଉଠାଇଛନ୍ତି । କ’ଣ ପାଇଁ ପ୍ରତିଦିନ ଦୁର୍ଘଟଣା ଘଟୁଛି । ଯେତେବେଳେ ଏହି କମିଟି ଏତେସବୁ ସମସ୍ୟାର ସମାଧାନ କରିପାରୁ ନାହିଁ ତାହେଲେ ହାଇକୋର୍ଟ ଯେଉଁ ଉଦ୍ବେଗ ପ୍ରକାଶ କରିଛନ୍ତି ତାହାର କିପରି ସମାଧାନ ଏହି କମିଟି ଜରିଆରେ ହୋଇପାରିବ କି ବୋଲି ଅଦାଲତ ପାଲଟା ପ୍ରଶ୍ନ କରିଛନ୍ତି ।
Comments ସମସ୍ତ ମତାମତ