ମୁଖ୍ୟ ଖବର
କଟକ: ୭୧୧ ପଦରେ ହିନ୍ଦୀ ଶିକ୍ଷକ ନିଯୁକ୍ତି ଲାଗି ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ହାଇକୋର୍ଟ ଗୁରୁବାର ରଦ୍ଦ କରି ଦେଇଛନ୍ତି । ଏହି ପଦ ଲାଗି ସାନି ବିଜ୍ଞପ୍ତି ପ୍ରକାଶ କରିବାକୁ ହାଇକୋର୍ଟ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପଦ ଲାଗି ଷ୍ଟାଫ୍ ସିଲେକ୍ସନ କମିସନ ପ୍ରାଥମିକ (ପ୍ରିଲିମିନାରୀ) ପରୀକ୍ଷା କରାଇବେ ।ପରୀକ୍ଷା ପାଇଁ ଉଭୟ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ପ୍ରଶ୍ନପତ୍ର କରାଯିବ । ଏହି ସମସ୍ତ ପ୍ରକ୍ରିୟା ତିନି ମାସ ମଧ୍ୟରେ ସାରିବାକୁ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ଫିରୋଜ କୁମାର ମହାପାତ୍ର ଏବଂ ଅନ୍ୟମାନଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଡି.କେ. ଶ୍ରୀପଦ ଏହି ରାୟ ଦେଇଛନ୍ତି । ଷ୍ଟାଫ୍ ସିଲେକ୍ସନ କମିସନଙ୍କ ପକ୍ଷରୁ ୨୦୨୪ ଅକ୍ଟୋବର ୨୨ରେ ୭୧୧ଟି ହିନ୍ଦୀ ଶିକ୍ଷକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ପଦ ଲାଗି ଯଦି ୫ଗୁଣା ପ୍ରାର୍ଥୀ ଆବେଦନ କରନ୍ତି ତାହେଲେ ପ୍ରାଥମିକ ପରୀକ୍ଷା କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ହୋଇଥିଲା । ଏହି ପଦ ଲାଗି ପାଞ୍ଚ ଗୁଣା ପ୍ରାର୍ଥୀ ମଧ୍ୟ ଆବେଦନ କରିଥିଲେ । କିନ୍ତୁ କମିସନଙ୍କ ପକ୍ଷରୁ ସିଧାସଳଖ ମୁଖ୍ୟ ପରୀକ୍ଷା କରାଯାଇଥିଲା । ମୁଖ୍ୟ ପରୀକ୍ଷାରେ ଯେଉଁ ୧୫୦ ମାର୍କ ପ୍ରଶ୍ନ ଆସିଥିଲା ସେଥିରୁ ପେଡାଗୋଗୀ ଏବଂ ଇଭାଲ୍ୟୁସନ୍ରେ ୨୦ମାର୍କର ପ୍ରଶ୍ନ ରହିଥିଲା । ଏହି ୨୦ମାର୍କ ପ୍ରଶ୍ନ କେବଳ ହିନ୍ଦୀରେ ଲେଖାଯାଇଥିଲା । କିନ୍ତୁ ବିଜ୍ଞପ୍ତି ଆଧାରରେ ଏହି ପ୍ରଶ୍ନପତ୍ର ଉଭୟ ଇଂରାଜୀ ଏବଂ ହିନ୍ଦୀରେ ଆସିବା କଥା । ତେଣୁ ଏହାକୁ ଚାଲେଞ୍ଜ କରି ଏକାଧିକ ଆଶାୟୀ ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ହାଇକୋର୍ଟ ମାମଲାର ରାୟ ପ୍ରକାଶ କରି କହିଛନ୍ତି ଯେ, ଦୁଇଟି ଭାଷାରେ ପ୍ରଶ୍ନ ଆସିବାକୁ ଥିଲାବେଳେ କ’ଣ ପାଇଁ କେବଳ ହିନ୍ଦୀରେ ପ୍ରଶ୍ନପତ୍ର ପ୍ରସ୍ତୁତ କରାଗଲା ଏହା ସନ୍ଦେହ ଘେରରେ । ଏହି କଥାକୁ କମିସନଙ୍କ ପକ୍ଷରୁ ସ୍ୱୀକାର ମଧ୍ୟ କରାଯାଇଛି । ପୂରା ପରୀକ୍ଷା ପ୍ରକ୍ରିୟାକୁ ଯଦି ରଦ୍ଦ କରାନଯାଏ ତାହେଲେ ଏଥିରେ ସ୍ୱଚ୍ଛତା ରହିବ ନାହିଁ ବୋଲି ହାଇକୋର୍ଟ ମତ ଦେବା ସହ ପରୀକ୍ଷାକୁ ସମ୍ପୂର୍ଣ୍ଣ ରଦ୍ଦ କରି ଦେଇଛନ୍ତି ।
Comments ସମସ୍ତ ମତାମତ