ଭୁବନେଶ୍ୱର: ଯାତ୍ରା ମଞ୍ଚରେ ମନୋରଞ୍ଜନ ଆଳରେ ଆଉ ହୋଇପାରିବନି ଅଶ୍ଳୀଳତା ପ୍ରଦର୍ଶନ । ଖୁବଶୀଘ୍ର ଆସିବାକୁ ଯାଉଛି ଏହା ସମ୍ପର୍କିତ ଏକ ଗାଇଡଲାଇନ୍ । ସରକାର ଏହି ପ୍ରସଙ୍ଗରେ ଚିନ୍ତା କରୁଛନ୍ତି ଓ ଖୁବଶୀଘ୍ର ଏକ ନିର୍ଦ୍ଦେଶାବଳୀ ଆଣିବାକୁ ଯାଉଛନ୍ତି । ଏହି ନିର୍ଦ୍ଦେଶାବଳୀ ଅନୁସାରେ ହିଁ ଯାତ୍ରା କମିଟିମାନେ ଆୟୋଜନ କରିବେ ବୋଲି କହିଛନ୍ତି ଉଚ୍ଚଶିକ୍ଷା ତଥା ଭାଷା-ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ।ଏହି ଗାଇଡଲାଇନ ସମ୍ପର୍କରେ ସଂସ୍କୃତି ମନ୍ତ୍ରୀ ସୂରଜ କହିଛନ୍ତି,‘‘ ସଂସ୍କୃତି ବିଭାଗ ପକ୍ଷରୁ ଯେଉଁ ସହଯୋଗ ଆବଶ୍ୟକ ପଡିବ, ଆଇନ ବିଭାଗକୁ ଆମେ ସହଯୋଗ କରିବୁ । ଅଶ୍ଳୀଳତାକୁ ନେଇ କେବଳ କମିଟିକୁ ଦାୟୀ କଲେ ହେବନି, ଦର୍ଶକମାନେ ମଧ୍ୟ କିଛି ମାତ୍ରାରେ ଦାୟୀ । ତେଣୁ ଆମେ ଆମ ମାନସିକତାରେ ସ୍ୱଚ୍ଛତା ଆଣିଲେ, ଯାତ୍ରାରେ ଅଶ୍ଳୀଳତା ହ୍ରାସ ପାଇବ । ’’ ଏହା ସହ ମନ୍ତ୍ରୀ ସୂରଜ ଏହି ପ୍ରସଙ୍ଗରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଯାହା କହିଥିଲେ, ତାକୁ ସମର୍ଥନ ମଧ୍ୟ କରିଛନ୍ତି ।କିଛି ଦିନ ହେବ ଯାତ୍ରା ମଞ୍ଚରେ ନୃତ୍ୟ ଓ ବ୍ୟଙ୍ଗ ଆଳରେ ଏକ ଅପସଂସ୍କୃତି ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ଅଶ୍ଳୀଳ ତଥା ଉତ୍ତେଜନାପୂର୍ଣ୍ଣ ନୃତ୍ୟ ପରିବେଷଣ କରାଇ ଅଧିକ ଦର୍ଶକଙ୍କୁ ଏକାଠି କରାଯିବାର ପ୍ରୟାସ ମଧ୍ୟ କରାଯାଉଛି । ଅନ୍ୟପଟେ ଆଇଟମ୍ ଡାନ୍ସରଙ୍କ ଅଶ୍ଳୀଳ ନୃତ୍ୟ ଓ ଲଗାମଛଡା ଉତ୍ତେଜକ ପ୍ରଦର୍ଶନ ଯାତ୍ରାରେ ଅପ୍ରୀତିକର ସ୍ଥିତି ମଧ୍ୟ ସୃଷ୍ଟି କରୁଛି ।
Comments ସମସ୍ତ ମତାମତ