ମୁଖ୍ୟ ଖବର
ଭୁବନେଶ୍ୱର: କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରବର୍ତିତ ଯୋଜନା ସଂପର୍କରେ ଗଣମାଧ୍ୟମ ଦ୍ୱାରା ଅଧିକ ଜନ ସଚେତନତା ସୃଷ୍ଟି କରିବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି । ଚଳିତ ଅକ୍ଟୋବର ୧୭ ତାରିଖ ଦିନ ରାଜଭବନର ନ୍ୟୁ ଅଭିଷେକ ହଲ୍ଠାରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିଙ୍କ ସହ ଆଲୋଚନା ଅବସରରେ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି । ଏହା ଦ୍ୱାରା ଅଧିକ ଲୋକ ବିଭିନ୍ନ ଯୋଜନାର ସୁଫଳ ପାଇ ପାରିବେ ବୋଲି ରାଜ୍ୟପାଳ କହିଛନ୍ତି । ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ,ପ୍ରଧାନମନ୍ତ୍ରୀ ଜୀବନ ବୀମା ଯୋଜନା , ଅଟଳ ପେନ୍ସନ ଯୋଜନା ଏବଂ ସୁକନ୍ୟା ସମୃଦ୍ଧି ଯୋଜନା ଭଳି ପ୍ରମୁଖ ଯୋଜନାଗୁଡ଼ିକ ଉପରେ ରାଜ୍ୟପାଳ ଆଲୋକପାତ କରିଥିଲେ । ଅନେକ ଲୋକ ଏ ପର୍ୟ୍ୟନ୍ତ ଏହି ଯୋଜନାଗୁଡ଼ିକ ସଂପର୍କରେ ଅଜ୍ଞ ଅଛନ୍ତି । ଯଦି ଗଣମାଧ୍ୟମ ଦ୍ୱାରା ଏସବୁ ଯୋଜନା ସଂପର୍କରେ ଅଧିକ ପ୍ରଚାରପ୍ରସାର କରାଯାଏ, ତେବେ ଏହାଦ୍ୱାରା ଜନସାଧାରଣ ସଚେତନ ହୋଇପାରିବେ ଏବଂ ଅଧିକ ଲୋକ ବିଭିନ୍ନ ଯୋଜନାରେ ସୁବିଧା ହାସଲ କରିପାରିବେ ଏବଂ ଉପକୃତ ହୋଇପାରିବେ ବୋଲି ରାଜ୍ୟପାଳ କହିଥିଲେ ।
ବିଭିନ୍ନ ଯୋଜନାଗୁଡ଼ିକ ନାଗରିକଙ୍କୁ ଆର୍ଥିକ ସୁରକ୍ଷା, ସାମାଜିକ ସୁରକ୍ଷା ଦେବା ସହ ଭବିଷ୍ୟତରେ ଆବଶ୍ୟକତା ପୂରଣ କରି ନାଗରିକ ଜୀବନକୁ ଉନ୍ନତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଏ ଦିଗରେ ଅଧିକ ସଚେତନତା ସୃଷ୍ଟି ଅଧିକ ଲୋକଙ୍କୁ ସେମାନଙ୍କର ସଂଚୟ, ପେନ୍ସନ୍ ଏବଂ ସେମାନଙ୍କର ପିଲାମାନଙ୍କ ପାଇଁ ବୀମା କାର୍ୟ୍ୟକ୍ରମରୁ ଲାଭ ପାଇବାକୁ ସକ୍ଷମ କରିପାରିବ, ଯାହା ପ୍ରକାରାନ୍ତରେ ରାଜ୍ୟରେ ପରିବାରଗୁଡ଼ିକର ସ୍ଥିରତା ଏବଂ କଲ୍ୟାଣକୁ ପ୍ରୋତ୍ସାହିତ କରିବ । ଗଣମାଧ୍ୟମ ଏହି କଲ୍ୟାଣକାରୀ ପଦକ୍ଷେପକୁ ଜନସାଧାରଣଙ୍କ ନିକଟରେ ପହଂଚାଇପାରିବେ ବୋଲି ରାଜ୍ୟପାଳ କହିଛନ୍ତି । ଗଣମାଧ୍ୟମର ପ୍ରତିନିଧିମାନଙ୍କ ସହ ଆଲୋଚନା ବେଳେ ରାଜ୍ୟପାଳ ରାଜ୍ୟରେ ଜନଜାତିଙ୍କ ବିକାଶ, ଶିକ୍ଷା, ଭିତିଭୂମି, ଗ୍ରାମୀଣ ବିକାଶ, ସ୍ଥାନାନ୍ତର ଏବଂ ଓଡ଼ିଶାକୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ ପ୍ରମୁଖ ବିଷୟ ସହ ରାଜ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ ।
୨୦୩୬ ମସିହା ସୁଦ୍ଧା “ବିକଶିତ ଓଡ଼ିଶା” ଗଠନ ଲକ୍ଷ ହାସଲ କରିବାର ସମ୍ଭାବନା ଉପରେ ଆଲୋକପାତ କରି ଆଗକୁ ଥିବା ଆହ୍ୱାନର ମୁକାବିଲା ଏବଂ ସୁଯୋଗ ବିଷୟରେ ଉଲ୍ଲେଖ କରିଥିଲେ । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍.ଏଚ୍.ଏ.ଆଇ) ଏବଂ ଭାରତୀୟ ରେଳବାଇ ଦ୍ୱାରା ହାତକୁ ନିଆଯାଉଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକ ଉପରେ ଆଲୋକପାତ କରି ଏହା ରାଜ୍ୟରେ ନିବେଶ ଓ ବିକାଶକୁ ବୃଦ୍ଧି କରିବ ବୋଲି ରାଜ୍ୟପାଳ କହିଥିଲେ । ଏତଦ୍ବ୍ୟତୀତ “ଉତ୍କର୍ଷ ଓଡ଼ିଶା” କାର୍ୟ୍ୟକ୍ରମ ସମୟରେ ପ୍ରାପ୍ତ ନିବେଶ ପ୍ରସ୍ତାବଗୁଡ଼ିକ ବିଷୟରେ ତଥା ପ୍ରସ୍ତାବିତ ସେମିକଣ୍ଡକ୍ଟର ପ୍ରକଳ୍ପ ସଂପର୍କରେ ରାଜ୍ୟପାଳ ଅବତାରଣା କରି ୨୦୩୬ ସୁଦ୍ଧା ଓଡ଼ିଶା ଏକ ବିକଶିତ ରାଜ୍ୟ ହୋଇ ପାରିବ ବୋଲି କହିଥିଲେ । ଆତ୍ମନିର୍ଭରଶୀଳତା ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରି ରାଜ୍ୟପାଳ ଡ. କମ୍ଭମପାଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମ ନିର୍ଭର ଭାରତର ଦୃଷ୍ଟିକୋଣକୁ ଉଲ୍ଲେଖ କରିଥିଲେ ।
- ଇୟଙ୍ଖରକ୍ସଗ୍ଧସଗ୍ଦରଜ୍ଞରଦ୍ଭଗ୍ଧ -
ସମସ୍ତ ବିଭାଗ ଲୋକଙ୍କ ଆବଶ୍ୟକତା ପୂରଣ ଓ ସମସ୍ୟାର ସମାଧାନ ଉପରେ ଧ୍ୟାନ ଦେବାକୁ କହିଥିଲେ । ଅପରାଧ ନିୟନ୍ତ୍ରଣ ପ୍ରସଙ୍ଗରେ ଏହାକୁ ରୋକିବାରେ ସମସ୍ତଙ୍କର ଦାୟିତ୍ୱ ରହିଛି ବୋଲି ରାଜ୍ୟପାଳ କହିବା ସହିତ ସମାଜକୁ ସଚେତନ ହେବାକୁ ପଡ଼ିବ ବୋଲି କହିଥିଲେ । ସ୍ଥାନାନ୍ତର ଆହ୍ୱାନର ମୁକାବିଲା କରିବାରେ ଯୁବ ବର୍ଗଙ୍କ ଦକ୍ଷତା ବିକାଶ କାର୍ୟ୍ୟକ୍ରମ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଜନସାଧାରଣଙ୍କ ନିକଟରେ ବିଭିନ୍ନ ଖବର ଏବଂ ସୂଚନା ପହଂଚାଇବାରେ ଗଣମାଧ୍ୟମର ଅକ୍ଲାନ୍ତ ପ୍ରୟାସ ପାଇଁ ରାଜ୍ୟପାଳ ସେମାନଙ୍କୁ ପ୍ରଶଂସା କରିଥିଲେ ।
Comments ସମସ୍ତ ମତାମତ