Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    1200 ପାର ହେଲା ନେପାଳ ବନ୍ୟା ମୃତ୍ୟୁ ସଂଖ୍ଯା

    Share on :
    ajab-Image
    Date: Sep 3, 2026    Views: 3575

    କାଠମାଣ୍ଡୁ: ନେପାଳ ଭୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା 12 ଶହ ପାର କରିଛି । ନେପାଳର ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ପରିଚାଳନା କର୍ତ୍ତୃପକ୍ଷ (NDRRMA)ଙ୍କ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା 1222 ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଏବେ ବି 4216 ଜଣ ନିଖୋଜ ଅଛିନ୍ତି । ବିପର୍ଯ୍ୟୟ ଘଟିବାକୁ 9 ଦିନ ବିତିଯାଇଥିବା ବେଳେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି ।

    NDRRMA ସୂଚନା ଅନୁସାରେ, ନିଖୋଜ ଲୋକଙ୍କ ମଧ୍ୟରେ 583 ଜଣ ବିଦେଶୀ ନାଗରିକ ଅଛନ୍ତି । ନେପାଳ ସେନା ସମେତ ସୁରକ୍ଷା କର୍ମୀଙ୍କ ମିଳିତ ବାହିନୀ ଏପର୍ଯ୍ୟନ୍ତ ହେଲିକପ୍ଟର ଏବଂ ସ୍ଥଳପଥ ବ୍ୟବହାର କରି 11,993 ଜଣଙ୍କୁ ଉଦ୍ଧାର କରିଛନ୍ତି । ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରାୟ 21,314 ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି । 301 ଜଣ ଆହତଙ୍କ ଚିକିତ୍ସା ଚାଲିଛି । ଚିତୱାନରେ ସର୍ବାଧିକ 348ଟି ମୃତଦେହ ଉଦ୍ଧାର ହୋଇଛି । ନବଲପରାସି ଇଷ୍ଟ (218), ନବଲପରାସି ୱେଷ୍ଟ (208), ଗୋରଖା (69), ନୁୱାକୋଟ (155), ଧାଡିଂ (60), ତନାହୁନ୍ (38) ଏବଂ ରସୁୱା (127) ମୃତଦେହ ଉଦ୍ଧାର କରାଯାଇଛି ।

    ନେପାଳରେ ହୋଇଥିବା ବନ୍ୟା ପରେ ଉଦ୍ଧାର ହୋଇଥିବା ଭାରତୀୟ ନାଗରିକଙ୍କ ସଂଖ୍ୟା 163 ବୋଲି ବୈଦେଶିକ ମନ୍ତ୍ରଣାଳୟ (MEA) କହିଛି । ଭାରତ ନେପାଳ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରଖି ଏହାର ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । 275ରୁ ଅଧିକ ଭାରତୀୟ ଏବଂ 128 ଜଣ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି ଏବେ ବି ନିଖୋଜ ଅଛନ୍ତି କିମ୍ବା ସେମାନଙ୍କ ସହିତ ଯୋଗାଯୋଗ କରାଯାଇପାରି ନାହିଁ । MEA ମୁଖପାତ୍ର ରଣଧୀର ଜୟସୱାଲ ଏହା ମଧ୍ୟ କହିଛନ୍ତି ଯେ, ଭାରତରୁ ଏକ 19 ଜଣିଆ ବିଶେଷଜ୍ଞ ଫୋରେନସିକ୍ ଦଳ କାଠମାଣ୍ଡୁରେ କାର୍ଯ୍ୟ ଆରମ୍ଭ କରିଛନ୍ତି ।

    ନେପାଳକୁ ମାନବିକ ସହାୟତା ପ୍ରଦାନ ଜାରି ରଖିଛି ଭାରତ । MEA ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି, "ପଞ୍ଚମ ଭାରତୀୟ ବିମାନଟି ବୁଧବାର ସକାଳେ ନେପାଳରେ ଅବତରଣ କରିଥିଲା, ଯେଉଁଥିରେ 11 ଜଣିଆ ଉଦ୍ଧାରକାରୀ ଦଳ ସହିତ ସ୍ୱତନ୍ତ୍ର ଉପକରଣ ଏବଂ 5.5 ଟନ୍ ଅତ୍ୟାବଶ୍ୟକ ଔଷଧ ଥିଲା । ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ ନେପାଳ ସରକାରଙ୍କୁ ରିଲିଫ୍ ସାମଗ୍ରୀ ପ୍ରଦାନ କରିଛନ୍ତି ।"

    ଚୀନ୍ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ବିପର୍ଯ୍ୟୟରେ ଚୀନ୍ ପାର୍ଶ୍ୱରେ ମଧ୍ୟ 21 ଜଣଙ୍କର ମୃତ୍ୟୁ ହୋଇଛି, ଯେତେବେଳେ ତିବ୍ଦତରେ ପ୍ରାୟ 540 ଜଣ ନିଖୋଜ ଅଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook