ମୁଖ୍ୟ ଖବର
ଭୁବନେଶ୍ୱର: ପଶ୍ଚିମବଙ୍ଗରୁ ତାମିଲନାଡ଼ୁ, କେରଳମରୁ ଆସାମ ଶକ୍ତି ଦେଖାଇଲେ ମହିଳା ମତଦାତା । ସରକାର ହଟାଇବାରୁ ନୂଆ ସରକାର ଗଢ଼ିବା ଯାଏ ସବୁଠୁ ବଡ଼ ଭୂମିକା ନେଇଛି ମହିଳା ଭୋଟ । ଓଡ଼ିଶାରେ ଆଗକୁ ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ । ହାତରେ ୮-୯ ମାସର ମହଲତ ବାକି । ଏବେଠାରୁ ମହିଳା ଭୋଟ ହାତେଇବାକୁ ସବୁ ଦଳ ଲାଗି ପଡ଼ିଲେଣି । ଉଭୟ ଶାସକ ଓ ବିରୋଧୀ ଦଳ ରାସ୍ତାକୁ ଓହ୍ଲାଇ ମହିଳାଙ୍କ ପାଇଁ ସ୍ୱର ତେଜିଲେଣି ।
ବିଶ୍ୱ ମାତୃ ଦିବସରୁ ବିଜେଡି ରାଜ୍ୟବ୍ୟାପୀ ଆରମ୍ଭ କରିଛି ନାରୀ ଅଧିକାର ଅଭିଯାନ । ପ୍ରତି ନିର୍ବାଚନମଣ୍ଡଳୀରେ ମହିଳାଙ୍କ ପାଇଁ ବିଜେଡି ଆସନ୍ତା ୨୫ ଯାଏଁ ବିକ୍ଷୋଭ ଚଳାଇଛି। ଖାଲି ସେତିକି ନୁହେଁ, ରାଜ୍ୟରେ ବିଭିନ୍ନ ନାରୀ ନିର୍ଯାତନା ଓ ହିଂସା ପ୍ରସଙ୍ଗକୁ ଜୋରଦାର ଭାବେ ଉଠାଇବାକୁ ବିଜେଡି ଲାଗି ପଡ଼ିଛି । ଖୋଦ୍ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏଭଳି କୌଣସି ପ୍ରସଙ୍ଗ ମିଳିଲେ ସରକାରଙ୍କୁ ସିଧା ଆକ୍ରମଣ କରିବାର ସୁଯୋଗ ହାତଛଡ଼ା କରୁନାହାନ୍ତି । ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସ ମଧ୍ୟ ବିଭିନ୍ନ ନିର୍ବାଚନମଣ୍ଡଳୀରେ ମଶାଲ ଶୋଭାଯାତ୍ରା କରୁଥିବା ଦେଖିବାକୁ ମିଳିଛି ।
ନାରୀ ଶକ୍ତି ପାଇଁ ଶାସକ ବିଜେପି ମଧ୍ୟ ନିୟମିତ ରାସ୍ତାକୁ ଓହ୍ଲାଉଛି । ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାରିତ ନ ହେବା ପରେ ସିଧା ବିଜେଡି ଓ କଂଗ୍ରେସକୁ ଦାୟୀ କରି ବିଜେପି ପକ୍ଷରୁ ରାଜ୍ୟ ସାରା ମହିଳା ଆକ୍ରୋଶ ରାଲି ଜାରି ରଖିଛି । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବିଜେପି ରାଜ୍ୟ ସଭାପତିଙ୍କ ସମେତ ଦଳର ସବୁ ବଡ଼ ନେତା ଏଥିରେ ସାମିଲ ହୋଇ ବିରୋଧୀଙ୍କୁ ଟାର୍ଗେଟ କରୁଛନ୍ତି । ବିରୋଧୀ ବି ଏ ପ୍ରସଙ୍ଗରେ ପାଲଟା ଆକ୍ରମଣ କରି ବିଜେପି ବିରୋଧରେ ପ୍ରଚାର ଚଳାଇଛନ୍ତି । ଉଭୟ ପଟୁ ଆକ୍ରମଣ-ପ୍ରତି ଆକ୍ରମଣ ଜାରି ରହିଛି ।
କେବଳ ସେତିକି ନୁହେଁ, ବୁଥ ସ୍ତରରେ ମହିଳା ଭୋଟକୁ ନିଜ ଆଡ଼କୁ ନେବା ପାଇଁ ତିନି ପ୍ରମୁଖ ଦଳ ରଣନୀତି ଚଳାଇଛନ୍ତି । ବୁଥ୍ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ଏଥିପାଇଁ ଦାୟିତ୍ୱ ଦିଆଯାଇଛି । ବିଜେଡି ଯେଉଁ ମହିଳା ଭୋଟ ବଳରେ ୨୪ ବର୍ଷ ଶାସନରେ ରହିଥିଲା, ବିଜେପି ବି ଅନୁରୂପ ସେଇ ଫର୍ମୁଲା ଲାଗୁ କରୁଛି । ତିନି ପ୍ରମୁଖ ଦଳର ମହିଳା ସଂଗଠନ ଏବେ ସକ୍ରିୟ ହୋଇପଡ଼ିଛନ୍ତି ।
ବିଗତ କିଛି ବର୍ଷ ହେବ ଲୋକସଭା ଓ ବିଧାନସଭା ନିର୍ବାଚନରେ ମହିଳା ଭୋଟ ନିର୍ଣ୍ଣାୟକ ଭୂମିକା ନେଉଛି । ଓଡ଼ିଶାରେ ବି ଏହି ଟ୍ରେଣ୍ଡ ଦେଖିବାକୁ ମିଳିଛି । ୨୦୨୪ ନିର୍ବାଚନରେ ରାଜ୍ୟରେ ମୋଟ ୭୪.୪୪% ମତଦାନ ହୋଇଥିଲା । ପୁରୁଷଙ୍କ ମତଦାନ ହାର ୭୩.୩୭% ଥିବାବେଳେ ମହିଳାଙ୍କ ମତଦାନ ହାର ଥିଲା ୭୫.୫୫% । ୨୦୧୯ରେ ବି ମହିଳାଙ୍କ ମତଦାନ ହାର ପୁରୁଷଙ୍କଠାରୁ ଅଧିକ ରହିଥିଲା ।
ରାଜନୈତିକ ବିଶେଷଜ୍ଞଙ୍କ କହିବାନୁସାରେ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ୨୪ ବର୍ଷ ନିରଙ୍କୁଶ ଶାସନ ପଛରେ ସବୁଠାରୁ ବଡ଼ ଶକ୍ତି ଥିଲା ମହିଳାଙ୍କ ସମର୍ଥନ । ମିଶନ ଶକ୍ତି ମାଧ୍ୟମରେ ଗାଁ ଗାଁରେ ପ୍ରତି ଘରେ ନବୀନଙ୍କ ଭୋଟ ବ୍ୟାଙ୍କ ପହଞ୍ଚିଥିଲା । ୨୦୨୪ରେ ବିଜେପିର ସୁଭଦ୍ରା ଯୋଜନା ଘୋଷଣା ନବୀନଙ୍କ ମିଶନ ଶକ୍ତି ଭୋଟବ୍ୟାଙ୍କକୁ ଭାଙ୍ଗିବାରେ ସକ୍ଷମ ହୋଇଥିଲା । ୨୦୨୭ ଫେବ୍ରୁଆରୀ ବେଳକୁ ହୋଇପାରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ । ପୌର ଓ ପଞ୍ଚାୟତରେ ୫୦% ଆସନ ମହିଳାଙ୍କ ପାଇଁ ସଂରକ୍ଷିତ । ଏମିତିରେ ମହିଳା ଭୋଟର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ । ତେଣୁ ମହିଳାଙ୍କ ପାଇଁ ଆଗକୁ ଆହୁରି ଦରଦ ଦେଖାଇବେ ରାଜନୈତିକ ଦଳ । ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ମୋଟ ଭୋଟର ସଂଖ୍ୟା ୩ କୋଟି ୩୪ ଲକ୍ଷ ୩୩ ହଜାର ୬୫୯ । ସେଥିରେ ପୁରୁଷ ୧ କୋଟି ୬୯ ଲକ୍ଷ ଓ ମହିଳା ଭୋଟରଙ୍କ ସଂଖ୍ୟା ୧ କୋଟି ୬୫ ଲକ୍ଷ ।
Comments ସମସ୍ତ ମତାମତ