ମୁଖ୍ୟ ଖବର
କଟକ/ଭୁବନେଶ୍ୱର: ୨୦୨୭ ଜାନୁଆରୀ ଓ ଫେବୃଆରୀରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ। ଏହି ନିର୍ବାଚନ ସରିବାର ମାସକ ପରେ ପୌର ନିର୍ବାଚନ କରାଯିବ। ଏଥିପାଇଁ ମାର୍ଚ୍ଚରୁ ଏପ୍ରିଲ ମଧ୍ୟରେ ଘରକୁ ଘର ବୁଲି ଭୋଟର ତାଲିକା ସଂଶୋଧନ କରାଯିବ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୫ଟି ପର୍ୟ୍ୟାୟରେ ହେବାକୁ ଥିବାବେଳେ ପୌର ନିର୍ବାଚନ ଗୋଟିଏ କିମ୍ବା ଦୁଇଟି ପର୍ୟ୍ୟାୟରେ କରାଯିବ। ଏନେଇ ଶନିବାର ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ ସୂଚନା ଦେଇଛନ୍ତି। ଶନିବାର କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ କାର୍ୟ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
୨୦୨୭ରେ ହେବାକୁ ଥିବା ଏହି ନିର୍ବାଚନରେ ସବୁ ଅସ୍ଥାୟୀ ବୁଥ୍ଗୁଡ଼ିକୁ ସ୍ଥାୟୀ କରାଯିବ। କ୍ଲଷ୍ଟରସ୍ତରର ବୁଥ୍କୁ ଭାଗ କରାଯାଇ ଏଣିକି ଗୋଟିଏ ସ୍ଥାନରେ ସର୍ବାଧିକ ୫ଟି ବୁଥ୍ ରହିବ। ସହରାଞ୍ଚଳରେ ବହୁ ବୁଥ୍ ଦୂରରେ ଥିବାରୁ ସେଗୁଡ଼ିକର ପୁନଃ ସୀମା ନିର୍ଦ୍ଧାରଣ ହେବ। ମତଦାତା ଯେଭଳି ନିଜ ଘର ନିକଟବର୍ତ୍ତୀ ମତଦାନ କେନ୍ଦ୍ରରେ ଭୋଟ ଦେଇପାରିବେ; ସେଥିପାଇଁ କିଛି ନୂଆ ବୁଥ୍ ତିଆରି ହେବ। ବର୍ଷ ବର୍ଷ ଧରି ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଦୁଇଟି ଭୋଟ ପରିଚୟ ପତ୍ରରେ ମତଦାନ କରୁଥିବା ଭୋଟର, ବିବାହ ଏବଂ ମୃତ୍ୟୁ ହୋଇସାରିଥିବା ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦିଆଯିବ। ଭୋଟର ତାଲିକା ତିଆରି ପାଇଁ ଡୋର ଟୁ ଡୋର ସର୍ଭେ ଆରମ୍ଭ ହୋଇଥିବାବେଳେ ଆସନ୍ତା ଏପ୍ରିଲ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ। ନିର୍ବାଚନର ୩ ମାସ ପୂର୍ବରୁ ଏକ ତାଲିକା ପ୍ରକାଶ ପାଇବ। ଯଦି କୌଣସି ମତଦାତାଙ୍କର ନାମ ବାଦ୍ ପଡ଼ିଥାଏ, ତାହେଲେ ସେମାନେ ନାମ ଯୋଡ଼ିବାକୁ ଆବେଦନ କରିପାରିବେ। ଏହା ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ତେଣୁ ନିର୍ଭୁଲ ଭାବେ ତାଲିକା ପ୍ରସ୍ତୁତ କରିବାକୁ ଶନିବାର କେନ୍ଦ୍ରାଞ୍ଚଳ ରାଜସ୍ବ ଅଧୀନରେ ଥିବା ୧୦ ଜିଲାର ଜିଲାପାଳଙ୍କୁ ଶ୍ରୀ ପାଢୀ ନିର୍ଦେଶ ଦେଇଛନ୍ତି।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୁକ୍ତ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଜାନୁଆରୀ ୧୩ରେ ଉତ୍ତରାଞ୍ଚଳ ଆରଡିସିଙ୍କ କାର୍ୟ୍ୟାଳୟରେ ପ୍ରସ୍ତୁତି ବୈଠକ ବସିଥିବାବେଳେ ଶନିବାର କେନ୍ଦ୍ରାଞ୍ଚଳ ଆରଡିସିଙ୍କ କାର୍ୟ୍ୟାଳୟରେ ପ୍ରସ୍ତୁତି ବୈଠକ ହୋଇଛି। ଆସନ୍ତା ୨୦ ତାରିଖରେ ଦକ୍ଷିଣାଞ୍ଚଳ ଆରଡିସିଙ୍କ କାର୍ୟ୍ୟାଳୟରେ ଏସଂକ୍ରାନ୍ତରେ ବୈଠକ ହେବ। ଶ୍ରୀ ପାଢ଼ୀ କହିଛନ୍ତି, ନିୟମାନୁଯାୟୀ ଆସନ୍ତାବର୍ଷ ଜାନୁଆରୀ ଓ ଫେବୃଆରୀରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ। ୱାର୍ଡମେମ୍ବର, ସମିତି ସଭ୍ୟ, ସରପଞ୍ଚ, ଜିଲା ପରିଷଦ ସଦସ୍ୟଙ୍କ କାର୍ୟ୍ୟକାଳ ଶେଷ ହେଉଥିବାରୁ ପୂର୍ବ ନିର୍ଦ୍ଧାରିତ ସମୟରେ ପଞ୍ଚାୟତ ନିର୍ବାଚନ କରାଯିବ। ପଞ୍ଚାୟତ ନିର୍ବାଚନ ସରିବାର ମାସକ ପରେ କାଉନସିଲର, କର୍ପୋରେଟର, ପୌର ପରିଷଦ ଅଧ୍ୟକ୍ଷ, ଏନଏସି ଅଧ୍ୟକ୍ଷ ପଦ ନିମନ୍ତେ ନିର୍ବାଚନ ହେବ।
ସଂରକ୍ଷଣ ତଥ୍ୟ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ୟ୍ୟାଳୟ ପକ୍ଷରୁ ଏକ ଅନ୍ଲାଇନରେ ଫର୍ମ ତିଆରି ହୋଇଛି। ଜାନୁଆରୀ ୩୧ ସୁଦ୍ଧା ରାଜ୍ୟ ସରକାର ଏବଂ ଜିଲା ଓ ବ୍ଲକ ପ୍ରଶାସନ ଉକ୍ତ ଅନଲାଇନ ଫର୍ମରେ ସଂରକ୍ଷଣ ତଥ୍ୟ ଅପଲୋଡ କରିବାକୁ କୁହାଯାଇଛି। ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏସଆଇଆର କରାଯିବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରା ପ୍ରସ୍ତୁତ ଭୋଟର ତାଲିକାକୁ ନେଇ ରାଜ୍ୟ ନିର୍ବାଚନ ଆୟୋଗ ଆଉଥରେ ସର୍ଭେ କରି ତ୍ରୁଟି ସଂଶୋଧନ କରିବ ଏବଂ ବୁଥ୍ ପ୍ରସ୍ତୁତ କରିବ। ସହରାଞ୍ଚଳରେ ଭୋଟରଙ୍କ ନିକଟ ଅଞ୍ଚଳରେ ବୁଥ୍ କରିବାକୁ ପ୍ରସ୍ତୁତି ଚାଲିଛି। ନିର୍ବାଚନର ୩ମାସ ପୂର୍ବରୁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ ବୋଲି ସେ କହିଛନ୍ତି।
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଶନିବାର କଟକସ୍ଥିତ କେନ୍ଦ୍ରାଞ୍ଚଳ ଆୟୁକ୍ତଙ୍କ କାର୍ୟ୍ୟାଳୟ ସମ୍ମିଳନୀ କକ୍ଷରେ ଆରଡିସିସ୍ତରୀୟ ପ୍ରାକ୍ ପ୍ରସ୍ତୁତି ବୈଠକ ହୋଇଛି। ଏଥିରେ କେନ୍ଦ୍ରାଞ୍ଚଳ ଆରଡିସି ଅନ୍ତର୍ଗତ ୧୦ ଜିଲା କଟକ, ଖୋର୍ଦ୍ଧା, ବାଲେଶ୍ବର, ପୁରୀ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ମୟୂରଭଞ୍ଜ, ନୟାଗଡ଼, ଯାଜପୁରର ଜିଲାପାଳ, ପୌର ଅଧିକାରୀ, ଅତିରିକ୍ତ ଜିଲାପାଳ, ଉପ-ଜିଲାପାଳ, ବ୍ଲକ ଓ ପଞ୍ଚାୟତ ଅଧିକାରୀ ଅଂଶଗ୍ରହଣ କରିଥିଲେ। ରାଜ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ୨୦୨୭ରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ଏବଂ ନିର୍ବାଚନ ଜନିତ ଅନ୍ୟ ବିଷୟରେ ଆଲୋଚନା ହୋଇଛି। ବିଶେଷ କରି ନିର୍ବାଚନ ପାଇଁ ଇଭିଏମ ଓ ଅନ୍ୟାନ୍ୟ ଉପକରଣ ଜିଲାରୁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଗୋଦାମକୁ ଫେରସ୍ତ କରିବା, ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଲଟ ପେପର ମୁଦ୍ରଣ, ଗଣନା କେନ୍ଦ୍ରର ଚିହ୍ନଟ, ଆଗାମୀ ସାଧାରଣ ନିର୍ବାଚନ ପାଇଁ ପିଆରଆଇ ଏବଂ ୟୁଏଲବିଏସ-୨୦୨୭ ଉପରେ ଆଲୋଚନା ହୋଇଛି।
୨୦୨୨ ପଞ୍ଚାୟତ ଓ ପୌର ନିର୍ବାଚନ ସମ୍ପର୍କିତ ବକେୟା ଥିବା ଡିସି ବିଲ୍/ୟୁସି ଦାଖଲ, ଗ୍ରାମ ପଞ୍ଚାୟତ ଓ ପୌର ଅଞ୍ଚଳରେ ସର୍ଭେ ରୁଟ୍ର ଜିଆଇଏସ୍ ମ୍ୟାପିଂ କରିବା, ଭୋଟର ତାଲିକା ଅନ୍ତର୍ଭୁକ୍ତୀକରଣ ତ୍ରୁଟିଗୁଡ଼ିକୁ ଅପସାରଣ ଏବଂ ବାଦ୍କରଣ ତ୍ରୁଟିଗୁଡ଼ିକୁ ଭୋଟର ତାଲିକାରେ ଯୋଡ଼ିବା ଉପରେ ଆଲୋଚନା ହୋଇଛି। ଗଣନା ହଲ୍ ଏବଂ ଟେବୁଲ ବୃଦ୍ଧି କରିବା, ଅସ୍ଥାୟୀ ବୁଥ୍କୁ ସ୍ଥାୟୀ ବୁଥ୍ରେ ପରିଣତ କରିବା, ସମ୍ବେଦନ ଓ ଅତିସମ୍ବେଦନଶୀଳ ବୁଥ୍ ଚିହ୍ନଟ କରିବା, ଅତିସମ୍ବେଦନଶୀଳ ବୁଥ୍ରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ବ୍ୟବସ୍ଥା କରିବା ଏବଂ ଭୋଟଦାନର ଗୋପନୀୟତା ବଜାୟ ରଖିବା ପାଇଁ ପଞ୍ଚାୟତ ନିର୍ବାଚନର ବାଲଟ ପେପରଗୁଡ଼ିକର ନୂତନ ଗଣନା ପ୍ରକ୍ରିୟା ଅର୍ଥାତ ଏକତ୍ରୀକରଣ, ମିଶ୍ରଣ ଏବଂ ଗଣନା ଆଦି ଉପରେ ଆଲୋଚନା କରାଯାଇଥିଲା। ବୈଠକରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଗୁହା ପୁନମ ତାପସ କୁମାର ସ୍ୱାଗତ ଭାଷଣ ଦେଇଥିବା ବେଳେ ରାଜ୍ୟ ନିର୍ବାଚନ ଆୟୋଗର ସଚିବ ସନ୍ତୋଷ ଦାଶ ସଭାକୁ ସମ୍ବୋଧିତ କରିଥିଲେ।
Comments ସମସ୍ତ ମତାମତ